ସେ ଦିନର ପରିବେଶ ଟିକେ ଭିନ୍ନ ଥାଏ । ବୋହୁ ସକାଳୁ ଉଠି ଚା କପେ ଦେଲା, ହସି ହସି । ପାଖରେ ବି ବସିଲା । ଆଜି ଜମାରୁ ଚିଡିଚିଡା ବ୍ୟବହାର ନାହିଁ । ଅନାଥବନ୍ଧୁଙ୍କୁ ଖାପଛଡା ଲାଗୁଥାଏ ବୋହୁର ବ୍ୟବହାର । ତଥାପି ବହୁତ ଖୁସି ଲାଗୁଥାଏ । ଖାଲି ଚା କପ୍ ହାତରୁ ନେଇ ବୋହୁ ଚାଲିଗଲା । କିଛି ସମୟ ପରେ ପୁଣି ଆଗମନ । “ବାବା, ଗିଜର ଅନ୍ କରି ଦେଇଛି, ଗାଧୋଇ ଯିବେ ।” ଅନାଥବନ୍ଧୁ ଆନମନା ହୋଇ ବସିଥାନ୍ତି । ବାହା ହୋଇ ବୋହୁ ଆସିବା ତେର ବର୍ଷ ହେଲାଣି, କେବେ ତ ଏତେ ଭଲ ବ୍ୟବହାର କରେନାହିଁ । ଆଜି କଣ ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଲେ କି ! ମନେ ପଡିଯାଉ ଥାଏ, ବୋହୁ ଆସିବା ଦିନରୁ ପୁଅର ବି ହଠାତ୍ ପରିବର୍ତ୍ତନ । ସବୁଦିନ ଘରେ ମହାଭାରତ । ପୁଅ ରାତିରେ ଘରକୁ ଫେରିଲେ ବୋହୁର ଲମ୍ବା ତାଲିକା ମୋ ବିଷୟରେ ଅଭିଯୋଗକୁ ନେଇ । କିଛି ସମୟ ପରେ ପୁଅ ଆସେ, ଚିତ୍କାର କରେ, “ବାପା ତମେ ଆମକୁ କାହିଁକି ଶାନ୍ତିରେ ଟିକେ ରଖାଇ ଦେଉନାହଁ ? ଆଜ କାହିଁକି ସେ ମଉସା ମାନେ ଆମ ଘରକୁ ଆସିଥିଲେ ? କଣ ଏତେ ଗପଶପ ଚାଲିଥିଲା ? ଏଡେ ପାଟିରେ ହସ କାହିଁକି ? ବିଚରା ସ୍ତ୍ରୀ ଲୋକଟା ତୁମର ସବୁ ସେବା କରିବ, ତାକୁ ଶାନ୍ତିରେ ଟିକେ ଶୋଇବାକୁ ବି ହେବନାହିଁ ?” ପୁଣି କେଉଁ ଦିନ ନୂଆ ଅଭିଯୋଗ, ଖାସ୍ ତୁମରି ଯୋଗୁଁ ବାପା, ପୁଅଟା ମୋର ଅମଣିଷ ହୋଇଯିବ । ତା ସାଙ୍ଗରେ ତୁମର କଣ ଏତେ ଗପ ଥାଏ ? ପିଲାଟାକୁ ପଢିବାକୁ ଦେଉନ । ତମେ ତାକୁ ପାଠ ପଢାଇବ ? ତା ପାଇଁ ଏତେ ଦରମା ନେଇ ଟ୍ୟୁସନ୍ ସାର୍ ତ ଆସୁଛନ୍ତି ! ବାପା ତଳ ମୁହାଁ ରହି ଯାଆନ୍ତି । ପୁଅ ତା ରୁମ୍ କୁ ଚାଲିଗଲା ପରେ ଭାବନ୍ତି, ନାତି କୁହେ “ଜେଜେ ତୁମେ ଏତେ ସରଳ ଭାବରେ ବୁଝାଇ ଦେଉଛ, ମୁଁ ତୁମରି ପାଖରେ ପଢିବି । ମୋର ସେ ଟ୍ୟୁସନ୍ ସାର୍ ଦରକାର ନାହିଁ । ମମ୍ମି ତ ସବୁଦିନ କିଟି ପାର୍ଟି କୁ ପଳାଉଛନ୍ତି, ଯାହା ପାଠ ପଚାରିଲେ କହୁଛନ୍ତି ଟିୟୁନ୍ ସାର୍ ଙ୍କୁ ପଚାର । ମତେ ସେ ଟ୍ୟୁସନ୍ ସାର୍ ଆଦୌ ଭଲ ଲାଗନ୍ତି ନାହିଁ ।” ଅନାଥବନ୍ଧୁ ହସିଦେଇ କୋଳେଇ ନିଅନ୍ତି ନାତିକୁ ଆଉ ବୁଝାଇ ଦିଅନ୍ତି ପାଠ ସବୁ ବୋହୁ ଘରେ ନଥିବା ବେଳେ । ଖବର କିନ୍ତୁ ଅଛପା ରହେ ନାହିଁ। ନାତି ପାଖରୁ ଧରା ପଡିଯାଏ । ତାଙ୍କ ସହିତ ପୁଅର ମିଳାମିଶା ବୋହୁର ଆଦୌ ପସନ୍ଦ ନୁହେଁ । ତାଙ୍କର ଦମାକାଶ ଟିକେ ବାହାରିଛି ତ । ବୋହୁର ସନ୍ଦେହ, ସେଥିପାଇଁ ।ବୋହୁର ଡାକରେ ପ୍ରକୃତିସ୍ଥ ହେଲେ ଅନାଥବନ୍ଧୁ । ବାପା ପାଣି ଗରମ ହୋଇ ଗଲାଣି ପରା, ଗାଧୋଇ ଯାଅ । ପଚାରିବାର ଯୁ ନାହିଁ, ଏତେ ଶୀଘ୍ର ସେ କେବେ ଗାଧାନ୍ତି ନାହିଁ । ଆଜି ଗାଧୋଇ କରିବେ କଣ ? ଅଗତ୍ୟା ଗାଧୁଆ ଘରେ ପଶିଲେ । ଗାଧୁଆ ଘରେ ବି ହାବୁକା ମାରି ସ୍ମୃତି ମାନ ପଶି ଆସୁ ଥାଆନ୍ତି, ନାତି ଆସିବା ଦିନରୁ ନିସଙ୍ଗ ଜୀବନରେ ଯାହା ଟିକେ ଭଟ୍ଟା ପଡିଲା । ପୁଅ ବୋହୁ ଚିଡିଚିଡା ହେଲବି, ସେ ଦେହକୁ ନିଅନ୍ତି ନାହିଁ । ପିଲାଏ ତ ତାଙ୍କର । ତାଛଡା ନିସଙ୍ଗତା ଭାଙ୍ଗିବା ପାଇଁ ସାଥୀ ମାନେତ ଘରକୁ ଆସନ୍ତି, ବୋହୁ ଚିଡୁ ପଛେ, ବାଇକୁ ଚା ତିନି ଚାରି କପ୍ ବରାଦ କଲେ । ପୁଣି ଅଛି ଟଫି, ତାଙ୍କ ଅନ୍ତରଙ୍ଗ ବନ୍ଧୁ । ଟଫିକୁ ନେଇ ସେ ମର୍ଣିଂ ୱାକ୍ ରେ ଯାଆନ୍ତି। ଟଫିର ମଇଳା ସଫା କରନ୍ତି । କାରଣ ସେଇତ ତାଙ୍କର ନାତି ପରେ ଦୁତୀୟ ପ୍ରିୟ ସାଥି । ନାତି ସବୁବେଳେ ଦେଖା ହୁଏ ନାହିଁ । ସ୍କୁଲ୍ ଯାଏ, ଟ୍ୟୁସନ୍, ନାଚଗୀତ କ୍ଲାସ୍ ପୁଣି ଖେଳିବାକୁ ଯାଏ । କେବଳ ଛୁଟି ଦିନରେ ବୋହୁ କିଟି ପାର୍ଟି ବା ମାର୍କେଟ ଗଲେ ନାତି ସହ ଅପୂର୍ବ ମିଳନ ହୁଏ । ଟଫିତ ସବୁବେଳେ ଦେଖା, ସଦା ତତ୍ପର । କବାଟ ଠକଠକ ହେବାରୁ ଭାବନା ରାଜ୍ୟରୁ ପୁଣି ଫେରିଲେ ଅନାଥବନ୍ଧୁ । ତରବରରେ ପାଣି ଢାଳି ହୋଇପଡି ବାହାରକୁ ଆସିଲେ । ଆଜି ତାଙ୍କ ପ୍ରିୟ ଜଳଖିଆ ପରଟା ଆଳୁଦମ୍ ବଢା ହୋଇଛି । କେବେ କେମିତି ବାଇକୁ ବରାଦ କଲେ, ଫେରି ଆସି କୁହେ “ମା ମନା କଲେ, ଯାହା ହୋଇଛି ସେଇଆ ଖାଅ ।” ଭଗବାନଙ୍କୁ ମନେମନେ ଅଶେଷ ଧନ୍ୟବାଦ ଦେଇ ଖାଇ ବସିଲେ ସେ । ଖାଇ ସାରିବା ପରେ ପୁଅ ଆସି ପାଖରେ ବସିଲା । ତଳକୁ ମୁହଁ କରି କହିଲା, “ବାପା ତୁମର ସବୁ ଜିନିଷ ସଜାଡି ନିଅ, ଆଜି ତୁମକୁ ଜରାଶ୍ରମରେ ଛାଡି ଆସିବି ।” ଅନାଥବନ୍ଧୁ କିଛି କହିବା ପୂର୍ବରୁ ପୁଅ ବୁଝାଇଲା “ସେଠି ତୁମର କିଛି ଅସୁବିଧା ହେବନାହିଁ । ତାଛଡା ସୀମା ଏକୁଟିଆ ଲୋକ ତୁମର ସେବା କେତେ କରିବ ! ପୁଣି ତୁମର ସାଙ୍ଗସାଥୀଙ୍କୁ ନେଇ ଆଡ୍ଡାକୁ ସୀମା ପସନ୍ଦ କରେନା । ତାଛଡା ଗୋଟିଏ ବୋଲି ପୁଅ ଡୁଡୁଲ୍ ର ପାଠ ବିଗିଡି ଯାଉଛି ତୁମ ଯୋଗୁଁ । ତା’ର ବି ରୁମ୍ ଟିଏ ଦରକାର ହେଲାଣି, ବଡ ହେଲାଣି ତ ! ମୁଁ ପ୍ରତି ମାସରେ ଥରେ ଦୁଇଥର ତୁମକୁ ଦେଖା କରି ଆସିବି । ଅସୁବିଧା କଣ ?” ଅନାଥବନ୍ଧୁ ଏବେ ବୁଝିପାରିଲେ ସକାଳୁ ଗଳାରେ ମନ୍ଦାର ମାଳା ପଡୁଥିଲା ବଳି ଦେବାକୁ । କୌଣସି ଅଭିଯୋଗ କି ବାରଣ କରି ନାହାନ୍ତି ସେ, ଆଜି କାହିଁକି କରିବେ । ତାଛଡା ବାପା ମା ଏକୁଟିଆ ହେଲେ ଜରାଶ୍ରମରେ ଛାଡି ଆସିବାର ନୂଆ ସଂସ୍କୃତି କେତେ ବର୍ଷ ତଳୁ ମୁଣ୍ଡ ଟେକଲାଣି ଏ ଦେଶରେ, ଏ ସହରରେ, ଯେଉଁଠାରେ ସେ ନିଜେ ସଂଶ୍ଳିଷ୍ଟ । ସେ ବି କାହିଁକି ପିଲାଙ୍କୁ କଷ୍ଟ ଦେବେ ? ପୁଅ କାନ୍ଧରେ ହାତ ରଖି କହିଲେ, ଠିକ୍ ଅଛି ମତେ ଏଇ ସହରର ଜରାଶ୍ରମରେ ଛାଡ । ତୁମ ସୁବିଧା ହେଲେ ମୋ ପାଖକୁ ବୁଲି ଆସିବ, ନହେଲେ ନାଇଁ, ମତେ ଚିହ୍ନା ସାଥୀ କିଛି ମିଳିଯିବେ। ଯଦିଓ ସୀମାର ନିର୍ଦ୍ଦେଶ ଥିଲା ଦୂରର କେଉଁ ଜରାଶ୍ରମରେ ଛାଡିବାକୁ, ପୁଅ ଅଗତ୍ୟା ନାହିଁ କରି ପାରିଲା ନାହିଁ । ବୋହୁ ନାତି ଓ ଟଫିଠାରୁ ଶେଷ ବିଦାୟ ନେଲେ ଅନାଥବନ୍ଧୁ । ଗାଡିରେ ବସିଲେ । ଯେତେ ବାରଣ କଲେ ବି ଟଫି ଗାଡିରେ ବସିବାକୁ ଡେଉଁ ଥାଏ । ହେଲେ ତା ବେକରେ କଡି ! ପରିସ୍ଥିତି ଅଣାୟତ୍ତ ହେବାରୁ ବୋହୁ ଟଫିକୁ ଖୋଲି ଦେଲା । ନାତି ଟା କାନ୍ଦି କାନ୍ଦି ଆଖି ଫୁଲି ଯାଇଥାଏ । ଅନାଥବନ୍ଧୁ ଶେଷ ଥର ପାଇଁ ତାକୁ କୋଳେଇ ନେଇ ବିଦାୟ ନେଲେ ହସି ହସି, ଯଦିଓ ଅମାନିଆଁ ଲୁହଗୁଡା ଖସି ପଡୁଥାନ୍ତି ଟପ୍ ଟାପ୍ । ଜୀବନରେ ଯେତେବେଳେ ଯାହା ପରିସ୍ଥିତି ଆସିଛି ହସି ହସି ସେ ଗ୍ରହଣ କରିଛନ୍ତି, ଆଜି କାହିଁକି ଭାଙ୍ଗି ପଡିବେ, ପିଲାଙ୍କ ମନରେ କଷ୍ଟ ଦେବେ ! ଗାଡି ଜରାଶ୍ରମରେ ଲାଗିଲା । ବାଟ ଯାକ ପୁଅ ତଳ ମୁହାଁ । ଅନାଥବନ୍ଧୁ ବୁଝାଉଥାନ୍ତି “ତୁ କାହିଁକି ମନ ଦୁଃଖ କରୁଛୁ । ମୋର କିଛି ଅସୁବିଧା ହେବନାହିଁ । ସାଙ୍ଗସାଥିଙ୍କ ମେଳରେ ଚଳିଯିବି। ତାଛଡା ଏଇ ସହର ତ । ଅସୁବିଧା ହେଲେ ତମେ ମାନେ ପାଖରେ ତ ଅଛ ! ବାଟଯାକ ପୁଅ ଭାବୁଥାନ୍ତି ବାପା ବିରୋଧ ନକରିବାର କାରଣ କଣ ? ଅନାଥବନ୍ଧୁଙ୍କର ମନେ ପଡୁଥାଏ ତାଙ୍କ ଆଦ୍ୟ ଯୌବନର ସାଥୀ ପ୍ରେମିକା ଶୃତି କଥା । ଗୋଟାଏ ଘଟଣା ଜାଣିବା ପରେ ପଛକୁ ବୁଲି ଚାହିଁଲା ନାହିଁ, ପଛ କରି ଚାଲିଗଲା । ଯାହାର ଆଗରୁ ପୁଅଟିଏ ଥିବ, ତା ପାଇଁ ଝିଅଟିଏ ତା ଜୀବନକୁ କାହିଁକି ବା ନଷ୍ଟ କରିବ ! ଆଉଥରେ ଗଡି ଯାଉଥିବା ଲୁହକୁ ପୁଅ ଅଜାଣତରେ ପୋଛି ଆଣିଲେ ସେ । ପଛ କଥା ଭାବି ଆଜି ଲାଭ ନାହିଁ । ଗାଡିରୁ ଓହ୍ଲାଇ ବାପାଙ୍କ ସାମାନ ପତ୍ର ଧରିଲେ ପୁଅ । ଆଶ୍ରମ ମ୍ୟାନେଜର ବି ସହଯୋଗ କଲେ । ଅନାଥବନ୍ଧୁଙ୍କୁ ଦେଖି ବହୁତ ଖୁସି ହେଲେ । ସେଇଟି ଗୋଟିଏ ଜାଗାରେ ଥିଲା ଅନାଥାଶ୍ରମ ସହିତ ଜରାଶ୍ରମ । ଦୁଇପଟେ ଦୁଇଟି, ଅନାଥବନ୍ଧୁଙ୍କର ଅତି ପରିଚିତ । ମ୍ୟାନେଜର ତାଙ୍କୁ ବହୁ ଆଦର ସମ୍ଭାଷଣ କରି ନେଇ ବସାଇଲେ । ତାଙ୍କ ପାଇଁ ଖଟିଆ ଟିଏ ସୁବ୍ୟବସ୍ଥା କରିବାକୁ ଏଟେଣ୍ଡାଣ୍ଟ କୁ ବରାଦ ଦେଲେ । ଏଟେଣ୍ଡାଣ୍ଟ ଅନାଥବନ୍ଧୁଙ୍କୁ ତାଙ୍କ ରୁମ ଦେଖେଇବାକୁ ନେଲା ବେଳେ କୌତୁହଳବଶତଃ ପୁଅ ପଚାରିଲେ ମ୍ୟାନେଜରଙ୍କୁ ” ମଉସା ମୋ ବାପା କଣ ଆପଣଙ୍କର ଆଗରୁ ଚିହ୍ନା ?” ଉତ୍ତର ଶୁଣି ଆକାଶରୁ ତଳକୁ ଖସି ପଡିବେକି ! ମ୍ୟାନେଜର କହିଲେ “ହଁ ଏ ଆଶ୍ରମ ତିଆରି ହେବା ଦିନ ଠାରୁ ଆପଣଙ୍କ ବାପା ଜଡିତ । ତାଛଡା ଆଜିକୁ ବତିଶ ବର୍ଷ ତଳେ ଅନାଥାଶ୍ରମର ଦୁଇ ବର୍ଷର ଶିଶୁଟିଏ ଥରେ ତାଙ୍କ ଗୋଡକୁ ଜାବୁଡି ଧରିଲା ଏକାନ୍ତ ଆତ୍ମୀୟ ପରି । ଆପଣଙ୍କ ବାପା ତାକୁ କୋଳକୁ ଉଠାଇଲେ । ସବୁଦିନ ପାଇଁ ସାଂଗରେ ଘରକୁ ନେଇଗଲେ । ଶୁଣିଛି ତାଙ୍କୁ ଭଲ ପାଉଥିବା ଝିଅଟି ବି ତାଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ଛାଡି ଚାଲିଗଲେ । ପରିବାରରେ କେହି ଅନାଥ ପିଲାଟାକୁ ଗ୍ରହଣ କଲେନାହିଁ, ନା ବାପା ମା ନା ଭାଇ ଭାଉଜ । ତାପରେ ତାଙ୍କ ବୈବାହିକ ଜୀବନ ବିଷୟରେ ଆମକୁ କୁହନ୍ତି ନାହିଁ । ବିବାହ କରିଥିଲେ ସେ ପୁଅଟି ଆପଣଙ୍କ ପାଖାପାଖି ବୟସର ହୋଇଥିବ । ପିଲାଟିର ଜନ୍ମ ଦିନରେ ପ୍ରତି ବର୍ଷ ଆଶ୍ରମ ଆସି ବହୁତ ମିଠାଫଳ ବାଣ୍ଟନ୍ତି ।” କହିଲା ବଳକୁ ମ୍ୟାନେଜର ଙ୍କ ଆଖିରେ ଲୁହ ଆସିଗଲା । ଲୁହ ପୋଛିସାରି ଦେଖିଲେ, ବାବୁ ଜଣକ ରେଜିଷ୍ଟ୍ରେସନ ନକରି ଚାଲି ଗଲେଣି । କି ଆଶ୍ଚର୍ଯ୍ୟ କଥା ! ଅନାଥବନ୍ଧୁଙ୍କୁ ଡକାଇ ଜଣାଇଲେ ଯେତେବେଳେ ହତଚକିତ ହୋଇଗଲେ ସେ । “ମୋର ସବୁ ସାଧନା ତପସ୍ୟା ପାଣିରେ ପକାଇଦେଲେ ଆପଣ । ଆଜି ଯାଏ ମୋ ପୁଅକୁ ଜାଣିବାକୁ ଦେଇ ନଥିଲି ସେ ଅନାଥ ବୋଲି । ସେ ଜାଣେ ତା ମା ମରି ଯାଇଛି ପିଲାଦିନୁ । ଆପଣ ଏ କଣ କଲେ ??” ବହୁତ ମନଦୁଃଖରେ ବସି ଥାଆନ୍ତି ଅନାଥବନ୍ଧୁ । ତାଙ୍କର ସାମାନ୍ୟ ଅସାବଧାନତା ଯୋଗୁଁ ପୁଅ କେତେ କଷ୍ଟ ପାଇବ ଜୀବନ ସାରା, ନିଜକୁ ଅନାଥ ଭାବି ଧିକ୍କାର କରିବ । ବୋହୁ ସୀମା ଜାଣିଲେ ସେମାନଙ୍କ ପାରିବାରିକ ଜୀବନରେ ଅଶାନ୍ତି ର କଳା ବାଦଲ ଛାଇଯିବ, ଯାହା ମୋ ଜୀବନକୁ ଛାରଖାର କରିଛି ।” ଭାବୁ ଭାବୁ ଆଖି ଲାଗି ଯାଇଛି, ଟଫିର ଭୁକିବା ଶବ୍ଦ ଓ ନାତିର ଚିତ୍କାରରେ ତାଙ୍କ ନିଦ ଭାଙ୍ଗିଗଲା ଚାଉଁକିନା । ଏ କଣ ଦେଖୁଛନ୍ତି ? ତାଙ୍କ ପାଦତଳେ ପଢିଛନ୍ତି ସମୀର ଆଉ ସୀମା । ଦୁଇ ଜଣ ଦୁଇ ଗୋଡକୁ ଧରି ଅବୋଧ ଶିଶୁ ପରି କାନ୍ଦୁଛନ୍ତି। ସମୀର କହୁଛି “ଭଗବାନଙ୍କୁ ସ୍ବଚକ୍ଷୁରେ ଦେଖିବି ଆମେ ମୁଢ ଦୁଇଜଣ ବିଶ୍ୱାସ କରୁ ନଥିଲୁ ! ଦୁଇ ବର୍ଷର ଏ ଅନାଥ ପାଇଁ ତୁମେ ବାପା ସାରା ସଂସାର ଛାଡି ପାରିଲ, ଆଉ ମୁଁ ସ୍ତ୍ରୀ କଥାରେ ପଡି, ତୁମକୁ କେତେ ନିର୍ଯ୍ଯାତନା ନଦେଇଛି ! ତୁମ ଆଙ୍ଗୁଠି ଧରି ସ୍କୁଲ ଠାରୁ ସାରା ଦୁନିଆ ଚିହ୍ନିଥିଲି । ପ୍ରତିଦାନରେ ଦେଲି କଣ ?” ସୀମା ବିକଳରେ କାନ୍ଦୁଥାଏ “ସବୁ ଦୋଷ ମୋର ବାପା । ଆପଣ ଚାଲି ଆସିଲା ପରେ ମୋ ପୁଅ ମତେ ତାଗିଦ କଲା ସେ ବଡ ହେଲେ ଆମକୁ ବି ଜରାଶ୍ରମରେ ଛାଡିବ । ମୋର ଚେତନା ଆସିଲା, ମୁଁ ତାଙ୍କୁ ଫୋନ କଲି ଆପଣଙ୍କୁ ଫେରାଇ ନେବା ପାଇଁ ଓ ବାଟକୁ ଆସୁଥିଲୁ । ଆପଣଙ୍କ ତ୍ୟାଗର କାହାଣୀ ଶୁଣିଲି । ଆମକୁ କ୍ଷମା କରନ୍ତୁ ବାପା, ଆପଣଙ୍କ ଘରକୁ ଚାଲନ୍ତୁ । ଆଜିଠାରୁ ଆମେ ସେଠାରେ ଆଶ୍ରିତ ହୋଇ ରହିବୁ ତଥା ଭଗବାନଙ୍କୁ ସେବା କରିବାର ସୁଯୋଗ ପାଇବୁ । ଆମକୁ କ୍ଷମା କରନ୍ତୁ ବାପା ।” ନାତି ହଠାତ୍ “ଜେଜେ ଜେଜେଙ୍କର କଣ ହେଲା ?” କହି ଚିତ୍କାର କଲା ବେଳକୁ ସମସ୍ତେ ଦେଖିଲେ ଅନାଥବନ୍ଧୁ ସେମାନଙ୍କୁ କ୍ଷମା କରି ଦେଇ ଚାଲି ଯାଇଛନ୍ତି, ଆର ପାରିକୁ । ଓଷ୍ଠାଧାରରେ ଲାଗିଛି ସରଳ ଶିଶୁର ସ୍ମିତ ହାସ୍ୟ ।