ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ବର୍ଷବର୍ଷ ଧରି କାର୍ଯ୍ୟରତ ଥିଲେ ସୁଦ୍ଧା ସେମାନଙ୍କ ସାମ୍ବିଧାନିକ ଓ ମାନବିକ ଅଧିକାରକୁ ଉଲଂଘନ କରାଯାଉଥିବା କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ସମାନ କାମକୁ ସମାନ ଦରମା ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ସତ୍ୱେ ଏହି କର୍ମଚାରୀଙ୍କୁ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ସମାନ ଦରମା ଏପରିକି ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି । ବିଭିନ୍ନ ଦାବି ତଥା ନିୟମିତ କାମରେ ନିୟମିତ ନିଯୁକ୍ତି ଓ ନୀୟମିତ ପଦବୀରେ କର୍ମଚାରୀଙ୍କୁ ନିଯୁକ୍ତି, ସ୍ୱଳ୍ପ ଦରମାରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଦରମାକୁ ବଜାର ଦର ଏବଂ ସର୍ବନିମ୍ନ ମଜୁରୀ ବୃଦ୍ଧି, ନିୟମିତ ଭାବେ ପ୍ରତିମାସର ପ୍ରଥମ ସପ୍ତାହରେ ଦରମା ନିଶ୍ଚିତ କରିବା, କୌଣସି କାରଣରୁ ଏଜେନ୍ସି ବଦଳିଲେ ମଧ୍ୟ ପୂର୍ବ ଏଜେନ୍ସି ଦ୍ୱାରା ନିଯୁକ୍ତ କର୍ମଚାରୀଙ୍କୁ ଚାକିରି ଅବ୍ୟାହତ ରହିବା ସହ ପୂର୍ବର ବରିଷ୍ଠତାକୁ ହିସାବକୁ ନେବା, ସରକାର ଏଜେନ୍ସିକୁ ଦେଉଥିବା ମୋଟ ପ୍ରାପ୍ୟର ପ୍ରାୟ ୧ ପଞ୍ଚମାଂଶ ତଥା ୧୮ ପ୍ରତିଶତ ଜିଏସଟି ବନ୍ଦ କରିବା, ଏଜେନ୍ସି ଦ୍ୱାରା ସଂଗ୍ରହ ଇପିଏଫ୍ ଟଙ୍କା ନିୟମିତ ଭାବେ ଜମା କରିବା ଏବଂ ଖିଲାପ କରୁଥିବା ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ, ପ୍ରତିମାସରେ ଏଜେନ୍ସି ଦ୍ୱାରା ଇଏସଆଇ ବାବଦରେ କର୍ମଚାରୀଙ୍କ ଦରମାରୁ କଟାଯାଉଥିଲେ ମଧ୍ୟ ସୁଫଳ ମିଳୁନି ତେଣୁ ତୁରନ୍ତ କାର୍ଡ଼ ଓ ଇଏସଆଇ ସୁବିଧା ପ୍ରଦାନ, ସରକାରୀ କର୍ମଚାରୀଙ୍କ ଭଳି ସବେତନ ଛୁଟି ନେବା ବ୍ୟବସ୍ଥା, ମାସକୁ ଅନ୍ତତଃ ୪ ଦିନ ଛୁଟିର ବ୍ୟବସ୍ଥା ସହ ଜାତୀୟ ଛୁଟି ଦିବସରେ ସବେତନ ଛୁଟି ଦିଆଯାଉ, ସାମାଜିକ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ସରକାରଙ୍କ ପକ୍ଷରୁ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ମଧ୍ୟ ବୀମା ଓ ସର୍ବନିମ୍ନ ପେନସନ୍ ବ୍ୟବସ୍ଥା, ମହିଳାମାନଙ୍କୁ ମାତୃତ୍ୱ ଛୁଟି, ବିଭିନ୍ନ ବିଭାଗରେ ଏକା ପଦବୀରେ ରହୁଥିବା କର୍ମଚାରୀଙ୍କୁ ସମାନ ହାରରେ ଦରମା ପ୍ରଭୃତି ଦାବି ପୂରଣ ନ ହେଲେ ସଂଘ ଆସନ୍ତା ୨୦ ତାରିଖ ଦିନ ବିଧାନସଭା ଘେରାଉ କରିବ ବୋଲି ଗତ ୯ ତାରିଖରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ତେବେ ଏପର୍ଯ୍ୟନ୍ତ ଦାବି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସଂଘର କର୍ମଚାରୀମାନେ ଆଜି ଦକ୍ଷିଣାଂଚଳ ରାଜସ୍ୱ କମିଶନର ଟି.ଆଓଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଦାବି ପୂରଣ ନ କଲେ ଆଗାମୀ ଦିନରେ ବିଧାନସଭା ଘେରାଉ କରିବାବୁ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ପ୍ରଶାନ୍ତ ମହାରଣା, ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ରବି ସାହାଣି, ପ୍ରଶାନ୍ତ କୁମାର ପରିଛା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା