

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ଗାଁରେ ସଟଡାଉନ୍ ସ୍ଥିତି ଯାଞ୍ଚ ବେଳେ ତହସିଲଦାରଙ୍କୁ ଅଟକ ଘଟଣାରେ ୨୦୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହାସହ ଏହି ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ ମଧ୍ୟ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଗାଁ ଛାଡି ଫେରାର ହୋଇଥିବା ଜଣାପଡିଛି । କରୋନା ଭୁତାଣୁର ଆତଙ୍କ ଯୋଗୁଁ ବିଭିନ୍ନ କଟକଣା ଲଗାଯାଇଥିବା ସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳରେ ଖୋଲା ଯାଇଥିବା ଦୋକାନ୍ ବନ୍ଦ କରିବା ସହ ସିଲ୍ କରିବାକୁ ବିରୋଧ କରି ଗ୍ରାମବାସୀ ତହସିଲଦାରଙ୍କ ସହ ଅନ୍ୟ କିଛି ସରକାରୀ କର୍ମଚାରୀଙ୍କୁ ଅଟକ ରଖିଥିଲେ । ସୂଚନା ଅନୁଯାୟୀ ଗତ ରବିବାର ଗାଁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟ ଔଷଧ ଦୋକାନ ଗୁଡିକୁ ସିଲ୍ କରାଯାଇଥିଲା । ପରେ ଗୁରୁବାର ସକାଳେ ତହସିଲ ପ୍ରଶାସନ କଙ୍କୋରଡା ଗାଁରେ ପହଞ୍ଚି ସଟଡାଉନ୍ ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଗ୍ରାମବାସୀ ଘେରାଉ କରିଥିଲେ । ସାନଖେମୁଣ୍ଡି ତହସିଲଦାର ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ବେଳେ ଉଭୟଙ୍କୁ ଅଟକ ରଖିଥିଲେ ସ୍ଥାନୀୟବାସୀ ଏହାସହ କିଛି ଲୋକେ ତହସିଲ୍ ଦାରଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ଶୁକ୍ରବାର ପାଟପୁର ଥାନାରେ କଙ୍କୋରଡାର ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ଥାନାରେ ଏତଲା ଦେଇଥିଲେ l ଏତଲାକୁ ଆଧାର କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରେ ଗତକାଲି ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

