

ଭୁବନେଶ୍ୱର,(ସମୃଦ୍ଧଓଡିଶା) ଅବସରପ୍ରାପ୍ତ ଯନ୍ତ୍ରୀ ଅକ୍ରୁର ମହାନ୍ତି(୭୬)ଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ ଘୋଡାପଲାଣ ଗ୍ରାମର ଇଂ. ସ୍ବର୍ଗତ ଅକ୍ରୁର ୧୯୬୩ ମସିହାରେ ଗ୍ରାମ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ୧୯୬୬ ମସିହାରେ ଇଞ୍ଜିନିୟରିଂ ସାରି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ପାଟପୁର, କାଶିନଗର, ନୂଆଗଡ, ଖଲ୍ଲିକୋଟ, ଘୁ. ଉଦୟଗିରି, ଖଜୁରିପଡା, ଚିକିଟି, ପୋଲସରା, କୋଟଗଡ଼, ତୁମୁଡ଼ିବନ୍ଧ, ସାରଙ୍ଗଗଡ଼ ଓ ବାଲିଗୁଡା ଅଞ୍ଚଳରେ କାର୍ଯ୍ୟକରିବା ଅବସରରେ ସେହି ସ୍ଥାନରେ ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ହୋଇ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ସେ ଜଣେ ଅତ୍ୟନ୍ତ କର୍ମଠ, ସଚ୍ଚୋଟ, ମିଷ୍ଟଭାଷୀ ଓ ଶୃଙ୍ଖଳିତ ଥିଲେ। ଶ୍ରୀମଦ୍ ଭଗବତ ଗୀତାର ପ୍ରତିଟି ଶ୍ଲୋକ ତାଙ୍କର କେବଳ କଣ୍ଠସ୍ଥ ନ ଥିଲା, ସେ ତାଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀବନକୁ ସେହି ମହାନ୍ ଗ୍ରନ୍ଥରେ ପ୍ରଦତ୍ତ ଆଦର୍ଶ ଢାଞ୍ଚାରେ ପକାଇବାକୁ ସର୍ବଦା ଚେଷ୍ଟିତ ଥିଲେ। ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ ଓ ଶ୍ରୀମଦ୍ ଭଗବଦ୍ ଗୀତାରେ ପ୍ରଦତ୍ତ ମାନବ ଜୀବନ ବଞ୍ଚିବାର କଳା ଆଦି ପ୍ରସଙ୍ଗ ଉପରେ ତାଙ୍କର ଉପାଦେୟ ଓ ନିଆରା ବିଶ୍ଳେଷଣ ବିଭିନ୍ନ ସମୟରେ ନାନା ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି। ଅସୁବିଧାରେ ପଡ଼ିଥିବା ପରିଚିତ ଓ ଅପରିଚିତ ବ୍ୟକ୍ତିଙ୍କୁ ଆର୍ଥିକ, କାୟିକ ଓ ବାଚିକ ସ୍ତରରେ ସହାୟତା କରିବା ଅକ୍ରୁରଙ୍କ ଜୀବନର ଏକ ଅଙ୍ଗ ପାଲଟି ଯାଇଥିଲା। ସ୍ବର୍ଗତ ଅକ୍ରୁରଙ୍କ ପୁତ୍ର ନଳିନୀ ବ୍ରହ୍ମପୁର ମେଡିକାଲ କଲେଜରେ ସୁପର ସ୍ପେଶାଲିଷ୍ଟ ଡକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ବାପାଙ୍କ ମୃତ୍ୟୁ ସମ୍ପର୍କରେ ନଳିନୀ କହିଛନ୍ତି ଯେ, ଈଶ୍ୱରଙ୍କ ଇଛା ଆଗରେ ମଣିଷର ଜ୍ଞାନ ଗାରିମା ଏପରିକି ଆଧୁନିକ ଚିକିତ୍ସା ବିଜ୍ଞାନ କେତେ ଅସହାୟ ତାହା ସେ ନିଜେ ଅନୁଭବ କରିପାରିଛନ୍ତି। ମାତ୍ର ଅଧ ଘଣ୍ଟାଏ ସମୟ ମଧ୍ୟରେ କିଭଳି ଜଣେ ସୁସ୍ଥ ବ୍ୟକ୍ତି ସବୁ ପ୍ରକାର ଡାକ୍ତରୀ ଚିକିତ୍ସାର ଉପଲବ୍ଧତା ସତ୍ବେ ଆରପାରିକୁ ଚାଲିଯାଏ ତାହା ତାଙ୍କ ବାପାଙ୍କ ମୃତ୍ୟୁ ଜରିଆରେ ଅଙ୍ଗେ ନିଭାଇଛନ୍ତି। ଈଶ୍ୱରନିଷ୍ଟ ଓ ସାଧୁ ମନୋଭାବାପର୍ଣ୍ଣ ବ୍ୟକ୍ତି ମୃତ୍ୟୁ ସମୟରେ ପରମାତ୍ମାଙ୍କ ନାମ ନେଇ ଯନ୍ତ୍ରଣାକୁ କିଭଳି ସ୍ବୀକାର କରିନିଏ ତାହା ବି ସେ ଦେଖିଛନ୍ତି ବାପା ଅକ୍ରୁରଙ୍କ ମୃତ୍ୟୁ ସମୟରେ।
ରିପୋର୍ଟ : ରଜତ କୁମାର ମହାପାତ୍ର