ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ ହେଉଛି । ଆଜି ମଧ୍ୟ ରାତ୍ରରେ ବ୍ରହ୍ମପୁରରେ ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ବାପ ଘରକୁ ଆସିବେ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ପରମ୍ପରା ଅନୁଯାୟୀ ବାପଘର ଲୋକ ପ୍ରଥମେ ଯାଇ ମା’ଙ୍କୁ ସମୟ ଜଣାଇବେ । ଏହାପରେ ବାପଘର ମଧ୍ୟ ରାତ୍ରରେ ମା’ଙ୍କ ଘଟ ଓ ଫୁଲ ଧରି ଆସିବେ । ତେଣୁ ପରମ୍ପରା ଅନୁଯାୟୀ ବାପା ଅର୍ଥାତ ଦେଶୀ ବେହେରା ମନ୍ଦିରକୁ ଦିନ ସମୟରେ ଆସି ମା’ଙ୍କୁ ଡାକରା ଦେବେ । ରାତିରେ ବାଜା ବାଜଣା, ଢୋଲ, ତୁରୀ, ଖତ୍ରି, ପିଠା, ପଣା ସହ ଭକ୍ତଗଣ ମାଙ୍କୁ ପୂଜା କରିବେ । ପୂଜା ସମୟରେ ମାଙ୍କ ମୁଣ୍ଡରୁ ଫୁଲ ଦେଶୀ ବେହେରାଙ୍କ ହାତରେ ଖସି ପଡିବା ପରେ ହିଁ ମାଙ୍କ ଆଜ୍ଞା ମିଳିଲା ବୋଲି ଧରି ନେଇ ମାଙ୍କୁ ଅସ୍ଥାୟୀ ପିଠକୁ ଅଣାଯିବ । ଆଜି ମଧ୍ୟ ରାତ୍ରିରୁ ପ୍ରାୟ ୨୯ ଦିନ ଧରି ମା ବୁଢ଼ୀ ଠାକୁରାଣୀ ଏହି ଅସ୍ଥାୟୀ ପୀଠରେ ପୂଜା ପାଇବେ । ଏପରିକି ଏହି ସମୟରେ ପାଣି, ଆଲୋକ, ଦମକଳ ବିଭାଗ ପକ୍ଷରୁ ସହଯୋଗ କରାଯିବ ବୋଲି ଦେଶୀ ବେହେରାଙ୍କ ସହଯୋଗୀ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା