ଆମ ଦେଶ ଭାରତ ବରପୁତ୍ରମାନଙ୍କୁ ନେଇ ସର୍ବଦା ଗର୍ବିତ । ଏଭଳି ବହୁତ ବରପୁତ୍ର ଅଛନ୍ତି ଯେଉଁମାନେ ଦେଶମାତୃକାକୁ ସମ୍ମାନର ସହ ଆଗକୁ ଆଗେଇ ନେଇଛନ୍ତି । ସେହିଭଳି ବରପୁତ୍ରମାନଙ୍କର ଉତ୍ତରପିଢି ଭାବରେ ଆମେ ଭାଗ୍ୟବାନ । ସେହିଭଳି ଜଣେ ବରପୁତ୍ର ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଭୀମରାଓ ରାମଜୀ ଆମ୍ବେଦକରଙ୍କର ଆଜି ପବିତ୍ର ଜନ୍ମଦିନ । ଏହିଭଳି ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କ ଜନ୍ମ ତିଥିରେ ତାଙ୍କ ପ୍ରତି ମୁଁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ସ୍ୱାଧୀନୋତ୍ତର କାଳରେ ଯେଉଁ କେତେଜଣ ମନୀଷୀ ନିଜର ସାଧନା, ନିଷ୍ଠା, ଅଧ୍ୟବାସୟ ଓ ଆଦର୍ଶ ବଳରେ ସାଂପ୍ରତିକ ସମାଜ ତଥା ରାଜନୈତିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି ସେମାନଙ୍କ ମଧ୍ୟରେ ବାବା ସାହେବ ଡକ୍ଟର. ଭୀମରାଓ ରାମଜୀ ଆମ୍ବେଦକର ଥିଲେ ଅନ୍ୟତମ । ସେ ଦଳିତ, ନିଷ୍ପେସିତ ଜାତିର ଯୋଗ୍ୟ ପ୍ରତିନିଧି ଭାବେ ସୁପରିଚିତ । ଡ଼କ୍ଟର. ଆମ୍ବେଦକର ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାର ଅମ୍ବଭାଡେ ଗ୍ରାମରେ ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଏକ ଦରିଦ୍ର ମାହାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ରାମଜୀ ସକପାଲ ଓ ମାତାଙ୍କ ନାମ ଥିଲା ଭୀମବାଇ । ବାବା ସାହେବ ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନୀ ତଥା ବାବାସାହେବଙ୍କ ଅବଦାନ ପାଇଁ ଆଜି ଭାରତରେ ଶୂଦ୍ରମାନେ ସମସ୍ତ ପ୍ରକାର ମୌଳିକ ଅଧିକାର, ସରକାରୀ ସୁବିଧା ସୁଯୋଗ ପାଇ ପାରୁଛନ୍ତି କେବଳ ଶୁଦ୍ର ମାନେ ନୁହଁ ବରଂ ସେ ସମୟରେ ସେ ଶ୍ରମିକମାନଙ୍କର ମଜୁରୀ ସମସ୍ୟା, ମାଲିକ ଓ ଶ୍ରମିକ ମାନଙ୍କ ମଧ୍ୟରେ ସମ୍ପର୍କ ତଥା କୃଷକମାନଙ୍କର ଆର୍ଥିକ ଉନ୍ନତି ପ୍ରତି ଧ୍ୟାନ ଦେଇଥିଲେ । ଆଜି ଏସସି, ଏସଟି, ଓବିସି ବର୍ଗ ହେଉ କି ମହିଳା ସମାଜ ହେଉ ସଂରକ୍ଷଣ ଯୋଗୁଁ ଶିକ୍ଷା, ସରକାରୀ ଚାକିରୀ ଏବଂ ରାଜନୈତିକ କ୍ଷେତ୍ରରେ ସେମାନଙ୍କ ଉପସ୍ଥିତି ଜାହିର କରି ପାରୁଛନ୍ତି । ଡ.ଆମ୍ବେଦକର ଥିଲେ ଭାରତୀୟ ସମ୍ବିଧାନ ନିର୍ମାଣର ଅଧ୍ୟକ୍ଷ । ସେ ହିଁ ଭାରତୀୟ ସମ୍ବିଧାନର ଜନକ । ଏଣେ ମେଧୁମେହ ରୋଗରେ ଆକ୍ରାନ୍ତ । ତେଣେ ସମ୍ବିଧାନ ପ୍ରଣୟନ କରବାର ଗୁରୁ ଦାୟିତ୍ୱ ବହନ କରି କଠୋର ପରିଶ୍ରମ ବଳରେ ବିଶ୍ୱର ସର୍ବ ବୃହତ୍ତ ସମ୍ବିଧାନ ନିର୍ମାଣ କଲେ । ଏଥିପାଇଁ ୨ ବର୍ଷ ୧୧ମାସ ୧୮ ଦିନ ଲାଗିଥିଲା । ସେଥିରେ ୩୯୫ ଅନୁଛେଦ, ୮ଟି ଅନୁସୂଚି ଏବଂ ୨୨ଟି ଭାଗରେ ବିଭକ୍ତ କରାଯାଇଥିଲା । ଏହି ସମ୍ବିଧାନକୁ ୧୯୪୯ ମସିହା ନଭେମ୍ବର ୨୬ ତାରଖ ଦିନ ସମ୍ବିଧାନ ସଭାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦଙ୍କୁ ଅର୍ପଣ କରାଯାଇ ଅଙ୍ଗିକାର କାରାଯାଇଥିବା ବେଳେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତରେ ଲାଗୁ କରାଯାଇଥିଲା । ବଡ଼ ଦୁଃଖର ବିଷୟ ଏହି ଯେ ତାଙ୍କର ଉଚ୍ଚଶିକ୍ଷା ସତ୍ତ୍ୱେ ଅସ୍ପୃଶ୍ୟତା କଳଙ୍କରୁ ସେ ମୁକ୍ତି ପାଇ ପାରି ନ ଥିଲେ । ସେତେବେଳେ ସମାଜରେ ଉଚ୍ଚନୀଚ ଭେଦଭାବ ତଥା ଅସ୍ପୃଶ୍ୟତା ଉତ୍କଟ ରୂପ ଧାରଣ କରିଥିଲା । ଲୋକେ ହରିଜନ ଓ ଆଦିବାସୀଙ୍କୁ ସ୍ପର୍ଶ କରୁନଥିଲେ । ଏପରିକି ସେମାନଙ୍କ ଛାଇ ମଧ୍ୟ ମାଡୁ ନଥିଲେ, ଶଗଡ଼ ଗାଡ଼ିରେ ଯିବା ପାଇଁ ସେମାନଙ୍କୁ ମନା ଥିଲା । ସର୍ବସାଧାରଣ କୂଅ ପୋଖରୀରୁ ସେମାନଙ୍କୁ ପାଣି ମିଳୁନଥିଲା, ଏପରିକି ପିଅନ ମାନେ ଦୂରରୁ ତାଙ୍କ ଟେବୁଲ ଉପରକୁ ଫାଇଲ ଫୋପାଡ଼ିବା ଠାରୁ ଆରମ୍ଭ କରି ପିଇବାକୁ କେହି ପାଣି ଗ୍ଲାସ ଟିଏ ମଧ୍ୟ ଦେଉନଥିଲେ, ବାରିକ ମାନେ ତାଙ୍କୁ ଖେର କରୁ ନଥିଲେ । ସେ ଭଲ ଭାବରେ ଜାଣିଥିଲେ ସେ କୌଣସି ପାପ ବା ଅନ୍ୟାୟର ବଶବର୍ତ୍ତୀ ହୋଇଥାନ୍ତି । ତାଙ୍କର ଏକମାତ୍ର ଦୋଷ ହେଲା ସେ ମାହାର ଜାତିରେ ଜନ୍ମ ଗ୍ରହଣ କରିଛନ୍ତି । ସମାଜରେ ନ୍ୟାର୍ଯ୍ୟ ଅଧିକାର ଓ ସ୍ଥାନ ପାଇବା ପାଇଁ ଅସ୍ପୃଶ୍ୟ ମାନଙ୍କୁ ବିପ୍ଳବତ୍ମକ ପନ୍ଥା ଗ୍ରହଣ କରିବାକୁ ପଡିବ ବୋଲି ସେ କାର୍ଯ୍ୟ ପନ୍ଥା ସ୍ଥିର କଲେ । ସମାଜ ସଂସ୍କାରଣ କ୍ରାନ୍ତିକାରୀ ଭୂମିକା ଯୋଗୁଁ ତାଙ୍କୁ କେହି କେହି ଆଧୁନିକ ମନୁ, ଲିଙ୍କନ, ମାର୍ଟିନଲୁଥର କିଙ୍ଗ, ମାର୍କସଙ୍କ ସଂସ୍କରଣ ମନେ କରୁଥିଲେ । ସେ ମଧ୍ୟ ହିନ୍ଦୁ ବିବାହ ଆଇନ, ହିନ୍ଦୁ ସକସେସନ ଆକ୍ଟ, ହିନ୍ଦୁ ମାଇନରଟି ଆକ୍ଟ, ଗାଡିଏନସିପ ଆକ୍ଟ ଏବଂ ହିନ୍ଦୁ ମେଣ୍ଟେନାନ୍ସ ଆକ୍ଟ ପ୍ରଭୁତିରେ ରୂପରେଖ ପ୍ରସ୍ତୁତ କରି ପାର୍ଲିଆମେଣ୍ଟ ଅନୁମୋଦନ କରାଇପାରିଥିଲେ । ଏଥିପାଇଁ ଗଜେନ୍ଦ୍ର ଗଡ଼କର ତାଙ୍କୁ ‘ଆଧୁନିକ ମନୁ’ ବୋଲି ସମ୍ବୋଧନ କରିଥିଲେ ଏବଂ ବୌଦ୍ଧଧର୍ମ ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠା ଦେଖି ବୌଦ୍ଧ ଭିକ୍ଷୁ ତାଙ୍କୁ ବୋଧିସତ୍ୱ ଉପାଧିରେ ଭୂଷିତ କରିଥିଲେ । ଏହି ମହାନ ଯୁଗଜନ୍ମା ମହାପୁରୁଷଙ୍କ ଜୀବନର ପରିସମାପ୍ତି ଘଟିଲା ୧୯୫୬ ମସିହା ଡିସେମ୍ବର ୬ ତାରିଖରେ ଏବଂ ୭ ତାରିଖରେ ବମ୍ବେର ‘ଦଦାର ଚୈପାଟି’ ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ ହେଲା । ବର୍ତ୍ତମାନ ଏହି ଚୈଲ୍ୟଭୂମି ‘ଦାଦର’ ଭାବେ ପରିଚିତ । ବାସ୍ତବିକ ସେ ଥିଲେ ଏକା ଧାରାରେ ଅର୍ଥନିତୀଜ୍ଞ, ଆଇନଜ୍ଞ, ସମାଜ ସଂସ୍କାରକ, ଗବେଷକ, ଦକ୍ଷ ପ୍ରଶାସକ, ଜନନେତା ଓ ରାଷ୍ଟ୍ରନାୟକ । ତାଙ୍କର ରଚିତ ସମ୍ଭିଧାନ ପୃଥିବୀର ସର୍ବଶ୍ରେଷ୍ଠ ସମ୍ବିଧାନ ବୋଲି ଗଣନା କରାଯାଉଛି । ତାଙ୍କ ମହାପରାୟଣର ୩୩ ବର୍ଷ ପରେ ଅର୍ଥାତ ୧୯୯୦ ମସିହାରେ ଭାରତ ସରକାର ତାଙ୍କୁ ମରୋଣତ୍ତର ‘ଭାରତ ରତ୍ନ’ ଉପାଧିରେ ଭୂଷିତ କରିଥିଲେ । ସେ ଆଜି ନାହାନ୍ତି ସତ ତାଙ୍କର ଅମର କୀର୍ତ୍ତି ଚିରଦିନ ପାଇଁ ମାନବ ସମାଜକୁ ପ୍ରେରଣା ଓ ଦିଗଦର୍ଶନ ଯୋଗାଇ ଆସୁଥିବ ।
କିଶୋର କୁମାର ନାୟକ
ଯୁବ ଆଇନଜୀବୀ
ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ