

ରାଉରକେଲା:(ସମୃଦ୍ଧଓଡିଶା)ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି, ସମ୍ପାଦକ ନୃସିଂହ ଚରଣ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ମଞ୍ଚର ସଭାପତି, ଆବାହକ, ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ୨୦୦୦ ମସିହା ଫେବ୍ରୁଆରୀ ମାସ ୨୧ ତାରିଖ ରୁ ଏହା ସମଗ୍ର ବିଶ୍ବରେ ପାଳିତ ହୋଇଆସୁଛି। ୧୯୫୨ ମସିହା ର ବାଂଲାଦେଶ ଭାଷା ଆନ୍ଦୋଳନକୁ ତଥା ଏଥିରେ ସହୀଦ ହୋଇଥିବା ଭାଷାପ୍ରେମୀ ଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବାସ୍ତବରେ ମାତୃଭାଷା ର ବିକାଶରେ ହିଁ ଗୋଟିଏ ଜାତିର ବିକାଶ ସମ୍ଭବ ହୋଇଥାଏ। ମାତୃଭାଷା ମାନବର ମନରେ ଜାତୀୟତା ଭାବ ସୃଷ୍ଟି କରିବାରେ ସକ୍ଷମ ସୋଇଥାଏ। ମାତୃଭାଷା ହିଁ ଶିଶୁର ଜ୍ଞାନ ଆହରଣର ବଳିଷ୍ଠ ମାଧ୍ୟମ ତଥା ଏହା ମାଧ୍ୟମରେ ବ୍ୟକ୍ତି ଜାତିର ଇତିହାସ, ସଂସ୍କୃତି ଓ ପରମ୍ପରା ବିଷୟରେ ସଚେତନ ହୋଇଥାଏ। ସମ୍ପ୍ରତ୍ତି ଓଡ଼ିଶାରେ ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ଓ ଭାଷାକୁ ନେଇ ରୋଜଗାର ପନ୍ଥା ମିଳିଲେ ତାହା ସମଗ୍ର ରାଜ୍ୟରେ ଗ୍ରହଣୀୟ ହୋଇପାରିବ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହରର ବିଭିନ୍ନ ଅନୁଷ୍ଠାନ ରୁ ସର୍ବଶ୍ରୀ ଡା ବସନ୍ତ କୁମାର ଦାସ,ଆଲୋକ ବୋଷ, ସସ୍ମିତା ପ୍ରଧାନ, ଦେବେନ୍ଦ୍ର ମହାରଣା, ପ୍ରଫୁଲ୍ଲ ସାମଲ, ଗୈାତମ ଦାସ, ଚନ୍ଦ୍ରଶେଖର ପାଇକରାୟ, ଗଙ୍ଗାଧର ପୁହାଣ, ପୀତବାସ ପ୍ରଧାନ, ଅଜୟ ନାୟକ, ଧନଞ୍ଜୟ ମଲ୍ଲିକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଶ୍ରୀ ଦାଶ ମାଲ୍ୟାର୍ପଣ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ସସ୍ମିତା ପ୍ରଧାନ