

ପାଟପୁର (ସମୃଦ୍ଧ ଓଡିଶା) ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗିରେ ପାଟପୁର ପୋଲିସ, ଦିଗପହଣ୍ଡି ଓ ବ୍ରହ୍ମପୁର ଅବକାରୀ ବିଭାଗର ଏକ ଘର ଉପରେ ଅତର୍କିତ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ପାଟପୁର ଥାନା ଖଳିଙ୍ଗୀ ପଞ୍ଚାୟତ ସଦର ଗ୍ରାମରେ ବ୍ରହ୍ମପୁର ଅବକାରୀ ବିଭାଗ ଦ୍ଵାରା ପାଟପୁର ପୋଲିସ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ବହୁଦିନ ଧରି ଗ୍ରାମରେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ପାନ ଦୋକାନୀଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣର ନକଲି ମଦ ବୋତଲ ବିଦେଶୀ ମଦ ଜବତ କରାଯାଇଛି । ଧଟପାଗଡର ପୂର୍ବ ସୂଚନା ପାଇ ଦୋକାନ ବନ୍ଦ କରି ଖସି ଯିବା ଅବସରରେ ଅବକାରୀ ଓ ପୋଲିସ ବାହିନୀ ସଜାଗ ରହି ଦୋକାନ ମାଲିକଙ୍କୁ ଅଟକ ରଖିବା ସହିତ ମାଜିଷ୍ଟ୍ରେଟ ତଥା ତହସିଲଦାର ଅମିତ କୁମାର ନାୟକଙ୍କ ନିର୍ଦ୍ଧେଶ କ୍ରମେ ଦୋକାନ କବାଟ ଭାଙ୍ଗି ଦୋକାନରୁ ବିପୁଳ ବିଦେଶୀ ନକଲି ମଦ ସହିତ ମଦ ତିଆରି ସରଞ୍ଜାମ ଜବତ କରାଯାଇ ଜଣକୁ ଗିରଫ କରାଯାଇଛି । ପାଟପୁର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଦିଗପହଣ୍ଡି ଅବକାରୀ ଇନ୍ସପେକ୍ଟର ଅଭିରାମ ସାହୁଙ୍କ ସହିତ ବ୍ରହ୍ମପୁର ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କୁଆର୍ଡ ଅଧିକାରୀ ଓ କର୍ମଚାରୀମାନେ ଏହି ଚଢାଉରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
