ଅବସରପ୍ରାପ୍ତ ଯବାନଙ୍କ ସମାବେଶରେ ଗଂଜାମ ଜିଲ୍ଲାପାଳ:ଯବାନଙ୍କ ଅବଦାନକୁ ଭୁୟସୀ ପ୍ରଶଂସା

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା)-ଅବସର ପ୍ରାପ୍ତ ଆର୍ମି ଯବାନଙ୍କ ଏକ ବିରାଟ ସମାବେଶ ଗୋପାଳପୁରରେ ଥିବା ଆର୍ମି ଏୟାର ଡିଫେନ୍ସ କଲେଜରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯବାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କର ଆବଶ୍ୟକତା ସମୟସୀମା ମଧ୍ୟରେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ପ୍ରଶାସନିକ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିଲେ । ମୁଖ୍ୟବକ୍ତା ଗୋପାଳପୁର ଏଡିଜିଏମ୍‍ ସେଣ୍ଟରର କମାଣ୍ଡାଣ୍ଟ ବ୍ରିଗେଡିୟର ରାଜୀବ ଶ୍ରୀବାସ୍ତବ ଏକ୍ସ ଆର୍ମିଙ୍କ ପେନସନ, ନିଯୁକ୍ତି, ଶିକ୍ଷା, ସ୍କଲାରସିପ୍‍, ସ୍ୱାସ୍ଥ୍ୟ ଯୋଜନା, ଝିଅମାନଙ୍କ ବିବାହ ଅର୍ଥ ପ୍ରଦାନ, ୭ମ ବେତନ ଅର୍ଥ ପ୍ରଦାନ, ଭିନ୍ନକ୍ଷମଙ୍କ କିଭଳି ସୁବିଧା ସୁଯୋଗ ମିଳିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସୈନିକ ବୋର୍ଡ଼ର ସମ୍ପାଦକ କର୍ଣ୍ଣଲ୍‍ ଆର୍‍.କେ. ମିଶ୍ର, ଗଞ୍ଜାମ ଜିଲ୍ଲା ସୈନିକ ବୋର୍ଡ଼ର ସଭାପତି ଏଲ୍‍.କେ. ଆଚାରୀ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ । ଅବସରପ୍ରାପ୍ତ ନାରାୟଣ ମହାନ୍ତି, କର୍ଣ୍ଣାଲ୍‍ ବି.କେ. ପଟ୍ଟନାୟକ ଉପସ୍ଥିତ ଥିଲେ । ସଭାରେ ବିଭିନ୍ନ ଯୁଦ୍ଧରେ ସହିଦ୍‍ ହୋଇଥିବା ୩୬ଜଣ ଯବାନମାନଙ୍କ ପିତା,ମାତା ଏବଂ ପତ୍ନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଢେଙ୍କାନାଳ ନିବାସୀ ଦିଲ୍ଲୀପକୁମାର ବିଶ୍ୱାଳ କାର୍ଯ୍ୟରତ ଥିବା ବେଳେ ରେଳଯାତ୍ରାରେ ଡାହାଣ ଗୋଡ କଟିଯିବା ହେତୁ ତାଙ୍କୁ ଅବସର ଦିଆଯାଇଥିଲା । ଏହି ଅବସରରେ ତାଙ୍କୁ ତିନିଚକିଆ ଟିଭିଏସ୍‍ ସ୍କୁଟି ପ୍ରଦାନ କରାଯାଇଥିଲା । ସମାବେଶରେ ଦକ୍ଷିଣ ଓଡ଼ିଶାର ୧୧ଟି ଜିଲ୍ଲାରୁ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ଏକ୍ସ ଆର୍ମି ପରିବାର ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ୍‍ ମାଧ୍ୟମରେ ବିଭିନ୍ନ ପଞ୍ଜୀକରଣ, ଭ୍ରମ ସଂଶୋଧନ, ସୂଚନା ଉପରେ ଆଲୋଚନା କରାଯାଇଥିଲା ।