ଛତ୍ରପୁର (ସମୃଦ୍ଧ ଓଡିଶା) ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ଦିନ ସନ୍ଧ୍ୟାରେ ୬୦ ଜଣ ଗରୀବ ଅସହାୟ ମହିଳା ଏବଂ କିଛି ଦଳିତ ପୁରୁଷ ଶ୍ରେଣୀର ଲୋକଙ୍କୁ ପୁଣି ସହାୟତା ଯୋଗାଇ ଦିଆଯାଇଛି । କୋରନା ମହାମାରୀ ସମୟରେ ଜୀବନ ଜୀବିକା ହରାଇ ହନ୍ତସନ୍ତ ହୋଇଥିବା ଛତ୍ରପୁର ଅଞ୍ଚଳର କିଛି ଲୋକଙ୍କୁ ଏକ ମାସର ଶୁଖିଲା ଖାଦ୍ୟ ଅବା ରାସନ ଯୋଗାଇ ଦିଆଯାଇଛି । ଏହି ସହରର ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗୀୟ ଏସ.ଭି.ରାମାକ୍ରିଷ୍ଣା ରାଓଙ୍କ ସ୍ମରଣେ ତାଙ୍କ ଅନ୍ତେ ତାଙ୍କ ଜ୍ୟେଷ୍ଠ ପୁତ୍ର ଏସ.ରାମପ୍ରଭାକର ରାଓ ଏବଂ ବଧୂ ଏସ.ରମାଦେବୀ ଏହି ଧାର୍ମିକ କାର୍ଯ୍ୟରେ ପୃଷ୍ଠପୋଷକତା କରିଆସୁଛନ୍ତି । ଏହି ସହାୟତା ବିତରଣରେ ଛତ୍ରପୁରର ଅଗ୍ରଣୀ ସଂଗଠନ ୟୁଥ ମାସ ସେବା ସଂଘ ପରିଚାଳନା ଦାୟିତ୍ୱ ରେ ସହଯୋଗ କରିଛନ୍ତି । ଏଠାରେ ସ୍ମରଣ ଯୋଗ୍ୟ ଯେ’ ଛତ୍ରଘରରୁ ଛତ୍ରପୁର ଭାବେ ନାମିତ ହୋଇଥିବା ଏହି ସହରର ପରମ୍ପରା ଓ ଇତିହାସକୁ ଅନୁଧ୍ୟାନ କଲେ, ଜଣାଯାଏ ଯେ’ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଅନ୍ନଛତ୍ର ସହାୟତା ସେବା ବହୁ ପ୍ରାଚୀନ ପରମ୍ପରା ଅଟେ । ଏହି ପ୍ରାଚୀନ ପରମ୍ପରା ଏବେ ବି ରହସ୍ୟମୟ ଅଟେ । ଅଧୂନା ଯେଉଁଠି ରିକାପଲ୍ଲୀ ଠାରେ କଲ୍ୟାଣ ମଣ୍ଡପ ନିର୍ମିତ ହୋଇଛି । ସେଇଠି ଥିଲା ଛତ୍ରଘର । ଛତ୍ରଘରକୁ ପ୍ରାଚୀନ କାଳରେ ସନ୍ୟାସୀ, ବାବାଜୀ, ସାଧୁ, ସନ୍ଥ-ସନ୍ୟାସୀ ଗଣ, ଆଗନ୍ତୁକ, କେଉଁଆଡ଼ୁ ଭ୍ରମଣ କରି ଆସିଥିବା ଅତିଥି, ଗରୀବ ଭିକ୍ଷୁକ, ଅବଧୂତ/ଦେବାଳିଆ, ଗରୀବ, ନିରାଶ୍ରୟ ମାନେ ଏଠି ଆଶ୍ରୟ ପାଉଥିଲେ । ଯାହାକୁ ଯେଭଳି ସମ୍ମାନ ପ୍ରଦର୍ଶନ ବି ଏଠାରେ ଭିନ୍ନ ଭିନ୍ନ ସ୍ଥାନ ରେ ସେବା ବ୍ୟବସ୍ଥା କରାଯାଉଥିଲା । ଗରୀବ ଅସହାୟ ଲୋକଙ୍କୁ ଏବଂ ସରକାରୀ କାର୍ଯ୍ୟକ୍ଷେତ୍ରରେ ଆସୁଥିବା ଲୋକଙ୍କୁ ମଧ୍ୟ ଏହି ଛତ୍ରଘରେ ରହିବା, ଖାଇବା ଆଦି ଅତିଥି-ସତ୍କାର ର ବ୍ୟବସ୍ଥ ଥିଲା ବୋଲି କୁହାଯାଏ । ପରିବର୍ତ୍ତିତ ସହର ଛତ୍ରପୁରର ଏହି ଅଞ୍ଚଳରେ ଏବେ ବି ଏହି ସୁନାମକୁ ଭିତ୍ତି କରି ଏହି ନଗରର ନାମ ଛତ୍ରପୁର ହୋଇଥିବା କୁହାଯାଏ । ଗରୀବ, ଅସହାୟଙ୍କୁ ଏବଂ ବନ୍ୟା ବାତ୍ୟା ମରୁଡି, ମହାମାରୀରେ ପ୍ରପୀଡ଼ିତ ଏବଂ ବିଭିନ୍ନ କ୍ଷେତ୍ରରେ କବଳିତ ଲୋକମାନେ ଏଠାକୁ ଆସିଲେ, ସେହି ଛତ୍ରଘରେ ଅନ୍ନଛତ୍ର ସହାୟତା ଅବା ରନ୍ଧା ଖାଦ୍ୟ ଦୁଇ ଓଳି ପେଟ ପୂରା ଖାଇବାକୁ ମିଳୁଥିଲା । ମାଡ୍ରାସପ୍ରେସିଡେନ୍ସି ସମୟରେ ଏଠାରେ ଥିବା କମା-ବ୍ରାହ୍ମୀନ ଧର୍ମୀ-ଧନୀ ଶ୍ରେଣୀର ଲୋକେ ପ୍ରତିଟି ସମୟରେ ଗରିବ ଅସହାୟଙ୍କୁ ଖାଇବାକୁ ଦେଉଥିଲେ । ତା’ ସାଂଗକୁ ଜୋତା, ଛତା, ପିନ୍ଧିବାକୁ ବସ୍ତ୍ର ଖଣ୍ଡିଏ ବି ଦେଉଥିଲେ । ସର୍ବୋପରି ଛତ୍ରପୁର ସହରରେ ଏହି ଅସହାୟ ଗରିବଙ୍କୁ ସହାୟତା ପ୍ରଦାନ କରିବା ପରମ୍ପରା ଏବେ ବି ରହି ଆସିଛି । ଅଧୂନା ଧନୀଶ୍ରେଣୀର ଲୋକେ ତେଲୁଗୁ କୁମୁଟୀ ଏବଂ ଅନ୍ୟ ବୈଶ୍ୟ ସମ୍ପ୍ରଦାୟର ଲୋକେ ସାମୂହିକ ଭାବେ ଏହି ପ୍ରଥା ପ୍ରଚଳନ କରି ଏହି ପରମ୍ପରା ବଜାୟ ରଖି ଆସି ସହରର ଗୌରବ ରକ୍ଷା କରି ଆସିଛନ୍ତି ।