ଛତ୍ରପୁର (ସମୃଦ୍ଧ ଓଡିଶା) ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ବେରୋଜଗାରୀ ବଢୁଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଜାଲ ସାର୍ଟିଫିକେଟ ମାଧ୍ୟମରେ ନିଯୁକ୍ତି ଦ୍ୱାରା ଉଚ୍ଚ ଶିକ୍ଷିତ ଯୁବକ ଓ ଯୁବତୀମାନେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେବା ନିଶ୍ଚିତ ଭାବେ ସରକାର ଓ ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଉଛି । ସରକାର ୫ଟି କଥା କହୁଥିବା ବେଳେ ସ୍ୱଚ୍ଛ ଶାସନରେ ଜାଲ ନିଯୁକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗଞ୍ଜାମ ଜିଲ୍ଲାରେ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ସମୟରେ ଜାଲ ଦଶମ ବୋର୍ଡ, +୨ କାଉନସିଲର, +୩ ବିଶ୍ୱବିଦ୍ୟାଳୟ, ସ୍ନାତକ, ସିଟି, ବିଇଡି, ଜାତିଗତ ପ୍ରମାଣ ପତ୍ର, ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରତିଶତ ବଢାଇବା, ଜନ୍ମ ତାରିଖ ପରିବର୍ତ୍ତନ ଭଳି ଘଟଣା ସବୁ ଘଟିଛି । ମାର୍କ ଟାମ୍ପରିଙ୍ଗ କରି ବିଇଡି ଓ ସିଟିରେ ନାମ ଲେଖାଇବା ଏବଂ ବାହାର ରାଜ୍ୟରୁ ଶିକ୍ଷାଗତ ପ୍ରମାଣ ପତ୍ର ଯୋଗାଡ଼ କରି ନିଯୁକ୍ତିକୁ ହାତେଇବା ସହ ଦରମା ବାବଦକୁ ଅର୍ଥ ରାଜକୋଷରୁ ହରିଲୁଟ କରିବା ଦଣ୍ଡନୀୟ ଅପରାଧ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ମୁନା ନାୟକ, ଜିଲ୍ଲା ଉପସଭାପତି ନୃସିଂହ ଚରଣ ସ୍ୱାଇଁ, ପୋଲସରା ଆଞ୍ଚଳିକ ନେତା ସନ୍ତୋଷ କୁମାର ପଣ୍ଡା, ଚାଷୀ ନେତା ଯୋଗେନ୍ଦ୍ର ସ୍ୱାଇଁ, ଜିଲ୍ଲା ଉପସଭାପତି ରକେଶ ଦାସ, ଯୁବ ନେତା ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ସଭାପତି ମୁଥୁନ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରନା ପଣ୍ଡା