ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହିଳାମାନେ ସଦାସର୍ବଦା ମଣିଷ ସମାଜର ମଙ୍ଗଳକାରିତାକୁ ଦୃଷ୍ଟିରେ ରଖି ନିଜ ଜୀବଦ୍ଧଶାରେ ଏକ ଉଦାହରଣ ରଖିଥାନ୍ତି । ମହିଳା ବା ମାତୃଜାତି ସର୍ବଦା ପୂଜନୀୟା । ମା’ର କେହି ତୁଳନା ନାହିଁ । କୋଭିଡ ପରବର୍ତ୍ତୀ ବିଶ୍ୱର ନେତୃତ୍ୱ ନେବାକୁ ମହିଳାମାନେ ସଦାତତ୍ପର ହୋଇ ଉଠିଲେଣି ବୋଲି ଆଜି ସ୍ଥାନୀୟ ମେଡିକାଲ କଲେଜ ପରିସର ନୂତନ ଅଡିଟୋରିୟମ ଠାରେ ୱାନ ଷ୍ଟେପ ସେଣ୍ଟର ‘ସଖି’ ଦ୍ୱାରା ଆୟୋଜିତ ବିଶ୍ୱ ମହିଳା ଦିବସ ଉତ୍ସବକୁ ଉଦଘାଟନ କରି ଅତିଥି ମାନେ ପ୍ରୋକ୍ତ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଦିବସର ଉତ୍ସବକୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ନିହାରବାଳା ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସାଧନା ଶରଣ ଦାସ, ଆକୃନ ଏଡ଼ର ପ୍ରତିନିଧି ଦେବବ୍ରତ ମାହୁନ୍ତ, ଆଇଏସଆରଡିର ନିର୍ଦ୍ଦେଶକ ସୁଧୀର ସାବତ, ମହେଶ୍ୱର ବରାଡ଼, ଉଦୟ ନାଥ ନାୟକ, ସବିତା ସାହୁକାର, ରାମେଶ୍ୱରୀ ପ୍ରମୁଖ ଯୋଗଦାନ କରି ଚଳିତ ବର୍ଷର ବିଶ୍ୱ ମହିଳା ଦିବସର ବାର୍ତ୍ତାକୁ ସଗର୍ବେ ପ୍ରମାଣିତ କରାଇବାର ସମୟ ଉପନୀତ ହୋଇଥିବା ବ୍ୟକ୍ତ କରିଥିଲେ । ସମସ୍ତ ଗୁଣର ଅଧିକାରୀ ହୋଇ ମଧ୍ୟ କିଛି ଦେଶ ଏବଂ ଆମ ଦେଶର ମନେକ ରାଜ୍ୟରେ ମହିଳାମାନେ ଘରକୋଣରେ ହିଁ ରହିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ରାଜ୍ୟ ସରକାର ଏବଂ ସର୍ବୋପରି କେନ୍ଦ୍ର ସରକାର ମହିଳାମାନଙ୍କ ଉତଥାନ ସକାଶେ ବିବିଧ ଯୋଜନା ପ୍ରଣୟନ କରି ଆସୁଥିଲେ ହେଁ ମହିଳାମାନେ ସମାଜର ମୁଖ୍ୟସ୍ରୋତକୁ ଶତପ୍ରତିଶତ ମାତ୍ରାରେ ପହଞ୍ଚି ପାରୁନଥିବା ଉଦବେଗର ବିଷୟ ବୋଲି ଚିନ୍ତାବ୍ୟକ୍ତ କରାଯାଇଥିଲା । ଆଜି ବିଶ୍ୱର ୨୨ଟି ଦେଶରେ ମୁଖିଆ ଭାବେ ମହିଳାମାନେ ପ୍ରତିନିଧିତ୍ୱ କରୁଥିବାବେଳେ ଦେଶର ସୁରକ୍ଷାରେ ୨୨ ପ୍ରତିଶତ ମହିଳା ଅର୍ଦ୍ଧସାମରିକ ବଳରେ ଯୋଗ ଦେଇଛନ୍ତି । ଆମେ ଆମ କଥନ, ଚଳଣୀ, ଶୈଳୀ, ଆଚାର, ବ୍ୟବହାର ଇତ୍ୟାଦି ସବୁଥିରେ ମହିଳାଙ୍କୁ ସମାନତାର ସୁଯୋଗ ଦେବାକୁ ଆଗଭର ହେବାକୁ ପଡିବ ଏବଂ ସମସ୍ତେ ମହିଳାଙ୍କୁ ସମାନତାର ସ୍ତରକୁ ଅଣାଇବାରେ ଶପଥ ମଧ୍ୟ ନେବା ଶ୍ରେୟସ୍କର ବୋଲି ନିର୍ବିଶେଷରେ ମତପ୍ରକାଶ ପାଇଥିଲା । ପୂର୍ବାହ୍ନରେ ସଖି, ଆଏସଆରଡି, କଳାଞ୍ଜଳି ଆର୍ଟିଷ୍ଟ୍ରୀ ଏବଂ ଆଦର୍ଶ ମହିଳା ସଂଗଠନ ତରଫରୁ ମିଳିତ ଭାବେ ମହିଳାଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସଖିର କେନ୍ଦ୍ରୀୟ ପ୍ରଶାସିକା ମହାଶ୍ୱେତା ପାଢି ଧନ୍ୟବାଦ ଅର୍ପଣ କରିଥିଲେ ।