ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ୧୯ଟି ସେବା ସମବାୟ ସମିତି ଥିବା ବେଳେ ଅଲାଲପୁର ସର୍ବବୃହତ ସମବାୟ ସମିତି । ଏଠାରେ ଚଳିତବର୍ଷ ସମସ୍ତ ଉତ୍ପାଦନ ଧାନ କିଣିବାର ବ୍ୟବସ୍ଥା ଯୋଗାଣ ବିଭାଗ କରିନଥିବାରୁ ଆଜି ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ପୂର୍ବହ୍ନଠାରୁ ସମ୍ପାଦକଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟ ମଧ୍ୟରେ ଅଟକ ରଖି ତାଲା ପକାଯାଇଥିବା ଜଣାଯାଇଛି । ଅଲାଲପୁର ସେବା ସମବାୟ ସମିତି(ପ୍ୟାକ୍ସ) ଅଧିନରେ ଚଳିତବର୍ଷ ଯୋଗାଣ ବିଭାଗ ୭୩୪ଜଣ ଚାଷୀଙ୍କ ନାମ ପଂଜିକରଣ କରିଛି । ଉତ୍ପାଦିତ ସବୁଧାନ କିଣିବାର ବ୍ୟବସ୍ଥା ହୋଇନଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୯୧୭ କ୍ୟୁଣ୍ଟାଲ ଧାନ କିଣିବାକୁ ଜିଲାପ୍ରଶାସନ ଅଲାଲପୁର ପ୍ୟାକ୍ସକୁ ଅନୁମତି ଦେଇଛି । ଅଦ୍ୟାବଧି ବହୁ ଟୋକନ୍ଧାରୀ ଧାନ ଦେଇପାରି ନାହାନ୍ତି । ପୂର୍ବରୁ ଟୋକନ ତାରିଖର ୧ ମାସ ମଧ୍ୟରେ ଧାନ ଦେବାକୁ ନିୟମ ଥିବା ବେଳେ ଏବେ ୧୨ ଦିନ ସମୟ ରଖାଯାଇଛି । ମେ ମାସ ୧୦ ତାରିଖରୁ ଜଳେଶ୍ୱରରେ ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ୧୭ ତାରିଖ ପର୍ଯ୍ୟନ୍ତ ମିଲର ମାନେ ପହଞ୍ଚିନଥିବାରୁ ଧାନ କିଣାଯାଇପାରିନଥିଲା । ଅଦ୍ୟାବଧି ଚାଷୀଙ୍କଠାରୁ ୫୪୦୦ କ୍ୟୁଣ୍ଟାଲ ଧାନ କିଣା ଯାଇଛି । ଚାଷୀଙ୍କର ସବୁଧାନ କିଣିବାକୁ ଦାବି ହେଉଥିବା ବେଳେ ଆଜି ଜିଲା ପ୍ରଶାସନ ୭ଶହ କ୍ୟଣ୍ଟାଲ ଧାନ ଅଧିକ କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଚାଷୀମାନେ ୧୦ ହଜାର କ୍ୟୁଣ୍ଟାଲ ଧାନ ବିକ୍ରିକରିବାକୁ ଅଡିଧରି ବସିଛନ୍ତି ଓ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ତାଲା ପକାଇ ବସିଛନ୍ତି । ଆଜି ସୁଦାମ ପାତ୍ର, ସଂଜୀବ କୁମାର ରାୟ, ସୁଜିତ୍ କୁମାର ଦେ, ରତ୍ନାକର ସିଂ, ଦିବାକର ସିଂ, ରବିନ୍ଦ୍ର ସାମଲ, ଅମ୍ବିକାଶେଖର ପ୍ରଧାନ, ଭାସ୍କାର ଚେନ୍ଦ୍ର ପରିଡା, ଶିବଚରଣ ବରିଡା ପ୍ରମୁଖ ନେତୃତ୍ୱରେ ଶତାଧିକ ଚାଷୀ ପୂର୍ବାହ୍ନ ଠାରୁ ସଂଧ୍ୟା ପର୍ଯ୍ୟନ୍ତ ସମବାୟ ସମିତି ଆଗରେ ଆନ୍ଦୋଳନରେ ବସିଛନ୍ତି । ଖବର ଲେଖା ପର୍ଯ୍ୟନ୍ତ କୌଣସି ଅଧିକାରୀ ୟଘଟଣାସ୍ଥଳରେ ପହଞ୍ଚିନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି ।