ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାଇବର୍ କ୍ରାଇମ୍ ର ଆଉ ଏକ ଠକେଇର ପର୍ଦ୍ଦଫାସ କରିଛି ପୋଲିସ୍ । ବ୍ରହ୍ମପୁର ସହରର ଦୀପକ କୁମାର ପଣ୍ଡା ନାମକ ଜଣେ ଯୁବକ ଏହି ଠକେଇର ଶିକାର ହୋଇଛନ୍ତି । ଟ୍ରାକ୍ଟର କିଣିବା ନିମନ୍ତେ ୫ ଲକ୍ଷ ଟଙ୍କାର ଲୋନ୍ କରାଇଦେବେ କହି ସାଉଥ୍ ଇଣ୍ଡିଆ ଫାଇନାନ୍ସ ନାମକ ଏକ କମ୍ପାନୀର ମହିଳା କର୍ମଚାରୀ ମାନେ ତାଙ୍କ ସହ ଫୋନ୍ ରେ ଯୋଗାଯୋଗ କରିଥିଲେ । କିଛି ଆବଶ୍ୟକ ଦସ୍ତାବିଜ ଜମା ଦେବାକୁ କହିବା ପରେ ୬୯ ହଜାର ଟଙ୍କା ଦେବା ପାଇଁ କହିଥିଲେ । ସେମାନଙ୍କୁ ସେ ଟଙ୍କା ଦେଲା ପରେ ସେମାନେ ଆଉ ଯୋଗାଯୋଗ କରିନଥିଲେ । ଦୀପକ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ତାପରେ ବ୍ରହ୍ମପୁରରେ ଥିବା ସାଇବର୍ ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରିବା ପରେ ଥାନା ଅଧିକାରୀ କଳ୍ପନା କାଉଁରୀଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱର ଯାଇ ଚଢ଼ାଉ କରିଥିଲେ । ତଥାକଥିତ କାର୍ଯ୍ୟାଳୟରୁ ପୋଲିସ୍ ଟଙ୍କା ଆଦାୟ ଓ ଲୋନ୍ ସଂକ୍ରାନ୍ତୀୟ ଅନେକ ଦସ୍ତାବିଜ ଜବତ କରିବା ସହ ବ୍ୟବହୃତ ମୋବାଇଲ୍, ସିମକାର୍ଡ଼ ଜବତ କରିଛି । ଅନେକ ଲୋକ ଠକେଇର ଶିକାର ହୋଇଥିବା ପୋଲିସ୍ ଜାଣିବାକୁ ପାଇଛି । ଏହାପରେ ପୋଲିସ୍ ୫ ଜଣ ଯୁବତୀଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା