ଅବଚେତନ ଜ୍ଞାନ ମଣିଷର କ୍ଷୁଦ୍ର ମସ୍ତିଷ୍କରେ ଅବସ୍ଥିତ ଯାହା ନିଜସ୍ୱ ନିୟନ୍ତ୍ରଣ ବହିର୍ଭୁତ ହୋଇଥାଏ । ଅବଚେତନ ଜ୍ଞାନରୁ ନିର୍ଗତ ବିଚାରଧାରା ସିଧାସଳଖ ମଣିଷର ଭାବଧାରା ଅନ୍ତର୍ଗତ ନହୋଇ କେବଳ ଅଜ୍ଞାତ ଚେତନା ସୃଷ୍ଟି କରିଥାଏ । ମଣିଷ ଜୀବନର ବାସ୍ତବ ଅବାସ୍ତବ କାର୍ଯ୍ୟଶୈଳୀ, ଭାବଧାରା ତଥା ଅଲୌକିକ ବିଚାର ଭଳି ଅନେକ ନିୟନ୍ତ୍ରଣ ବହିର୍ଭୁତ ବିଷୟ ଅବଚେତନ ଜ୍ଞାନ ଅନ୍ତର୍ଭୁକ୍ତ ହୋଇଥିବା ବେଳେ କେତେକ କ୍ଷେତ୍ରରେ ଭାବ ବହିର୍ଭୁତ ବିଷୟ ଗୁଡିଏ ମଧ୍ୟ ଅବଚେତନ ଜ୍ଞାନ ଅନ୍ତର୍ଭୁକ ହୋଇଥାଏ । ସେଗୁଡିକ ମଣିଷକୁ ସ୍ୱପ୍ନ ଆକାରରେ ଦେଖାଯିବା ସହିତ ଅନେକ ସମୟରେ ଚେତନ ଅବସ୍ଥାରେ ମଧ୍ୟ ପ୍ରଭାବିତ କରିଥାଏ । ଅବଚେତନ ଜ୍ଞାନକୁ ମଣିଷ ନିୟନ୍ତ୍ରଣ କରିପାରିବା ଭଳି କୌଣସି ପ୍ରାକୃତିକ ପ୍ରାବନ୍ଧ ରଖିନାହିଁ ଜନ୍ମଦାତ୍ରୀ ପ୍ରକୃତି । ମଣିଷ ନିଜର ଅବଚେତନ ଜ୍ଞାନର ଭୟାବହତା ତଥା ବିପରୀତମୁଖି ପ୍ରକୋପ ଗୁଡିକ ବିଷୟରେ ଆଦୌ ନିୟନ୍ତ୍ରଣ ରଖିନଥିବା ବେଳେ ତାହା ସମୟରେ ଘାତକ ଭଳି କାର୍ଯ୍ୟ କରିଥାଏ ମଣିଷ ପାଇଁ । କି’ନ୍ତୁ ଅବଚେତନ ଜ୍ଞାନକୁ ସନ୍ତୁଳିତ ଅବସ୍ଥାରେ ରଖି ନିଜସ୍ୱ ଜୀବନକୁ ନିୟନ୍ତ୍ରଣ କରିବା କ୍ଷମତା ମଧ୍ୟ କିଛିକାଂଶରେ ରହିଛି ମଣିଷ ପାଖରେ । ଚେତନା ଜ୍ଞାନକୁ କରାୟତ କରି ମଣିଷ ନିଜସ୍ୱ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରେଖା ମଧ୍ୟରେ କାର୍ଯ୍ୟ କରି ପାରିବା କ୍ଷମତା ଭଳି ଅବଚେତନ ଜ୍ଞାନକୁ ନିୟନ୍ତ୍ରିତ କରିବା ଏତେ ସହଜ ନୁହେଁ ! ତଥାପି କିଛି ମାତ୍ରାରେ ନିୟନ୍ତ୍ରିତ କରିହେବ କେମିତି, ଜାଣିବା ଏକ କଷ୍ଟକର ବ୍ୟାପାର ହେଲେ ମଧ୍ୟ ଅସମ୍ଭବ ନୁହେଁ ! ଅବଚେତନ ଜ୍ଞାନ ଅଲୌକିକ ଭାବଧାରା ସୃଷ୍ଟି କରିବାରେ ଯଥେଷ୍ଟ ସାହାଯ୍ୟ କରୁଥିବା ବେଳେ କେତେକ ସମୟରେ ଦାର୍ଶନିକ ଚେତନା ମଧ୍ୟ ସୃଷ୍ଟି କରିଥାଏ ମନରେ ଯାହା ମଣିଷର ଚେତନା ଜ୍ଞାନ ନିୟନ୍ତ୍ରିତ ହୋଇନଥାଏ । ଅନେକ ସମୟରେ ମଣିଷ କେତେକ ଭବିଷ୍ୟଦ୍ରଷ୍ଟା ଚେତନା ପାଇବା ସହିତ ନିଜକୁ ନିଜେ ବିଶ୍ୱାସ କରି ପାରୁନଥିବା ବିଷୟ ଗୁଡିଏ ମନ ମାନସରେ ଆନ୍ଦୋଳିତ ହୋଇଥାଏ ଯାହା ଅବଚେତନ ଜ୍ଞାନର ପ୍ରଭାବ ଜନିତ ହୋଇଥାଏ । ଅବଚେତନ ଜ୍ଞାନର ପ୍ରଭାବ ପରୋକ୍ଷରେ ମଣିଷକୁ ପ୍ରଭାବିତ କରୁଥିବା ବେଳେ ପ୍ରେତ୍ୟେକ୍ଷ ନିୟନ୍ତ୍ରଣ ରହିନଥାଏ ତାହାରି ଉପରେ । ଅବଚେତନ ଜ୍ଞାନକୁ ବୁଝିବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର ଯାହା କେବଳ ସ୍ଥିର ଚିତ୍ତରେ ମାନସ ମନ୍ଥନ ଦ୍ୱାରା କିଂଚିତ ସମ୍ଭବ ହୋଇପାରେ, କି’ନ୍ତୁ ନିଶ୍ଚିତ ନୁହେଁ । ମଣିଷର ଗତିବିଧି, ଭାବଧାରା, ପାରିପାଶ୍ୱର୍ିକ ଆଚରଣ, ପ୍ରଭାବ ଇତ୍ୟାଦି ଜୀବନ ଶୈଳୀର ଦୈନଦିନ କାର୍ଯ୍ୟକ୍ରମ ଉପରେ ଆଧାରିତ ଭିନ୍ନ ଭିନ୍ନ ତତ୍ୱ ସୃଷ୍ଟି ହୋଇଥାଏ ଅବଚେତନ ଜ୍ଞାନରେ, ସ୍ଥଳ ବିଶେଷ, ବ୍ୟକ୍ତି ବିଶେଷକୁ ନେଇ ଯାହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ପାଖରେ ଗଭୀର ଭିନ୍ନତା ପ୍ରଦର୍ଶନ କରିଥାଏ । ଅବଚେତନ ଜ୍ଞାନକୁ କିଞ୍ଚିତ ନିୟନ୍ତ୍ରିତ କରି ରଖିବା ବିଚାର କଲେ ପ୍ରଥମେ ନିଜକୁ ମାୟାରୁ ମୁକୁଳାଇ ସଂସାରର ବାସ୍ତବତା ବିଷୟରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିବାକୁ ହେବ । ଆକାଂକ୍ଷା, ମନ୍ଦ ବିଚାର ମନରୁ ଦୁରେଇ କେବଳ ଶାନ୍ତ ବିଚାରଧାରା ଜାଗ୍ରତ ପୂର୍ବକ ମାନସିକ ଚେତନା ତଥା ଶୀଥିଳତା ସୃଷ୍ଟି କରିବାକୁ ହେବ । ଅସ୍ଥିରତା ବର୍ଜନ କରି କୌଣସି ବିଷୟରେ ବିଚଳିତ ନହୋଇ ଧୀରେ ସୁସ୍ଥରେ କାର୍ଯ୍ୟ ନିର୍ବାହ କରିବାକୁ ହେବ । ଅଧିକନ୍ତୁ ବିଚାରଶୀଳ ମନୋନିବେଶ ପୂର୍ବକ ଧ୍ୟାନମଗ୍ନ ରହି ଚେତନା ଜ୍ଞାନକୁ ସମ୍ପୂର୍ଣ୍ଣ କରାୟତ କରିପାରିଲେ ଅବଚେତନ ଜ୍ଞାନ ଶାନ୍ତ, ସ୍ଥିର ଅବସ୍ଥାରେ ରହି ମଣିଷକୁ ଭାବାବେଗ ତଥା ସାମାଜିକ ଭୟାବହତା ଠାରୁ ଦୁରେଇ ରଖିବାରେ ସହଯୋଗ କରିପାରେ । ଅବଚେତନ ଜ୍ଞାନ ସମ୍ପୂର୍ଣ୍ଣ ଭାବେ ମଣିଷର ନିୟନ୍ତ୍ରଣାଧିନ ହେବା ଅସମ୍ଭବ ! ତଥାପି କୌଣସି ଉଦେ୍ବେଗ, ଉନ୍ମାଦନାପୁର୍ଣ୍ଣ ବିଚାର, ସ୍ୱପ୍ନ ସୃଷ୍ଟି ହେଲେ ମଧ୍ୟ ଯଦି ଚେତନା ଜ୍ଞାନ ନୟନ୍ତ୍ରଣାଧିନ ରହିଥିବ ତାହେଲେ ମଣିଷ ନିଜକୁ ସନ୍ତୁଳିତ କରି ରଖିବାରେ ସମର୍ଥ ହୋଇପାରିବ । ତେଣୁ ମଣିଷ ନିଜର ଚେତନା ଜ୍ଞାନକୁ ମାନବୀୟ ଢଙ୍ଗରେ ସଜାଡି ରଖିଲେ ଅବଚେତନ ଜ୍ଞାନର ଯୁକ୍ତାତ୍ମକ ପ୍ରଭାବ ଅନୁଭବ କରିବା ସମ୍ଭବ ହୋଇପାରେ । ମାନସିକ ସ୍ଥିରତା ତଥା ନିଜକୁ ଶାନ୍ତ ଚିତ୍ତରେ ଅନେକ ସମୟ ଧ୍ୟାନମଗ୍ନ ରହିଲେ ଏହିସବୁ ସମ୍ଭବ ହେବା ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ ।
ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.