
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁରୁଣା ତଥା ଅଦରକାରୀ ଜିନିଷର ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରି ସଫଳତା ପାଇଥିବା ବ୍ରହ୍ମପୁର ସରକାରୀ ଆଇଟିଆଇର ବିଦ୍ୟାର୍ଥୀମାନେ ପୁଣି ଚଳିତ ବର୍ଷ ଏକ ଜିରାଫ ନିର୍ମାଣ କରୁଛନ୍ତି । ଆଇଟିଆଇରେ ପଢ଼ୁଥିବା ୱେଲଡ଼ର, ଫିଟର, ପେଇଣ୍ଟର ଓ ଟର୍ଣ୍ଣର ଟ୍ରେଡ଼ର ୩୫ ଛାତ୍ର ମିଳିତ ଭାବେ ୩୨ ଫୁଟ ଉଚ୍ଚତା ଓ ୧୨ ଫୁଟ ପ୍ରଶସ୍ତ ବିଶିଷ୍ଟ ସ୍କାର୍ପ ଜିରାଫ ତିଆରିରେ ଲାଗିଛନ୍ତି । ସମ୍ପୂର୍ଣ୍ଣ ଜିରାଫ ନିର୍ମାଣ କରିବାକୁ ବିଦ୍ୟାର୍ଥୀମାନେ ଭଙ୍ଗାଛାତରୁ ବାହାରିଥିବା ସ୍କ୍ରାପ ରଡ ବା ଖଣ୍ଡ ଲୁହାଛଡକୁ ବ୍ୟବହାର କରିଛନ୍ତି । ଭଙ୍ଗା ଲୁହାଛଡ଼ ଗୁଡିକ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ତାହାକୁ ବିକ୍ରି ନକରି ଆଇଟିଆଇ କର୍ତ୍ତୃପକ୍ଷ ବିଦ୍ୟାର୍ଥୀଙ୍କୁ ଦେଇଥିଲେ । ସେହି ଭଙ୍ଗା ଲୁହା ଛଡକୁ ୱେଲଡିଙ୍ଗ କରି ବିଦ୍ୟାର୍ଥୀମାନେ ଜିରାଫ ନିର୍ମାଣ କରୁଛନ୍ତି । ୱେଲଡିଂ କାର୍ଯ୍ୟ ଶେଷ ହେବା ପରେ ତାକୁ ବିଦ୍ୟାର୍ଥିମାନେ ରଙ୍ଗ ଦେବେ । ଏହା ନିଶ୍ଚିତ ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ବୋଲି ଆଇଟିଆଇ କର୍ତ୍ତୃପକ୍ଷ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଦ୍ୟାର୍ଥୀଙ୍କୁ ଏହି କାର୍ଯ୍ୟରେ ଆଇଟିଆଇର ପ୍ରଶିକ୍ଷକ ଅନୀଲ ମିଶ୍ର, ଗୋପାଳକୃଷ୍ଣ ରଥ, ଅବନୀ ଦଳାଇ, ଅରୁଣ ପାତ୍ର, ଏସଏନ ଆଚାରୀ ପ୍ରମୁଖ ପରାମର୍ଶ ଦେଇଛନ୍ତି । ଏହିଭଳି କାରୁକାର୍ଯ୍ୟ ନିର୍ମାଣ କରିବା ଦ୍ୱାରା ବିଦ୍ୟାର୍ଥୀଙ୍କ ମନରେ ଦଳଗତ ମନୋଭାବ ସୃଷ୍ଟି କରିବା ସହ ସେମାନଙ୍କ ମନରେ କାର୍ଯ୍ୟ କରିବାକୁ ଦକ୍ଷତା ବୃଦ୍ଧି କରିଥାଏ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ଼. ରଜତ ପାଣିଗ୍ରାହୀ କହିଛନ୍ତି । ବର୍ଜ୍ୟବସ୍ତୁକୁ କାର୍ଯ୍ୟରେ ଲଗାଯାଇ ତାକୁ କିଭଳି ସୁନ୍ଦର କରାଯାଇପାରେ ତାହା ହିଁ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦିଆଯାଉଛି ବୋଲି ସେ ସୂଚନା ଦେଇଥିଲେ । କିଛି ଦିନ ପୂର୍ବେ ଏହି ଆଇଟିଆଇର ବିଦ୍ୟାର୍ଥୀଙ୍କ ପକ୍ଷରୁ ଅଦରକାରୀ ଲୁହରେ ଏକ ପ୍ରେଡିଏଟର ନିର୍ମାଣ କରାଯାଇଥିଲା । ସେହି ରାକ୍ଷାସକୁ ଆଇଟିଆଇ ବାହାରେ ସ୍ଥାନିତ କରାଯାଇଛି । ସେହିପରି ବିଭିନ୍ନ ସମୟରେ ନିର୍ମାଣ ହୋଇଥିବା କାରୁକାର୍ଯ୍ୟକୁ ସ୍କ୍ରାପ ମ୍ୟୁଜିୟମରେ ସ୍ଥାପିତ କରାଯାଉଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








