ଅର୍ଦ୍ଧଶତାୟୁ ଅନୁଷ୍ଠାନ ମଣ୍ଟଫୋର୍ଟ ସ୍କୁଲରେ ଅନ୍ତଃ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ଆର୍ଟ ଓ କ୍ରାଫ୍ଟ ପ୍ରଦର୍ଶନୀ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଅର୍ଦ୍ଧଶତାୟୁ ଅନୁଷ୍ଠାନ ମଣ୍ଟଫୋର୍ଟ ସ୍କୁଲର ୫୦ବର୍ଷ ପୂର୍ତ୍ତି ପାଳନ ତଥା ସ୍ବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ଓ ଅନ୍ତଃ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ଆର୍ଟ ଓ କ୍ରାଫ୍ଟ ପ୍ରଦର୍ଶନୀ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ଅଧ୍ୟକ୍ଷ ସରକାରୀ ପଲିଟେକନିକ ଇଂ ଦୁର୍ଗା ଚରଣ ବେହେରା, ପ୍ରଫେସର ଧନେଶ୍ୱର ସାହୁ, ବିଶିଷ୍ଟ ହେତୁବାଦୀ, ସମାଜ ସଂସ୍କାରକ ତଥା ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଅବିତର ଚେଷ୍ଟିତ ଶିକ୍ଷାବିତ, ସମ୍ମାନିତ ଅତିଥି ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ମଣ୍ଟଫୋର୍ଟ ସ୍କୁଲ ପ୍ରାକ୍ତନ ଛାତ୍ର ଓ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ମଣ୍ଟଫୋର୍ଟ ସ୍କୁଲର ଅଧ୍ୟକ୍ଷ ଫାଦର ଫିଲିପ ସେବାଷ୍ଟାଇନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଉଭୟ ପ୍ରଦର୍ଶନୀକୁ ଶୁଭ ଉଦଘାଟନ କରି ସ୍ୱୀୟ ବକ୍ତବ୍ୟରେ ଆଜିର ବିଜ୍ଞାନ ଯୁଗରେ ବିଜ୍ଞାନ ହିଁ ବିଶ୍ୱର ସର୍ବାଙ୍ଗୀନ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରି ଏକ ବୈପ୍ଲବିକ ପରିବର୍ତ୍ତନର ସୂତ୍ରଧର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତେ ବିଜ୍ଞାନ ମନସ୍ଥ ହୋଇପାରିଲେ ସମାଜରୁ ଅଣବିଶ୍ୱାସୀ ଓ କୁସଂସ୍କାର ଦୂରୀଭୂତ ହୋଇପାରିବ ଓ ଶିକ୍ଷାର ବିକାଶ ହିଁ ବିଶ୍ୱର ବିକାଶର ଚାବିକାଠି ବୋଲି ଦ୍ରୁତ ମତପୋଷଣ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ବିଜ୍ଞାନ ପ୍ରଦର୍ଶନୀରେ ବିଦ୍ୟାଳୟ ସ୍ତରରେ ପ୍ରାୟ ୭୫୦ଟି ପ୍ରକଳ୍ପ ପ୍ରଦର୍ଶନ କରାଯିବା ସଙ୍ଗେ ସଙ୍ଗେ ଅନ୍ତଃ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ, ଦିଲ୍ଲୀ ପବ୍ଲିକ ସ୍କୁଲ ଓ ସେଣ୍ଟ ଜାଭିୟର୍ସ ସ୍କୁଲ, ଢେଙ୍କାନାଳର ଅନେକ ପ୍ରକଳ୍ପ ମଧ୍ୟ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏତଦବ୍ୟତୀତ ଆର୍ଟ ଏବଂ କ୍ରାଫ୍ଟ ପ୍ରଦର୍ଶନୀରେ ବିଦ୍ୟାଳୟର ସହସ୍ରାଧିକ ଚିତ୍ରକଳା ଓ ଧଳାମୂଳକ କଳାକୃତି ପ୍ରଦର୍ଶିତ ହୋଇଥିଲା । ଏହାକୁ ବିଦ୍ୟାଳୟର ପ୍ରାୟ ୧୨୦୦ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଅଭିଭାବିକ, ପିତାମାତା, ସ୍କୁଲ କମିଟିର ସଦସ୍ୟ ସଦସ୍ୟା, ଅନ୍ୟାନ୍ୟ ଦର୍ଶକ ମଣ୍ଡଳୀ ବୁଲି ଦେଖିଥିଲେ ଓ ଉଭୟ ପ୍ରଦର୍ଶନୀର ଉଚ୍ଚ ପ୍ରଶଂସା କରିଥିଲେ । ଏହି ପ୍ରଦର୍ଶନୀ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସମ୍ମିଳିତ ଉଦ୍ୟମରେ ଏକ ଖାଦ୍ୟ ମେଳା ଉପସ୍ଥିତ ସମସ୍ତଙ୍କ ପାଇଁ ଅତ୍ୟନ୍ତ ରୁଚିକର ହୋଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ବୃନ୍ଦଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ ବୋଲି ମଣ୍ଟଫୋର୍ଟ ସ୍କୁଲ ଅଧ୍ୟକ୍ଷ ଫାଦର ଫିଲିପ ସେବାଷ୍ଟାଇଲ ମତ ପ୍ରକାଶ କରିବା ସଂଗେ ସଂଗେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି