

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଇନଜୀବୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଅର୍ଥ ବରାଦ କରିବା ସମେତ ୫ଦଫା ଦାବି ନେଇ ବାର କାଉନସିଲ ଅଫ ଇଣ୍ଡିଆର ଆହ୍ୱାନ କ୍ରମେ ଗତ ସୋମବାର ଦିନ ବ୍ରହ୍ମପୁରର ସମସ୍ତ ଆଇନଜୀବୀ କୋର୍ଟ ବର୍ଜନ କରିଥିଲେ . କୋର୍ଟ ବର୍ଜନ ଅବସରରେ ବାର ଆସୋସିଏସନଠାରେ ଗଂଜାମ ଓକିଲ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା . ସେହି ବୈଠକରେ ବାର କାଉନସିଲ ପକ୍ଷରୁ ହୋଇଥିବା ଦାବି ଉପରେ ଆଲୋଚନା କରାଯାଇଥିଲା . ଏହି ଅବସରରେ ଆଇନଜୀବୀଙ୍କ ପରିବାର ବର୍ଗ ପାଇଁ ବୀମା ବ୍ୟବସ୍ଥା, ଆଇନଜୀବୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବ୍ୟବସ୍ଥା କରିବା, ଲିଗାଲ ଏଡ଼ରେ ଆଇନଜୀବୀଙ୍କୁ ସାମିଲ କରିବା ଇତ୍ୟାଦି ୫ଦଫା ଦାବି ଉପରେ ଆଲୋଚନା ହୋଇଥିଲା . ପରେ ଆଇନଜୀବୀମାନେ ଏକ ଶୋଭାଯାତ୍ରାରେ ଯାଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ . ଜିଲ୍ଲା ଜଜଙ୍କୁ ମଧ୍ୟ ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି . ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଗଞ୍ଜାମ ଓକିଲ ସଂଘ ସଭାପତି ମୋହନ ଶିଙ୍ଗାରୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାଶ, ଉପସଭାପତି ରବୀନ୍ଦ୍ର ଦେଓ, ଯୁଗ୍ମ ସମ୍ପାଦକ ବାପୁଜୀ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା, ଶିଶିର ପାଢୀ, ଦୀପକ ପଟ୍ଟନାୟକ, ଅରୁଣ ବିଶ୍ୱାଳ, ମନୋଜ ପଟ୍ଟନାୟକ, ଭୁବନେଶ୍ୱର ମିଶ୍ର, ପ୍ରଦୀପ ବେହେରା, ବାପି ପଣ୍ଡା, ପଞ୍ଚାନନ ସାବତ, ନଳିନୀକାନ୍ତ ଦେବଦର୍ଶୀ, ରବି ସେଠିଙ୍କ ସମେତ ବହୁ ଆଇନଜୀବୀ ସାମିଲ ହୋଇଥିଲେ . ଗତକାଲି ମଧ୍ୟ ଆଇନଜୀବୀମାନେ କୋର୍ଟ ବର୍ଜନ କରିବା ସହିତ ଭୁବନେଶ୍ୱର ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଥିବା ସଂଘ ସଭାପତି ଶ୍ରୀ ଶିଙ୍ଗାରୀଙ୍କ ଠାରୁ ପ୍ରକଶ ହୋଇଛି .
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

