ଆତ୍ମା ସଜୀବ ଶରୀରର ନିୟନ୍ତ୍ରଣ କେନ୍ଦ୍ର ଭାବେ ସର୍ବଜନ ଗ୍ରହୀତ ।
ତା’ର ଅନୁଭବ ବିହୀନ ଉପସ୍ଥିତି ମଣିଷ ଶରୀର ମଧ୍ୟରେ
କେଉଁ କାର୍ଯ୍ୟ ସମ୍ପାଦନ କରିଥାଏ ଅଦ୍ୟାବଧି ଏକ
ଅଲୌକିକ ରହସ୍ୟ ହୋଇ ରହିଛି ମଣିଷ ମନରେ !
ଆତ୍ମା ମଣିଷ ଶରୀରରେ କେଉଁଠି କେଉଁ ଅବସ୍ଥାରେ ରହିଥାଏ ଏପର୍ଯ୍ୟନ୍ତ କାହାକୁ ଜଣାନାହିଁ । ଆତ୍ମାର କାର୍ଯ୍ୟକଳାପ ବିଷୟରେ ଅନେକେ ଭିନ୍ନ ଭିନ୍ନ ମତ ପୋଷଣ କରୁଥିବା ବେଳେ ତା’ର ଉପସ୍ଥିତି, କାର୍ଯ୍ୟଧାରା ଉପରେ ପ୍ରୟୋଗାତ୍ମକ ପ୍ରମାଣ ସାପେକ୍ଷ ଜ୍ଞାନ କାହାର ନାହିଁ । ତଥାପି ବିଶ୍ୱାସ ଆମ ସମସ୍ତଙ୍କ ମନରେ ଦେଖିବାକୁ କିଛି କମ୍ ମିଳୁନାହିଁ । ମନେହୁଏ ସତେ ଯେମିତି କୌଣସି ଗୋଟିଏ ଉପସ୍ଥିତିକୁ ବୁଝିବା କ୍ଷମତା ବିହୀନ ସେହି ଅଦୃଶ୍ୟ ଶକ୍ତି ପରୋକ୍ଷରେ ପରିଚାଳିତ କରିଥାଏ ଆମ ଶାରୀରିକ ପ୍ରକ୍ରିୟା । ଏହିଭଳି ବିଚାର ଆମ ବ୍ୟକ୍ତିଗତ ନୁହେଁ । ଏହା କୌଣସି ସୂତ୍ରରୁ ଗ୍ରହଣ କରାଯାଇଥିବା ସାମାଜିକ ଗ୍ରହଣୀୟତା ଯାହା ଆମେ ସମସ୍ତେ ମାନିବାକୁ ବାଧ୍ୟ ହେଉଛେ, କାହିଁକି ? କାରଣ, ଯେହେତୁ ପ୍ରତ୍ୟେକ ମଣିଷ ନିଜର ପ୍ରାକୃତିକ ପରିଚୟ ଜାଣନ୍ତି ନାହିଁ କିମ୍ବା ନିଜ ସ୍ଥିତି ସମୀକ୍ଷା କରି ସତ୍ୟକୁ ଉନ୍ମୋଚନ କରିବା କ୍ଷମତା ପ୍ରାପ୍ତ ନୁହନ୍ତି, ତେଣୁ ବିଭିନ୍ନ ଚତୁରଙ୍କ ମତବାଦ ଉପରେ ନିର୍ଭର କରି ନିଜର ପରିଚିତି ବିଶ୍ଳେଷଣ କରିବା ଉଦେଶ୍ୟରେ ସେସବୁ କଥା ଅନ୍ଧ ଭଳି ବିଶ୍ୱାସ କରି ଗ୍ରହଣ କରିବାକୁ ବାଧ୍ୟ ହୋଇଥା’ନ୍ତି । ହେଲେ ତା’ର ସତ୍ୟାସତ୍ୟ ଜାଣିବା ପାଇଁ ଆଗ୍ରହ, କ୍ଷମତା ବିହୀନ ମଣିଷ କେବଳ ଅନ୍ୟର ସାହାରାରେ ନିଜକୁ ସଂସାର ପାର କରିବା ଲକ୍ଷ ରଖିଥିବା ହେତୁ ଚତୁର ଯାହା ବଖାଣନ୍ତି ସେଗୁଡିକୁ ସର୍ବେସର୍ବା ମନେ କରିଥା’ନ୍ତି ନିର୍ବୋଧ । କିନ୍ତୁ ନିଜର ପ୍ରାକୃତିକ ପରିଚୟ ପାଇବା ଲକ୍ଷ ରଖିଥିବା ମଣିଷ ହୁଏତ ସେସବୁ ନିଃସନ୍ଦେହରେ ଗ୍ରହଣ କରିପାରୁ ନାହାନ୍ତି । ହେଲେ ଗ୍ରହୀତାଙ୍କ ସଂଖ୍ୟା ୯୯ ପାରି ହେଉଥିବା ବେଳେ ତର୍ଜମାରତ ୧ ପ୍ରାକୃତିକ ବାସ୍ତବ ସତ୍ୟକୁ ପ୍ରୟୋଗାତ୍ମକ ଉପାୟରେ ସମ୍ପୂର୍ଣ୍ଣ ଭାବେ ଉନ୍ମୋଚନ କରି ସମାଜରେ ପ୍ରତିପାଦନ କରିବା କ୍ଷମତା ରଖି ନଥିବା ମନେ ହୁଏ । ତେଣୁ ସମୟ ସ୍ରୋତରେ ମଣିଷ ଭଲ-ମନ୍ଦ ନବୁଝି ସତ୍ୟ-ଅସତ୍ୟ ନଜାଣି ସାମୁହିକ ଗ୍ରହଣୀୟତାକୁ ସର୍ବେସର୍ବା ବୋଲି ବିଚାର କରି ବିଶ୍ୱାସ ଜନିତ ଅନ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି । ହେଲେ ବାସ୍ତବ, ସତ୍ୟକୁ ଉନ୍ମୋଚନ କରିବା ଏବଂ ପ୍ରକୃତିର ନିୟମକୁ ଜାଣିବା କ’ଣ ଆଜି ସମୟରେ ସମ୍ଭବ ନାହିଁ ? ନା ଆମର ଆଗ୍ରହ ନାହିଁ ବିଚାର କରି ଦେଖିବା………….ପୃଥିବୀ ପୃଷ୍ଠରେ ଉପଲବ୍ଧ କୌଣସି ଆଧାର ଗ୍ରହଣ କରି ସ୍ୱତଃ କ୍ରମବର୍ଦ୍ଧିଷ୍ଣୁ ବସ୍ତୁକୁ ଜୀବନ୍ତ ବୋଲି କୁହାଯାଇଥାଏ । ସେହି କ୍ରମବର୍ଦ୍ଧିଷ୍ଣୁ ବସ୍ତୁ ଗୁଡିକରେ ଜୀବନ ରହିଥିବା ବ୍ୟାଖ୍ୟା କରା ଯାଇଥାଏ । ଜୀବନ ଅର୍ଥାତ ସ୍ୱୟଂ ସମ୍ପାଦନକାରୀ କ୍ଷମତା ଯୁକ୍ତ ଶକ୍ତି । ଜୀବନ ଧାରଣ କରିଥିବା ବସ୍ତୁ ଗୁଡିକ ମଧ୍ୟରେ ସ୍ୱୟଂ ସଞ୍ଚାଳିତ ଏବଂ ସ୍ଥିର ଅବସ୍ଥାରେ ରହିଥିବା ବିଭାଜନ ମଧ୍ୟ ଦେଖିବାକୁ ମିଳେ । ଜୀବନ ଯୁକ୍ତ ପ୍ରାଣୀ ସ୍ୱୟଂ ସଞ୍ଚାଳିତ ହେଉଥିବା ବେଳେ ଉଦ୍ଭିଦ ଭଳି କେତେକ ଜୀବନ୍ତ ସ୍ଥିର ରହି ଜୀବନ ଧାରଣ କରିଥା’ନ୍ତି । ଆହୁରି କେତେକ କ୍ଷୁଦ୍ର ଜୀବନ୍ତ କଣିକା ଦେଖିବାକୁ ମିଳନ୍ତି ଯାହାର ସ୍ୱୟଂ ସଞ୍ଚାଳିତ କିମ୍ବା ପ୍ରଜନନ କ୍ଷମତା ନଥାଇ ମଧ୍ୟ ସେମାନେ ବଂଶ ବିସ୍ତାର କରିପାରନ୍ତି । ଉଦାହରଣ ସ୍ୱରୂପ ଜୀବାଣୁ, ଭୁତାଣୁ ଇତ୍ୟାଦି କୌଣସି ପ୍ରାଣ ନଥାଇ ମଧ୍ୟ ସ୍ୱୟଂ ସଂଚାରିତ ହେଉଥିବା ହେତୁ ସେମାନଙ୍କୁ ପ୍ରାଣୀ ବୋଲି କୁହା ଯାଇଥାଏ । ଏହିସବୁ ପ୍ରାଣୀ ମାନଙ୍କ ମଧ୍ୟରେ କେତେକ ମସ୍ତିଷ୍କ ଯୁକ୍ତ ପ୍ରାଣୀ ରହିଛନ୍ତି ତ ଆଉ କେତେକଙ୍କ ମସ୍ତିଷ୍କ ନାହିଁ । କେତେକ ପ୍ରଜନନ କ୍ଷମତା ରଖିଥିବା ବେଳେ ଅନ୍ୟ କେତେକରେ ସ୍ୱୟଂ ପ୍ରଜନନ କ୍ଷମତା ନଥାଇ ପରୋକ୍ଷରେ ବଂଶ ବିସ୍ତର କରିଥା’ନ୍ତି । ଏମିତି କହିବାକୁ ଗଲେ ଅନେକ ଜୀବନ ଯୁକ୍ତ ପ୍ରାଣୀଙ୍କ ଅସଂଖ୍ୟ ଭିନ୍ନ ଗୁଣ, ଚରିତ୍ର ପ୍ରବାହ ଦେଖିବାକୁ ମିଳୁଛି ପୃଥିବୀ ପୃଷ୍ଠରେ । ସେଥିମଧ୍ୟରୁ କେବଳ ସ୍ୱତଃ ପ୍ରଜନନ କ୍ଷମ ସ୍ୱୟଂ ଚାଳିତ ମସ୍ତିଷ୍କ ଯୁକ୍ତ ପ୍ରାଣୀଙ୍କ ଠାରେ ଗୋଟିଏ ଆତ୍ମାର ଠାବ କରୁଥିବା ମଣିଷ ମସ୍ତିଷ୍କର ବିଚକ୍ଷଣତା କିଛି ଭିନ୍ନ । କାରଣ ଏତଦ୍ ବ୍ୟତୀତ ଅସଂଖ୍ୟ ଅନ୍ୟାନ୍ୟ ଗୁଣ, ଚରିତ୍ର ପ୍ରବାହ କରୁଥିବା ପ୍ରାଣୀଙ୍କ ଆତ୍ମା ବିଷୟରେ କୌଣସି ପାରମ୍ପରିକ ବିଷଦ ବ୍ୟାଖ୍ୟା ନାହିଁ ଆମ ସମାଜରେ । ହେଲେ ଏହି ସ୍ୱତଃ ପ୍ରଜନନ କ୍ଷମ ସ୍ୱୟଂ ସଞ୍ଚାଳିତ ମସ୍ତିଷ୍କ ଯୁକ୍ତ ପ୍ରାଣୀଙ୍କ ବ୍ୟତୀତ ଅନ୍ୟ ପ୍ରାଣୀ ମାନଙ୍କ ଠାରେ କାହିଁକି ଆତ୍ମା ନାହିଁ ସେବିଷୟରେ କୌଣସି ଆଲୋଚନା, ସମାଲୋଚନା, ଯୌକ୍ତିକ ବିଚାର ବିହୀନ ସାଧାରଣ ନିର୍ବୋଧ ପ୍ରଚଳିତ ସାମାଜିକ ଗ୍ରହଣୀୟତାକୁ ନିଜର ଅନୁଭୁତିରେ ଯୋଡି ବ୍ୟକ୍ତିଗତ ଦୃଷ୍ଟିକୋଣ ସୃଷ୍ଟି କରୁଥିବା ଅଲୌକିକ ବିଷୟକୁ ଅନୁଶୀଳନ କରି ଦେଖିଲେ ଜାଣି ହେବ ଯେ………କେବଳ ମଣିଷ ଏକମାତ୍ର ସମ୍ପୂର୍ଣ୍ଣ ପ୍ରାଣୀ ଯିଏ ସଂସାରର ସବୁକଥା ଜାଣିପାରେ ଏବଂ ମୁଖ୍ୟତଃ ମଣିଷର ଏହି ଜ୍ଞାନ, ଚତୁରତା କେବଳ ମସ୍ତିଷ୍କର ଯଥେଷ୍ଟ ସ୍ମରଣ ଶକ୍ତିର ଆଧାରରେ ସମ୍ଭବ ହୋଇ ପାରୁଛି । କହିବାକୁ ଗଲେ ମଣିଷ ବ୍ୟତୀତ ଅନ୍ୟାନ୍ୟ କୌଣସି ପ୍ରାଣୀ ପାଖରେ ମଣିଷର ସମସ୍ତ ଗୁଣ, ଚରିତ୍ର ଥାଇ ମଧ୍ୟ କେବଳ ଯଥେଷ୍ଟ ସ୍ମରଣ ଶକ୍ତିର ଅଭାବ ଯୋଗୁଁ ସେମାନେ ମଣିଷ ପାଖରେ ହାର ମାନିବାକୁ ବାଧ୍ୟ ହୋଇଥା’ନ୍ତି । ମଣିଷର ଯଥେଷ୍ଟ ସ୍ମରଣ ଶକ୍ତି ହେତୁ ସିଏ ସଂସାରର ସବୁଠାରୁ ଉନ୍ନତ ପ୍ରାଣୀ ଭାବେ ପରିଚିତ । ମଣିଷ ଆଜି ଯେଉଁ ସ୍ତରରେ ପହଂଚି ପାରିଛି ସେସବୁ କେବଳ ସ୍ମରଣ ଶକ୍ତିର ଆଧାର ମାତ୍ର । ତେଣୁ ଅତ୍ୟଧିକ ସ୍ମରଣ ଶକ୍ତି ଯୁକ୍ତ ମଣିଷର ସାମାଜିକ ମାନ୍ୟତା ଅଧିକ ରହିଥବା ବେଳେ ସ୍ମରଣଶକ୍ତି ରହିତ ମଣିଷ ଗୁଡିକ ମଧ୍ୟ ସମାଜରେ ପାଶୁଭଳି ବଂଚୁଥିବା ଅନୁଭୂତି ବ୍ୟକ୍ତିଗତ ଭାବେ ସମସ୍ତଙ୍କର ରହିଛି । ଇତି ମଧ୍ୟରେ ମଣିଷ ନିଜର ଚତୁରତା, ଜ୍ଞାନ, କୌଶଳ ବ୍ୟବହାର କରିବା ଶିକ୍ଷା ଲାଭ କରି ସାମାଜିକ ମାନ୍ୟତା ସହିତ ଅପୂର୍ବ ସ୍ମୃତି ଗୁଡିଏ ସଂଗଠିତ କରିବାରେ ସକ୍ଷମ ହୋଇପାରିଲା । କାଳକ୍ରମେ ସଂଗଠିତ ସେହି ସ୍ମୃତି, ସାମାଜିକ ମାନ୍ୟତା ଗୁଡିକ ସମୟ ସହିତ ତାଳଦେଇ ପରିପକ୍ୱ ଅବସ୍ଥାରେ ଘନୀଭୂତ ହେବାକୁ ଲାଗିଲା । ତେଣୁ ପ୍ରକୃତିର ନିୟମ ଅନୁଯାୟୀ ମୃତ୍ୟୁକୁ ଉପେକ୍ଷା କରିବା କ୍ଷମତା ବିହୀନ ମଣିଷ ନିଜସ୍ୱ ସଂଗୃହିତ ସାମାଜିକ ତତ୍ୱ, ତଥ୍ୟ ଗୁଡିକୁ ପରିତ୍ୟାଗ କରି ସେହି ଚିରନ୍ତନ ସତ୍ୟକୁ କୋଳାଗ୍ରତ କରିବାରେ ଅଗ୍ରାହ୍ୟ ପ୍ରକାଶ କଲା । ତେଣୁ ମୃତ୍ୟୁଞ୍ଜୟ ପ୍ରଚେଷ୍ଟାରେ ନିମଗ୍ନ ଆବହମାନ କାଳରୁ ଅହରହ ଚେଷ୍ଟାରତ ମଣିଷ ସହଜରେ ମୃତ୍ୟୁକୁ ଗ୍ରହଣ କରିପାରିଲା ନାହିଁ । ଅନ୍ୟାନ୍ୟ ପ୍ରାଣୀ ମାନଙ୍କର ମଣିଷ ଭଳି କୌଣସି ସାମାଜିକ ସମ୍ପଦ, ବୀମା ବ୍ୟବସ୍ଥା ନଥାଇ କେବଳ ଜୀବନ ଧାରଣ କରି ଶେଷରେ ସଂସାର ତ୍ୟାଗ କରିବା ପ୍ରାକୃତିକ ନିୟମକୁ ମଣିଷ ନିଜ କ୍ଷେତ୍ରରେ ସହଜରେ ଗ୍ରହଣ କରିପାରିଲା ନାହିଁ । ତଥାପି ମୃତ୍ୟୁଞ୍ଜୟ ହେବା ପ୍ରଚେଷ୍ଟା ଜାରି ରଖି ପିଢ଼ିକୁ ପିଢ଼ି ମଣିଷ ନୂତନତ୍ୱର ଆବିର୍ଭାବ ହେଉଥାଇ ଆଜିକୁ ପ୍ରାୟ ୨ ଲକ୍ଷ ବର୍ଷ ହେବ ପ୍ରତ୍ୟେକେ ପ୍ରାଣୀ ଚକ୍ର ପ୍ରଣାଳୀରେ ଜନ୍ମ ମୃତ୍ୟୁ ହେଉଥିବା ମଣିଷ ମନକୁ ଆସିଲା । ତେଣୁ ପୃଥିବୀର ସମସ୍ତ ଶକ୍ତିର ଆଧାର ଗୋଟିଏ ସୀମିତ ବଳୟ ଭିତରେ କାର୍ଯ୍ୟକ୍ଷମ ରହି କୌଣସି ଶକ୍ତିର ଉତ୍ପନ୍ନ, କ୍ଷୟ ହେବା ସମ୍ଭାବନା ରହି ନଥିବା କେବଳ ରୂପ, ଗୁଣ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଲା । ଅର୍ଥାତ ମଣିଷ ମଧ୍ୟ ସମ୍ପୂର୍ଣ୍ଣ ଭାବେ କ୍ଷୟ ନହୋଇ କେବଳ ରୂପାନ୍ତରୀଣ ହେଉଥିବା ଅନୁମାନ କରି ସେହି ରୂପାନ୍ତରୀଣ ପ୍ରକ୍ରିୟାର ମୂଳ ଆଧାର ସ୍ୱରୂପ ଆତ୍ମାର ପରିଚୟ ସୃଷ୍ଟି କଲା ! ହେଲେ ଆତ୍ମାର କୌଣସି ପ୍ରୟୋଗାତ୍ମକ ଅନୁଭୂତି ନଥାଇ କେବଳ ଦାର୍ଶନିକ ମତବାଦ ଉପରେ ଆଧାରିତ ଆନୁମାନିକ ତତ୍ୱର ସତ୍ୟତା କ’ଣ ଏପର୍ଯ୍ୟନ୍ତ କେହି ଜାଣିନାହାନ୍ତି ! ଆବହମାନ କାଳରୁ ଅଦ୍ୟାବଧି ମଣିଷ ସମାଜରେ ଆତ୍ମା ଉପରେ ଦିଆଯାଇଥିବା ବିଭିନ୍ନ ଦାର୍ଶନିକ ତତ୍ୱର କୌଣସି ତଥ୍ୟ ଭିତ୍ତିକ ଆଧାର ନଥାଇ କେବଳ ଆନୁମାନିକ ବିଶ୍ୱାସରେ ଚାଲିଛି ଆମ ସଂସାର । ବିଶିଷ୍ଟ ଅନ୍ତର୍ଜ୍ଞାନୀ ତଥା ଦାର୍ଶନିକ ମାନେ ମଧ୍ୟ ସେହି ଆତ୍ମା ଉପରେ କୌଣସି ତଥ୍ୟ ଭିତ୍ତିକ ଉପାଦେୟ ଜ୍ଞାନ ବାହାର କରିବାରେ ଅସମର୍ଥ ରହିଥିବା ବେଳେ ସାଧାରଣ ନିର୍ବୋଧ ସେମାନଙ୍କ ଦ୍ୱାରା ପ୍ରେରିତ ସେହି ସୀମିତ ଜ୍ଞାନକୁ ଜାବୁଡି ଧରି ରଖିଛନ୍ତି । ଏହାର କାରଣ ହେଉଛି ମଣିଷ ନିଜ ଜୀବନରେ ଅର୍ଜନ କରିଥିବା ସମସ୍ତ ସାମାଜିକ ସମ୍ପଦକୁ ପରିତ୍ୟାଗ କରି ଦୁନିଆ ଛାଡି ଚାଲିଯିବାକୁ ଆଦୌ ଇଛୁକ ନୁହେଁ । କିନ୍ତୁ ଜନ୍ମଦାତ୍ରୀ ପ୍ରକୃତିର ନିୟମକୁ ଅବମାନନା କରି ମୃତ୍ୟୁ ସଂଜୀବନୀ ସୂତ୍ରର କୋଣସି ଅନୁସନ୍ଧାନ ନପାଇ ଅଦ୍ୟାବଧି ସମସ୍ତ ମଣିଷ ସମୟରେ ଇହଲୀଳା ସମ୍ବରଣ କରୁଥିବା ସମସ୍ତେ ଜାଣୁଛନ୍ତି । ତେଣୁ ନିଜେ ମଧ୍ୟ ସେହି ବିଭିଷୀକାରୁ ବାଦ ପଡିବା ସମ୍ଭାବନାକୁ ଅଗ୍ରହଣୀୟ କଲେ ମଧ୍ୟ କୌଣସି ଫଳପ୍ରଦ ହେବନାହିଁ ବୋଲି ଜାଣୁଛନ୍ତି । କିନ୍ତୁ ନିଜସ୍ୱ ଅର୍ଜିତ ସାମାଜିକ ସମ୍ପଦ ଗୁଡିକୁ ସବୁଦିନ ପାଇଁ ଛାଡି ଚାଲିଯିବା ଆଗ୍ରହ ହେଉନଥିବା ହେତୁ ବସ୍ତୁବାଦୀ ବିଚାର ବ୍ୟତୀତ ଅତି କମ୍ରେ ସେହି ଆତ୍ମା ସହିତ ନିଜର ଦକ୍ଷତା, କ୍ଷମତା, ଶିକ୍ଷା, ଜ୍ଞାନ, ଗୁଣ ଆଦି ନେଇ ଅନ୍ୟତ୍ର ଜନ୍ମ ଗ୍ରହଣ କରିବା ଲକ୍ଷ ରଖି ସବୁବେଳେ ଆତ୍ମାର ସମ୍ମାନ କରୁଥିବା ଗୋଟିଏ ସାମାଜିକ ସର୍ବ ଗ୍ରହଣୀୟ ବିଷୟ ଭାବେ ଦେଖିବାକୁ ମିଳୁଛି ସମସ୍ତଙ୍କ ଭାବଧାରରେ । କିନ୍ତୁ ଏପର୍ଯ୍ୟନ୍ତ ସେମିତି କୌଣସି ଘଟଣା କାହାର ଦୃଷ୍ଟି ଗୋଚର ହୋଇନଥିଲେ ମଧ୍ୟ ଏକ ସମ୍ବେଦନଶୀଳ ଦୃଷ୍ଟିକୋଣରେ ଆତ୍ମାକୁ ସବୁବେଳେ ସାଇତି ରଖିଥିବା ମଣିଷର ଏକ ଅଲୌକିକ ଭାବନାର ଅନ୍ତ ହେଉନାହିଁ । ଏହାର କାରଣ, ନିରାକରଣ ବ୍ୟାପକ ହୋଇଥିବା ବେଳେ ସାଧାରଣରେ ସତ୍ୟକୁ ଉନ୍ମୋଚନ କରି ବାସ୍ତବତାକୁ ଆପଣେଇବାକୁ କେହି ରାଜି ନୁହନ୍ତି କି ସକ୍ଷମ ନୁହନ୍ତି । ତେଣୁ ଆତ୍ମାର ପ୍ରାଧାନ୍ୟତା ସର୍ବ କ୍ଷେତ୍ରରେ ଅଦ୍ୟାବଧି ଚିର ସ୍ମରଣିୟ ହୋଇ ରହିଛି । ତାହାର ବାସ୍ତବତା ଜାଣିବାକୁ ହେଲେ ଅନେକ ଉପାୟ ରହିଥିବା ବେଳେ ଜାଣିବାର ଆଗ୍ରହ ସୃଷ୍ଟି ହେଲେ ସତ୍ୟକୁ ଜାଣିହେବ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭବ ବ୍ୟକ୍ତ କରିବେ ବୋଲି ଆଶା…….!
ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ