ଆନ୍ତଃ ରାଜ୍ୟ ବସ୍‌ ପରିବହନ ପାଇଁ ସ୍ୱତନ୍ତ୍ର ଅନୁମତି ଦେବ ଆର୍‌ଟିଓ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆନ୍ତଃ ରାଜ୍ୟ ବସ୍‌ ପରିବହନ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ସ୍ୱତନ୍ତ୍ର ଅନୁମତି(ସ୍ପେଶାଲ ପର୍‌ମିଟ୍‌) ଦେବେ ବୋଲି ଜଣାପଡିଛି । ସାଧାରଣ ପରିବହନ ସେବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କୁ ଅନୁମତି ଦେବାକୁ ପଡୁଥିଲା । ଅନୁମତି ପାଇବା ପାଇଁ ଏସ୍‌ଟିଏ କାର୍ଯ୍ୟାଳୟରେ ବସ୍‌ ମାଲିକ ଓ ସେମାନଙ୍କର ପ୍ରତିନିଧିମାନଙ୍କ ପ୍ରବଳ ଭିଡ଼ ଜମୁଛି । ଏହାକୁ ଦୃଷ୍ଟିରେ ରଖି ଆର୍‌ଟିଓମାନଙ୍କୁ ଏହି କ୍ଷମତା ହସ୍ତାନ୍ତର କରାଯାଇଥିବା ଏସ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଥିବାରୁ ଯାତ୍ରୀବାହୀ ବସ୍‌ଗୁଡ଼ିକୁ ତନଖି କରିବାର ଆବଶ୍ୟକତା ରହିଛି । ‘ବାହନ’ ଜରିଆରେ ଅନ୍‌ଲାଇନ ଆବେଦନ ପାଇଁ ପଦକ୍ଷେପ ନିଆଯାଉଥିବା ଏସ୍‌ଟିଏ ପକ୍ଷରୁ କୁହାଯାଇଛି । ବସ୍‌ ମାଲିକମାନେ ଅନ୍‌ଲାଇନ ଜରିଆରେ ସ୍ୱତନ୍ତ୍ର ଅନୁମତି ନେଇ ପାରିବେ । ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ଆର୍‌ଟିଓମାନେ ସ୍ୱତନ୍ତ୍ର ଅନୁମତି ଆବେଦନ କରିବା ଦିନ ବସ୍‌ ମାଲିକଙ୍କୁ ପର୍‌ମିଟ୍‌ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହନ ଆପ୍ଲିକେଶନ ଆରମ୍ଭ ହେବା ଯାଏଁ ବସ୍ ‌ମାଲିକମାନେ ଆର୍‌ଟିଓ କାଉଣ୍ଟରରେ ଆବେଦନ କରି ସ୍ପେଶାଲ ପର୍‌ମିଟ୍‌ ନେଇ ପାରିବେ ବୋଲି କୁହାଯାଇଛି । ଏହି ସ୍ପେଶାଲ ପର୍‌ମିଟ୍‌ ୧୫୦ ଦିନ ଅର୍ଥାତ୍‌ ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ପ୍ରଦାନ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା