ଅଯୋଧ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ବିଧାନ ବିରୋଧୀ : ସିପିଆଇଏମ୍…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ବର୍ଷରେ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ସୁପ୍ରିମ କୋର୍ଟ ରାୟ ପ୍ରକାଶ ପାଇବା ପରେ ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ । ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ସମ୍ବିଧାନକୁ ରକ୍ଷା କରିବାକୁ ଶପଥ ନେଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଏବେ ଘୋଷଣା କରିଛନ୍ତି ଯେ ସରକାର ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବ । ସରକାରଙ୍କ ପକ୍ଷରୁ ମନ୍ଦିର ମସ୍ଜିଦ୍ ବା ଗୀର୍ଜା ନିର୍ମାଣ କରିବାକୁ ସମ୍ବିଧାନ ନିର୍ଦ୍ଦେଶ ଦେଇନାହିଁ । ତଥାପି ପ୍ରଧାନମନ୍ତ୍ରୀ କିପରି ଘୋଷଣା କରୁଛନ୍ତି ଯେ ସୁପ୍ରିମ କୋର୍ଟ ନିଷ୍ପତି ପରେ ସରକାର ମନ୍ଦିର ନିର୍ମାଣ ନିମନ୍ତେ ପଦକ୍ଷେପ ନେବେ ବୋଲି ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ସଂପୂର୍ଣ୍ଣଭାବେ ସମ୍ବିଧାନ ବିରୋଧୀ ତଥା ନ୍ୟାୟପାଳିକା ପ୍ରତି ଏକ ଧମକ । କେନ୍ଦ୍ର ସରକାର କୌଣସି ଧର୍ମ ବ୍ୟାପରରେ ହସ୍ତକ୍ଷେପ କରିବା ସମ୍ବିଧାନ ବିରୋଧି ପଦକ୍ଷେପ ହେବ । ସି.ପି.ଆଇ.(ଏମ୍) ପକ୍ଷରୁ କେରଳର ମହିଳାମାନଙ୍କ ଆଲୌକିକ ୬୨୦ କିଲୋମିଟର ବ୍ୟାପୀ ମହିଳା ପ୍ରାଚୀର ପଦକ୍ଷେପକୁ ଅଭିବାଦନ ଜ୍ଞାପନ କରାଯାଇଛି । ଜାତି, ଧର୍ମ ଓ ସଂପ୍ରଦାୟ ନିର୍ବିଶେଷରେ ସମଗ୍ର କେରଳର ୫୦ ଲକ୍ଷରୁ ଉଦ୍ଧ୍ୱର୍ ମହିଳା ମନୁବାଦ ବିରୋଧରେ ଓ ମହିଳାଙ୍କ ପ୍ରତି ବିଦ୍ୱେଷ ବିରୋଧରେ ଯେଉଁ ଅଭିଯାନ ସଂଗଠିତ କରିଛନ୍ତି, ତାହା ସମଗ୍ର ଦେଶକୁ ଆଲୋକ ଦେଖାଇବ ବୋଲି ସି.ପି.ଆଇ.(ଏମ୍) ଦୃଢ ମତବ୍ୟକ୍ତ କରୁଛି ବୋଲି ସେ କହିଛନ୍ତି । ରିପୋର୍ଟ : ଆକାଶ ମିଶ୍ର