ଆଇନର ଆଶ୍ରୟ ନେବାକୁ ବି.ଏଡ୍ ଶିକ୍ଷକ ମହାସଂଘର ଧମକ

ଭୁବନେଶ୍ୱର ( ଆକାଶ ମିଶ୍ର ) –ରାଜ୍ୟ ବି.ଏଡ୍. ଶିକ୍ଷା ସହାୟକ (କନିଷ୍ଠ ଶିକ୍ଷକ / ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ) ସଂଘ ଓଡ଼ିଶାର ଏକ ଜରୁରୀ ବୈଠକ ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କଠାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି.ଏଡ୍ ଭିତିରେ ନିଯୁକ୍ତ ଶିକ୍ଷକମାନଙ୍କୁ ରାଜ୍ୟ ସରକାର କ୍ରମାଗତ ପ୍ରତାରିତ କରିଆସୁଥିବାରୁ ଏହା ବିରୁଦ୍ଧରେ ସଂଘର କର୍ମକର୍ତାମାନେ ଘୋର ଉଦ୍ବେଗ ପ୍ରକାଶ କରିଥିଲେ  । ୨୦୧୪ ମସିହାରୁ ରାଜ୍ୟରେ ଏକ କ୍ୟାଡର ରୁଲ୍ ଥିଲେ ମଧ୍ୟ ରାଜ୍ୟ ସରକାର ତାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପରିବର୍ତେ କିଛି ନ୍ୟସ୍ତସ୍ୱାର୍ଥ ଶିକ୍ଷକ ସଂଗଠନର ପ୍ରରୋଚନାରେ ଗଣଶିକ୍ଷା ବିଭାଗର କିଛି ଅସାଧୁ ପଦସ୍ଥ ଅଫିସରଙ୍କ ମାଧ୍ୟମରେ ୨୦୧୮ ମସିହାରେ ପୁଣି ଏକ ନୂଆ କ୍ୟାଡର ରୁଲ୍ ପ୍ରଚଳନ କରିବାକୁ ଯାଉଛନ୍ତି ଏଥିରେ ବିଷୟଭିତିକ ଶିକ୍ଷକ ପଦବୀ ସୃଷ୍ଟି କରାଯାଉଥିବା ବିଷୟ ମଧ୍ୟ ମହାସଂଘର ନଜରକୁ ଆସିଛି  । ଏଥିରେ ବି.ଏଡ୍ ଶିକ୍ଷକମାନଙ୍କର ଦୀର୍ଘଦିନର ନ୍ୟାଯ୍ୟ ଦାବିଗୁଡ଼ିକୁ ବିଚାରକୁ ନେଇ ଯଦି କ୍ୟାଡର ପୁନର୍ଗଠନ ନ କରନ୍ତି ଏବଂ ୨୦୧୧ ମସିହା ପରଠାରୁ ନିଯୁକ୍ତ ଓଟିଇଟି ପେପର -୨ ଦେଇ ଯୋଗ୍ୟତା ଆଧାରରେ ମେରିଟ୍ ବେସିସ୍ରେ ନିଯୁକ୍ତ ବି.ଏଡ୍ ଶିକ୍ଷକମାନଙ୍କୁ ବିଷୟଭିତିକ ଶିକ୍ଷକ ଭାବରେ ଘୋଷଣା ନ କରନ୍ତି, ତେବେ ଏହା ବିରୁଦ୍ଧରେ ମହାସଂଘ ବାଧ୍ୟହୋଇ ଆଇନ୍ର ଆଶ୍ରୟ ନେବ ବୋଲି ଆଜିର ବୈଠକରେ ସ୍ଥିର କରଯାଇଛି  । ବାରମ୍ବାର ଆଲୋଚନା, ପ୍ରତିଶ୍ରୁତି ପରେ ମଧ୍ୟ ବି.ଏଡ୍ ଶିକ୍ଷକମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଇନାହିଁ  । ଯାହାର ଫଳସ୍ୱରୂପ ମହାସଂଘ ବହୁବାର ରାଜରାସ୍ତାରେ ଗଣଧାରଣା ଦେବାସହ ମହସମାବେଶ କରି ସରକାରଙ୍କୁ ଦାବି ଜଣାଇଛି  । ଏସବୁ ସତ୍ୱେ ସରକାର ପକ୍ଷପାତିତା ଅବଲମ୍ବନ କରି ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି, ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଧେଶ ତଥା ନୀତିନିୟମକୁ ସମ୍ପୂର୍ଣ୍ଣ ବେଖାତିର କରି ଆଦୌ ନିଯୁକ୍ତି ପାଇନଥିବା ବି.ଏ. ସି.ଟି. ଶିକ୍ଷକମାନଙ୍କୁ ବିଷୟଭିତିକ ଶିକ୍ଷକ ଘୋଷଣା କରୁଥିବା ତଥା ଗ୍ରାଜୁଏଟ୍ ଟିଚର ଭଳି ଏକ ପଦବୀ ସୃଷ୍ଟି କରିବା ପାଇଁ ତପôରତା ପ୍ରକାଶ ପାଉଥିବା ବିଷୟକୁ ଆଜିର ସଭାରେ ତୀବ୍ର ନିନ୍ଦା କରାଯିବା ସହ ସରକାରଙ୍କ ଏଭଳି ନୀତି ବିରୁଦ୍ଧରେ ବିଶୋଦଗାର କରଯାଇଥିଲା  । ଏତଦ୍ବ୍ୟତୀତ ଶିକ୍ଷକମାନଙ୍କୁ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟରେ ନିଯୁକ୍ତ କରୁଥିବାରୁ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚôତ ହେଉଥିବା ତଥା ଶିକ୍ଷକମାନେ ନିର୍ଯ୍ୟାତିତ ହେଉଥିବା ବିଷୟ ଆଲୋଚିତ ହୋଇଥିଲା  । ଏହି ଅଭିଯୋଗକୁ ପ୍ରମାଣ କରିବାକୁ ଯାଇ କୁହାଯାଇଥିଲା ଯେ, ଜାତୀୟ କୃମିନାଶକ ଦିବସରେ ଶିକ୍ଷକମାନଙ୍କୁ ଔଷଧ ବଂଟନ କରିବା ପାଇଁ ଦିଆଯାଇଥିଲା  । ଏହାର ଫଳସ୍ୱରୂପ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଘୁନସର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନୁଗ୍ରହ ନନ୍ଦଙ୍କ ଅକାଳ ବିୟୋଗ ଘଟିଛି  । ଯିଏକି ଏହି କୃମିନାଶକ ବଟିକା ବାଂଟିଥିଲେ, କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଏହି ବଟିକା ଖାଇ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ  । ଯାହାର ପ୍ରତିବାଦ ସ୍ୱରୂପ ସ୍ଥାନୀୟ ଲୋକମାନଙ୍କ ଆକ୍ରୋଶର ଶିକାର ହୋଇ ସେହି ଶିକ୍ଷକଙ୍କ ପ୍ରାଣହାନୀ ଘଟିଛି  । ଏଥିପାଇଁ ରାଜ୍ୟସରକାର ସମ୍ପୂର୍ଣ୍ଣ ଭାବରେ ଦାୟୀ ରହିବେ  । କାରଣ ରାଜ୍ୟରେ ବିଭିନ୍ନ ଅଙ୍ଗନୱାର୍ଡି କର୍ମୀ, ଆଶାକର୍ମୀ ତଥା ପାରା ମେଡିକାଲ କର୍ମଚାରୀ କାର୍ଯ୍ୟ କରୁଥିଲେ ମଧ୍ୟ ଶିକ୍ଷକମାନଙ୍କୁ ଔଷଧ ବଂଟନ ଭଳି ଦାୟିତ୍ୱ ଦେଇ ମୃତୁ୍ୟ ମୁଖକୁୁ ଠେଲିଦେବା ସହ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେବା ପାଇଁ ବାଧ୍ୟ କରୁଛନ୍ତି  । ଏଥିପାଇଁ ଦାୟିତ୍ୱରେ ଥିବା ବିଭିନ୍ନ ଅଫିସରଙ୍କୁ ଦାୟୀ କରାଯିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହାସଂଘ ଦାବି କରୁଛି  । ଆଜିର ବୈଠକରେ ସେହି ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରଯାଇଥିଲା  । ତୁରନ୍ତ ରାଜ୍ୟ ସରକାର ତାଙ୍କର ପରିବାରର ଜଣଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ଦେବାସହ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ମହାସଂଘ ଦାବି କରିଛି  । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, ଉପସଭାପତି ସରୋଜ କୁମାର ପଣ୍ଡା, ନୃସିଂହ ଚରଣ ସାହୁ, ରୂପେଶ କୁମାର ସାହୁ, ଲଲାଟେନ୍ଦୁ ମହଲ, ମକରକେତନ ସାହୁ, ସନ୍ତୋଷ କୁମାର ସାହୁ, ରବିନ୍ଦ୍ର ସେଠୀ, ଭୀମସେନ୍ ପରିଡ଼ା, ପ୍ରସନ୍ନ କୁମାର ରାଉତ, ସମ୍ପଦ କୁମାର ଜେନା, ରବିନ୍ଦ୍ର କୁମାର ସେଠୀ, ସନ୍ତୋଷ କୁମାର ଦାସ, ଭବାନୀ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଶିକ୍ଷକ ମାରଣନୀତିକୁ ତୀବ୍ର ସମାଲୋଚନା କରିଥିଲେ  ।