ଆଚରଣ ବିଧି ଲାଗୁ ପୂର୍ବରୁ ଆଉଟସୋର୍ସିଂ, ଠିକା ଓ ଡିଏଲଆର ତଥା କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟା ସମାଧାନ କରିବାକୁ ଦାବି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମାଗଣା ଯୋଜନା ସହ ଅନ୍ୟାନ୍ୟ ସବୁ ପ୍ରକାରର ସରକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ରାଜ୍ୟର ତୃଣମୂଳ ସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ଆଉଟ୍ସୋର୍ସିଙ୍ଗ୍ ଓ ଠିକାରେ ନିଯୁକ୍ତ କର୍ମଚାରୀମାନେ ଦିନ ରାତିକୁ ଏକାକାର କରି ପରିଶ୍ରମ କରି ସରକାରଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରୁଛନ୍ତି । ଲକ୍ଷ ଲକ୍ଷ ସ୍ଥାୟୀ କର୍ମଚାରୀଙ୍କ ଅଭାବ ଥିବାବେଳେ ଗତ ୧୫ ବର୍ଷ ଧରି ପାରମ୍ପରିକ କାର୍ଯ୍ୟପରେବି ସୃଷ୍ଟି କରାଯାଇଥିବା ଏକାଧିକ ଯୋଜନାକୁ ହାତ ଗଣତି କେତେଟା ପ୍ରାପ୍ୟକୁ ନେଇ କେତେଦିନ ଧରି ଏହି ବର୍ଗର କର୍ମଚାରୀ ପେଟଭୋକକୁ ପେଟରେ ମାରି ଜୀବନ ଯାତ୍ରାରେ ସଂଘର୍ଷ କରିବେ, ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅନୁନୟ ବିନୟ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମାଧ୍ୟମରେ ନିଜର ହକ୍ ଓ ଦାବି ଉପସ୍ଥାପନ କଲେ ସାମାନ୍ୟ ନ୍ୟାୟ ମିଳୁନି । ସରକାରଙ୍କ ମୌଖିକ ଓ ଲିଖିତ ପ୍ରତିଶୃତି ନିଷ୍ଠୁର ପ୍ରତାରଣାରେ ପରିଣତ ହୋଇଛି । ସତେ ଯେମିତି ଏହି ବର୍ଗର କର୍ମଚାରୀ ମାନେ ଏ ଦେଶ ବା ରାଜ୍ୟର ନାଗରିକ ନୁହଁନ୍ତି । ଭୋଟ କାଙ୍ଗାଳ ସରକାର, କ୍ଷମତାକୁ ଫେରିବା ପାଇଁ ଅଯଥା ଓ ଅନାବଶ୍ୟକ ମାଗଣା ଯୋଜନା ଓ ଦାନଧ୍ୟାନରେ ରାଜ୍ୟ ରାଜକୋଷକୁ ଯେଉଁଭଳି ବରବାଦ କରୁଛନ୍ତି, ସେହି ରାଜକୋଷ କଣ ଏହି ବର୍ଗର କର୍ମଚାରୀଙ୍କ ଲୁହଲହୁର ଅଂଶବିଶେଷ ନୁହେଁ, ସେଥିରୁ ତାଙ୍କ ହକ ପାଇବା ପାଇଁ ସେମାନଙ୍କୁ କାହିଁକି ବଂଚିତ କରାଯାଉଛି ? କର୍ମଚାରୀ ମହାମଂଚ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କର୍ମଚାରୀ ନେତା ପ୍ରଭାତ ମହାନ୍ତି କହିଲେ ଯେ ଆଉଟସୋର୍ସିଂ ଓ ଠିକା ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ସହ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, ଚାକିରୀ ସୁରକ୍ଷା, ସମାନ କାମକୁ ସମାନ ଦରମା, କେନ୍ଦୁପତ୍ର କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରି ଅବସର ବୟସ ବୃଦ୍ଧି, କାର୍ଯ୍ୟକାଳ ୧ବର୍ଷକୁ ବୃଦ୍ଧି, ଟେମ୍ପୋରାରୀ ଷ୍ଟାଟସ କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ ଓ କେନ୍ଦ୍ରିୟ ଆର୍ଥିକ ଦେୟରେ କାର୍ଯ୍ୟରତ ଏକଲବ୍ୟ ଓ କୃଷିବିଜ୍ଞାନ କେନ୍ଦ୍ର କର୍ମଚାରୀଙ୍କୁ ଧାର୍ଯ୍ୟଦରମା ଓ ସ୍ଥାୟୀ ନିଯୁକ୍ତି, ୧୩-୦୪-୧୯୯୩ ମସହା ପର ଠାରୁ କାମ କରୁଥିବା ଡିଏଲଆର କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ କରିବାର ସମସ୍ତ ପ୍ରତିଶୃତି ସତ୍ୱେ ଦୈନିକ ନୂଆନୂଆ ବାହାନାକରି ସମାଧାନକୁ ଟାଳି ଆସିୁଛନ୍ତି ବୋଲି ଶ୍ରୀ ମହାନ୍ତି କ୍ଷୋଭର ସହ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ନରହନ୍ତା, ହାଡ଼କୋର ନକ୍ସଲମାନଙ୍କୁ ମୁଖ୍ୟଶ୍ରୋତକୁ ଆଣିବା ପାଇଁ କୋଟିକୋଟି ଟଙ୍କାର ଯୋଜନା ସହିତ ପ୍ରୋତ୍ସାହନ ଯୋଗାଇଥିବା ବେଳେ, ଚରମ ପାରିବାରିକ, ଆର୍ଥିକ ଦୁରାବସ୍ଥା ପାଇଁ ଏ ରାଜ୍ୟର ଲକ୍ଷ ଲକ୍ଷ ଉଚ୍ଚ ଶିକ୍ଷିତ ଯୁବକ ବାଧ୍ୟବାଧ୍ୟକତାରେ ଏଭଳି କୁତ୍ସିତ ଶୋଷଣକାରୀ ବ୍ୟବସ୍ଥାକୁ ଗ୍ରହଣ କରିଥିଲେ ବି ସ୍ଥାୟୀହେବା ଓ ଆର୍ଥିକ ଅଭାବ ପୁରଣ ଲକ୍ଷ ରଖିଥିଲେ । କିନ୍ତୁ ସବୁ ଆଶା ଓ ସଂଭାବନା ଧିରେଧିରେ ଭୋଟ ରାଜନୀତି ପାଇଁ ଧ୍ୱସଂ ହେବାକୁ ଯାଉଛି । ଏଠି ନ୍ୟାୟ ସଂଗତ, ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ଦାବୀ ଦୁବା ଓ ପ୍ରତିବାଦ ନିଷ୍ପଳ ହେଉଛି । ତାର କାରଣ ରାଜ୍ୟର ସବୁଦାୟ ଭୋଟରଙ୍କ ସଂଖ୍ୟାର ଏହି କର୍ମଚାରୀମାନେ ଦୁଇ ଶତାଂଶ ମାତ୍ର । କିନ୍ତୁ ଏକଥା ସରକାର ଭୁଲି ଯାଇଛନ୍ତି ଯେ, ଏହି ଅସହାୟ ସ୍ୱଳ୍ପଦରମାରେ ଦୁର୍ବିସହ ଜୀବନ ବିତୋଉଥିବା ମଣିଷ ଓ ସେମାନଙ୍କ ଉପରେ ନିର୍ଭର କରୁଥିବା ପରିବାରର ସଭ୍ୟମାନଙ୍କ ଦୀର୍ଘଶ୍ୱାସ ଓ ଭୋକର ନିଆଁରେ ସରକାରଙ୍କ ସବୁ ସ୍ୱପ୍ନକୁ ଧୁଳିସାତ କରିଦେବ ଓ ଏହି ବର୍ଗର କର୍ମଚାରୀଙ୍କ ପଞ୍ଜିଭୁତ କ୍ରୋଧ ତଥା ଯିଦ ସବୁ ଗଣିତକୁ ଓଲଟାଇ ଦେବ । ଯଦି କ୍ଷେତ୍ର ବାସ୍ତବତାକୁ ସରକାର ଉପଲବ୍ଧି କରିବେ ନାହିଁ, ଉଚ୍ଚଶିକ୍ଷିତ ଆଉଟସୋର୍ସିଂ, ଠିକା/ଚୁକ୍ତିଭିତିକ, ଡିଏଲଆର ଓ କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀମାନଙ୍କ ସମସ୍ୟାକୁ ସମାଧାନ ପାଇଁ ଆନ୍ତରିକତା ପ୍ରକାଶ କରିବେ ନାହିଁ, ଦେଇଥିବା ପ୍ରତିଶୃତି ପୂରଣ କରିବେ ନାହିଁ, ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି ଆଳରେ ଦାବୀ ସମାଧାନ ବଦଳରେ ନିର୍ବାଚନ ପର୍ଯ୍ୟନ୍ତ ଉଦ୍ଧେଶ୍ୟମୂଳକ ଭାବେ ସମୟ ଟାଳି ଭୁଆଁ ବୁଲେଇବାର ଅପଚେଷ୍ଟା କରିବେ, ତେବେ ଆସନ୍ତା ଫ୍ରେବୃଆରୀ ୨୩ ତାରିଖ ଶନିବାର ଦିନ ସାରା ରାଜ୍ୟର, ସବୁ ବିଭାଗ, ନିଗମ, ବୋର୍ଡ ଓ ଅନ୍ୟାନ୍ୟ ସଂସ୍ଥାରେ କାର୍ଯ୍ୟରତ ଆଉଟସୋର୍ସିଂ, ଚୁକ୍ତିଭିତିକ ବା ଠିକା ଓ ଡେଲି ଓଏଜେସ, କେନ୍ଦୁପତ୍ର କର୍ମଚାରୀମାନେ ରାମମନ୍ଦିର ଛକରୁ ଏକ ବିରାଟ ପଟୁଆରରେ ଆସି, ଗାନ୍ଧିମାର୍ଗଠାରେ ଏକ ପ୍ରତିବାଦ ସଭା କରିବେ । ପ୍ରତିବାଦ ସଭାସ୍ଥଳରୁ ଦିନ ୩ଟା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମାଧାନ ପାଇଁ ଅନୁରୋଧ କରାଯିବ ଓ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଆଜି ରାଜ୍ୟର ସର୍ବ ବୃହତ କର୍ମଚାରୀ ସଙ୍ଗଠନ “ଓଡ଼ିଶା କର୍ମଚାରୀ ମହାମଂଚ” ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ପ୍ରାରମ୍ଭରେ ଫୁଲୱାମା ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ନିହତ ସହିଦ ଜବାନଙ୍କ ଉଦ୍ଧେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଗଲା । ଓଡ଼ିଶା କର୍ମଚାରୀ ମହାମଞ୍ଚର ରାଜ୍ୟଆବାହକ ଶ୍ରୀ ପ୍ରଭାତ ମହାନ୍ତି, ରାଜ୍ୟ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘର ସଭାପତି ସଞ୍ଜୟ କୁମାର ପଟ୍ଟନାୟକ, ଉପସଭାପତି ସତ୍ୟବ୍ରତ ବାରିକ, ସାଧାରଣ ସମ୍ପାଦକ ମାନସ ରଞ୍ଜନ ଦାସ, ଚୁକ୍ତିଭିତିକ ସଙ୍ଘର ସଭାପତି ବିଜୟ କୁମାର ମଲ୍ଲ, ଉପସଭାପତି କ୍ଷିତିଶ ପଣ୍ଡା, ଓଡିଶା ଚୁକ୍ତିଭିତିକ ଶିକ୍ଷକ ସଙ୍ଘର ସଭାପତି ଶୁଭ୍ରଜିତ ପ୍ରତିହାରୀ, ଓଡିଶା ଏକଲବ୍ୟ ଶିକ୍ଷକ ସଙ୍ଘର ରାଜ୍ୟ ସମ୍ପାଦକ ଶିଶିର କୁମାର ସାମଲ, କୃଷିବିଜ୍ଞାନ କେନ୍ଦ୍ରର ଜୟନ୍ତ ପତି, କେନ୍ଦୁପତ୍ର ନେତା ଚିତ୍ରସେନ ବଗର୍ତି, ନାରାୟଣ ସାହୁ, ଶ୍ୟାମଳୀ ପଟ୍ଟନାୟକ,ପ୍ରକାଶ ବେଦାନ୍ତ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଗୌତମ ମହାରଣ୍ୟ, ସ୍ନେହାଶିଷ ମିଶ୍ର, ସମ୍ବିତ ଦାସ, ଅରୁଣଧୋତି ମିଶ୍ର, ଦେବ ସାହୁ, ପ୍ରତାପ କୁମାର, ରାଜିବ କୁମାର ହାତି, ରଶ୍ମୀରଞ୍ଜନ ପାଢ଼ି, ଶ୍ରୀକାନ୍ତ ମିଶ୍ର, ପ୍ରଦ୍ୟୁମ୍ନ ବେହେରା, ରଜତ ରଞ୍ଜନ ରାଉତ, ଗୁରୁପ୍ରସାଦ ଶତପଥୀ, ଶ୍ରୀଧର ଭଟ୍ଟ, ଶ୍ରୀନିବାସ ସେଠୀ ପ୍ରମୁଖ ଓ ଅନ୍ୟମାନେ ଯୋଗଦେଇ ଆଲୋଚନା କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର