ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଆଦିବାସୀ ଅଧ୍ୟୁସୀତ ରାଇବଣିଆର ୧୪ଟି ପଂଚାୟତରେ ମୋଟ ଜନସଂଖ୍ୟାର ୫୦ପ୍ରତିଶତ ଆଦିବାସୀମାନେ ବାସ କରିଥାନ୍ତି । ସେମାନଙ୍କ ସ୍ୱାସ୍ଥ୍ୟସେବା ଲାଗି ହାତୀଗଡଠାରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । କିନ୍ତୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଅର୍ଥ ଆସୁଥିଲେ ମଧ୍ୟ ହସ୍ପିଟାଲ ବିକାଶରେ ଅନ୍ତରାୟ ସୃଷ୍ଟି ହେଉଛି । ନିକଟରେ ସେଠାକାର ହସ୍ପିଟାଲ ପରିସରରେ ରାସ୍ତାନିର୍ମାଣ ଏକ ସୃଦୃଶ୍ୟ ଫାଟକ ନିର୍ମାଣ, କାଉ କେଚର ନିର୍ମାଣ ଲାଗି ଏହି ହସ୍ପିଟାଲକୁ ୧୩ଲକ୍ଷ ଟଙ୍କା ଦିଆଯାଇଥିଲା । କିନ୍ତୁ ଅଦ୍ୟାବଧି ଫାଟକ କିମ୍ବା କାଉକେଚାର ନିର୍ମାଣ ନ ହେବା ଦେଖିବାକୁ ମିଳୁଥିବା ବେଳେ କେତେକ ରାସ୍ତା ନିର୍ମାଣ ହୋଇଛି । ପ୍ରକାଶଯୋଗ୍ୟ ରାସ୍ତା ଉପରେ ବର୍ଷା ପାଣି ଛିଡା ହେଉଥିବାରୁ ଏବଂ ଜଳନିଷ୍କାସନର ବ୍ୟବସ୍ଥା ନ ଥିବାରୁ ତାହା କାର୍ଯ୍ୟରେ ଆସୁନାହିଁ । ଏହି ଅର୍ଥ ଖର୍ଚ୍ଚ ସରିଥିବା ସଂପର୍କରେ ଜଣାଯାଇଥିଲେ ମଧ୍ୟ କେଉଁଠି ଖର୍ଚ୍ଚହେଲା ତାହା ସନ୍ଦେହ ସୃଷ୍ଟି କରିଛି । ଗତ କିଛିମାସ ତଳେ ଫଣି ଝଡତୋଫାନରେ ହସ୍ପିଟାଲର ପାଚେରୀଟି ଓଲଟି ପଡିଥିଲା । ଏହି ପାଚେରୀ ନିର୍ମାଣ ଲାଗି ୫ଲକ୍ଷ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ ତାହା ନିର୍ମାଣ ହୋଇନାହିଁ । ପାଚେରୀ ନ ଥିବା ଏବଂ କାଉକେଚର ନ ଥିବାରୁ ଗୋରୁ, ଗାଈ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଉଛନ୍ତି । ସେଠାରେ ହୋଇଥିବା ବୃକ୍ଷରୋପଣ ନଷ୍ଟଭ୍ରଷ୍ଟ ହୋଇଯାଇଛି । ସେଠାକୁ ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟମାନଙ୍କ ଲାଗି ଏକ ଶୌଚାଳନ ନିର୍ମାଣ ଲାଗି ୬ଲକ୍ଷ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ ତାହା ଅଦ୍ୟାବଧି ନିର୍ମାଣ ହୋଇନାହିଁ । ମୋଟ ୨୪ଲକ୍ଷ ଟଙ୍କା କାର୍ଯ୍ୟସଂପର୍କରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଏହି ଟଙ୍କା ସେଠାରେ ଖର୍ଚ୍ଚ ହୋଇଛିକି ନାହିଁ ବିଭାଗୀୟ ତଦନ୍ତ ଲାଗି ଦାବୀ ହେଉଛି । ପ୍ରକାଶଯୋଗ୍ୟ ଅତୀତରେ ସେଠାରେ ହସ୍ପିଟାଲର ଏକ ନୂତନ ଗୃହ କର୍ମଚାରୀଙ୍କର କ୍ୱାଟର ମରାମତିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସେ ସବୁ ନିମ୍ନମାନର ବୋଲି ଗ୍ରାମ୍ୟଉନ୍ନୟନ ବିଭାଗ ଓ ଜିଲାପାଳଙ୍କ ଅଭିଯୋଗ ହୋଇଥିଲେ ମଧ୍ୟ ତାହାର କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବୀ ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା