ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡାରେ ଜିଲ୍ଲା ପ୍ରଶାସନର ସତଚେଷ୍ଟାରେ ମଧ୍ୟ ଜିଲ୍ଲାରୁ ଦୁର ହୋଇପାରି ନାହିଁ ଅନ୍ଧବିଶ୍ୱାସ । ଜିଲ୍ଲାରେ ଗୁଣିଗାରେଡିକୁ ନେଇ ଅନେକ ହତ୍ୟା କାଣ୍ଡ ଘଟିଥିବାବେଳେ ଅନେକ କାରାଗାରରେ ଦଣ୍ଡ ଭଗୁଥିବା ନଜିର ରହିଛି । ପ୍ରଶାସନ ତରଫରୁ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରୁ ଦୁରେଇ ରହିବାକୁ ପଥପ୍ରାନ୍ତ ନାଟକ ଓ ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମ ଜାରି ରହିଥିଲେ ସୁଦ୍ଧା ଦୁର ହୋଇପାରୁନାହିଁ ଅନ୍ଧବିଶ୍ୱାସ । ପୁଣି ଗୁଣିଗାରେଡ଼ି ସନ୍ଦେହରେ ଜଣେ ୬୦ବର୍ଷ ବୃଦ୍ଧାଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବିଷମକଟକ ବ୍ଲକ ଡୁମେରିନେଲି ପଞ୍ଚାୟତ ଚେଙ୍ଗିଲି ଗ୍ରାମରେ ବସବାସ କରୁଥିବା ଲଷ୍ମୀ ହର୍ଲାକା ଓ ତାଙ୍କ ସ୍ୱାମୀ ଇନ୍ଦ୍ର ହର୍ଲାକାଙ୍କ କ୍ଷେତ୍ରରେ ଘଟିଥିବାରୁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଲଷ୍ମୀ ହର୍ଲାକାଙ୍କ ପରିବାର । ସୂଚନା ଅନୁଯାୟୀ ଗତ ଜୁନ ୨୮ ତାରିଖରେ ଚେଙ୍ଗଲି ଗ୍ରାମର ଲଷ୍ମୀ ରହୁଥିବା ଘରକୁ କିଛି ଗ୍ରାମବାସୀ ମାନେ ଆସି ଘର ଭାଙ୍ଗି ଛାରଖାର କରିଦେବା ସହ ଘରେ ଥିବା ସୁନା, ଟଙ୍କା, ଧାନ, ମାଣ୍ଡିଆ ଇତ୍ୟାଦି ଲୁଟି ନେଇଥିବା ବେଳେ ଗାଁ ଛାଡି ଚାଲିଯିବାକୁ କହିବା ସହ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ତେବେ ବର୍ତମାନ ଭୟଭୀତ ହୋଇ ଗ୍ରାମ ଛାଡି ମୁଣ୍ଡିପଦର ଗ୍ରାମରେ ବସବସା କରୁଛନ୍ତି । ଏନେଇ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇନଥିବାରୁ ପ୍ରଶାସନର ଦ୍ୱାରସ୍ଥ ହୋଇ ଦୋଷୀଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଯଦି ପ୍ରଶାସନ ଏ ଦିଗରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବୁ ବୋଲି ଲଷ୍ମୀ ହର୍ଲାକା ଏବଂ ଇନ୍ଦ୍ର ହର୍ଲାକା ପ୍ରକାଶ କରିଛନ୍ତି । ଏନେଇ ରାୟଗଡା ଆରକ୍ଷୀଅଧିକ୍ଷକ ଡ଼ଃ ଶ୍ରବଣ ବିବେକ ଏମଙ୍କୁ ପଚାରିବାରୁ ସେ ଏହାର ଅତିଶୀଘ୍ର ସମାଧାନ କରି ପ୍ରଭାବିତ ପରିବାରଙ୍କୁ ଚେଙ୍ଗିଲି ଫେରିବା ବ୍ୟବସ୍ତା କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ।
ରିପୋର୍ଟ ରିପୋର୍ଟ : ତୁଷାର ରଞ୍ଜନ ସାହୁ