ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରେ ଅର୍ନ୍ତଜାତୀୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱବ୍ୟାଙ୍କର ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସଚିବାଳୟରେ ଅର୍ଥ ମନ୍ତ୍ରାଳୟର ନେତୃତ୍ୱରେ ବିଶ୍ୱବ୍ୟାଙ୍କ, ଏସିଆନ୍ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କର ପ୍ରତିନିଧି ଦଳ ସାକ୍ଷାତ୍ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ନ୍ତଜାତୀୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ସ୍ଥାପନ ହେବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ସହିତ ଅର୍ନ୍ତଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ପ୍ରସ୍ତୁତି କ୍ଷେତ୍ରରେ ସହାୟକ ହୋଇପାରିବ । ପ୍ରସ୍ତାବିତ ପ୍ରକଳ୍ପ ଭୁବନେଶ୍ୱରରେ ସ୍ଥାପନ କରାଗଲେ ରାଜ୍ୟ ସରକାର ସମସ୍ତ ପ୍ରକାର ଆନୁସଙ୍ଗିକ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଛନ୍ତି ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଶ୍ୱବ୍ୟାଙ୍କର ପ୍ରୋଗ୍ରାମ୍ ଲିଡର୍ ଜର୍ଜ କୋରାସ୍ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବାତ୍ୟା ପୂର୍ବ ଓ ପର ପ୍ରସ୍ତୁତି ବେଶ୍ ପ୍ରଶଂସନୀୟ । ବାତ୍ୟାର ମାତ୍ର ୨୪ ଘଣ୍ଟା ପୂର୍ବରୁ ରାଜ୍ୟ ସରକାର ୧୨ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ସ୍ଥାନାନ୍ତର କରି ବହୁ ଲୋକଙ୍କ ଧନଜୀବନ ବଞ୍ଚାଇଛନ୍ତି । ସେହିଭଳି ବାତ୍ୟ ପରବର୍ତ୍ତୀ ସମୟରେ ବିପନ୍ନଙ୍କୁ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଏହା ରାଜ୍ୟ ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ । ଓଡିଶା ପାଇଁ ବିଶ୍ୱବ୍ୟାଙ୍କ ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର