ଅମ୍ପନ ପରେ ଚୋରା କାଠ ମାଫିଆ ସକ୍ରିୟ : ପଶ୍ଚିମବଙ୍ଗକୁ ଚାଲାଣ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁପର ସାଇକ୍ଲୋନ ପରେ ଜଳେଶ୍ୱର ବ୍ଲକ ଅଞ୍ଚଳର ବିଭିନ୍ନ ଜଙ୍ଗଲ ସ୍ଥାନ ଗୁଡିକରେ ବଡ ବଡ ଗଛ ଏପରିକି ଗ୍ରାମ୍ୟ ଜଙ୍ଗଲ ଗୁଡିକରେ ଗଛ ଗୁଡିକ ଓଲିଟି ପଡିଥିଲା । କିନ୍ତୁ କେତେକ ଚୋରା କାଠ ମାଫିଆ ଏ ସବୁକୁ ପ୍ରକାଶ୍ୟ ଦିବାଲୋକରେ କାଟି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ବେଳେ ବିଭାଗୀୟ କର୍ମକର୍ତ୍ତାଙ୍କ ଉଦାସୀନତା ସେମାନଙ୍କ ସ୍ୱଚ୍ଛତାପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଘଟଣାରୁ ପ୍ରକାଶ ବାଲେଶ୍ୱର ଜିଲାର ରାଇବଣିଆ ଥାନା ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁରର ସୁବର୍ଣ୍ଣରେଖାର ନଦୀ ପଠାରେ ଗ୍ରାମ୍ୟ ଜଙ୍ଗଲ ରହିଛି । ବିଭିନ୍ନ ସମୟରେ ଏଠାରୁ ଚୋରାରେ କାଠ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଗତ ସୁପର ସାଇକ୍ଲୋନ ପରେ ଏପରି କାରବାର ବୃଦ୍ଧି ପାଇଛି । ଗ୍ରାମର କତିପୟ ଲୋକଙ୍କୁ ଚୋରା କାଠ ମାଫିଆ ମାନେ ବସ କରି ଉପାଡି ପଡିଥିବା ଝାଉଁ, ୟୁକାଲିପଟାସ, ଆକାସିଆ ଗଛ ଗୁଡିକୁ କାଟି ନଦୀରାସ୍ତାରେ ପଶ୍ଚିମବଙ୍ଗକୁ ନେଇ ଯାଇଥିବାର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହି କାଠ ଗୁଠିକ ଜଙ୍ଗଲ ବିଭାଗ ଦ୍ୱାରା ସଂଗ୍ରହ୍ କରାଯାଇ ନିଲାମ ହେବା କଥା । ନିଲାମ ପୂର୍ବରୁ ଗ୍ରାମ୍ୟବାସୀଙ୍କୁ ସଂଗ୍ରୃହିତ କାଠର ୫୦ପ୍ରତିଶତ ଦିଆଯିବା ପରେ ଅନ୍ୟ ୫୦ ପ୍ରତିଶତ ବିକ୍ରି କରାଯାଇଥାଏ । କିନ୍ତୁ ଦକ୍ଷିଣ ପ୍ରହରାଜପୁର ଜଙ୍ଗଲରେ ସେପରି ହେଉନଥିବାର ଗ୍ରାମବାସୀଙ୍କ ପକ୍ଷରୁ ଜଗନ୍ନାଥ ବେହେରା, ତପନ କୁମାର ଦାଦ, କାର୍ତ୍ତିକ ସେଠୀ, ଗୌରୀ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଆଜି ଜଳେଶ୍ୱର ରେଂଜର ସରୋଜ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ସୁପର ସାଇକ୍ଲୋନ ଦ୍ୱାରା ଉପାଡି କିମ୍ବା ଭାଂଗି ପଡିଥିବା ଗଛର ଅଧା ଗ୍ରାମବାସୀଙ୍କୁ ସେମାନଙ୍କ ଖର୍ଚ୍ଚଲାଗି ଦିଆଯାଇଛି ଓ ଅନ୍ୟ ଅଧା ଅଂଶ ଏଫ୍ରଷ୍ଟେସନ ବିଭାଗ ବିକ୍ର କରାଯିବ । ସେଠାରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ କାଠ ସଂଗୃହିତ ହେଉଥିବାରୁ ତାହା ଚୋରୀ ହୋଇନଥିବା କହିଥିଲେ । ମାତ୍ର ଏ ସଂପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ ହେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା