








ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହେଉଛି ‘ବିଜୟା ଦଶମୀ’। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସହର ଓ ଗାଁ ଗହଳରେ ଆଜି ବିଜୟା ଦଶମୀ ବେଶ ଆଡମ୍ବର ସହକାରେ ପାଳନ କରାଯାଉଛି । ରାଜଧାନୀରେ ଆଜି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡି କରାଯାଉଛି । ଝାରପଡ଼ା ପୂଜା ମଣ୍ଡପ ପକ୍ଷରୁ ରାବଣପୋଡ଼ି ସମ୍ପନ୍ନ ହୋଇଛି । ଏଥିରେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ରାବଣର ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲେ । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ସମ୍ପନ୍ନ ହୋଇଛି । ଏଥିରେ ମୁଖ୍ୟଅତିଥିଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଅଗ୍ନି ସଂଯୋଗ କରିଥିଲେ । ଅନ୍ୟତମ ଅତିଥିଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ । ରାବଣପୋଡ଼ି ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା । ସେହିପରି ଷ୍ଟିଲ୍ ସିଟି ରାଉରକେଲା ସେକ୍ଟର ୩ରେ ସମ୍ପନ୍ନ ହୋଇଛି ରାବଣପୋଡ଼ି ଉତ୍ସବ । ବିଜେପି ସାଂସଦ ଜୁଏଲ୍ ଓରାମ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ରାବଣର ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲେ। ସେପଟେ ସମ୍ବଲପୁର ସାକ୍ଷୀପଡ଼ା ଓ ମୋଦିପଡ଼ାରେ ସମ୍ପନ୍ନ ହୋଇଛି ରାବଣପୋଡ଼ି କାର୍ଯ୍ୟକ୍ରମ । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ରାବଣର ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲେ । ସେହିଭଳି ବ୍ରହ୍ମପୁର ଓ ଛତ୍ରପୁର ସହରରେ ମଧ୍ୟ ବିଜୟା ଦଶମୀ ବହୁ ଆଡମ୍ବରରେ ପାଳନ କରାଯାଇଛି । ବିଭିନ୍ନ ସ୍ଥାନର ଦୁର୍ଗା ମେଢ଼ ଦେଖି ମଜା ନିଅନ୍ତୁ ଭକ୍ତି ସହକାରେ ଦୀପ ଟିଏ ଜାଳି ଶାନ୍ତି ମୈତ୍ରୀ ଭାବ ବଢାଇବା ପାଇଁ ପ୍ରାର୍ଥନା କରନ୍ତୁ ।
ରିପୋର୍ଟ : ଜିଲ୍ଳା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
