ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଓଡି଼ଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ବିଶ୍ୱ-ଭାଇଚାରା ଓ ‘ବସୁଧୈବ କୁଟୁମ୍ବକମ୍’ ଆଦର୍ଶରେ ସମଗ୍ର ବିଶ୍ୱବାସୀଙ୍କୁ ଅନୁପ୍ରେରିତ କରି ଆସିଛି l କେବଳ ସୁପ୍ରାଚୀନ ନୁହେଁ, ଅଧିକନ୍ତୁ ଆମ ଭାଷା, ଆମ ସାହିତ୍ୟ ଓ ଆମ ସଂସ୍କୃତି ସମୁନ୍ନତ ଜୀବନର ସନ୍ମାର୍ଗ ପ୍ରଦର୍ଶନ କରି ଆସିଛି ବୋଲି ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି l ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ, ନୂଆଦିଲ୍ଲୀ ଆନୁକୂଲ୍ୟରେ ସ୍ଥାନୀୟ ‘ଜୟଦେବ ଭବନ’ରେ ସୋମବାର ଦିନ ଆୟୋଜିତ ତ୍ରୟୋଦଶ ଜାତୀୟ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀକୁ ଉଦ୍ଘାଟନ କରି ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଏହି ମର୍ମରେ ଉଦ୍-ବୋଧନ ଦେଇଥିଲେ l ଓଡ଼ିଶାର ସମୃଦ୍ଧ ପରମ୍ପରା ଓ ମହାନ୍ ସଂସ୍କୃତି ସମ୍ପର୍କରେ ଆଲୋକପାତ କରି ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଲେ, ଆମ ପାଇଁ ଆମ ମାଆ, ମାଟି ଓ ମାତୃଭାଷା ସବୁଠାରୁ ଊର୍ଦ୍ଧ୍ଵରେ l ଓଡ଼ିଶାର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ଏବଂ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଦଳବେହେରାଙ୍କ ଠାରୁ ଆରମ୍ଭ କରି ଅନେକ ବୀରପୁତ୍ର ଉତ୍କଳ ଜନନୀଙ୍କ ଟେକ ରକ୍ଷା ନିମନ୍ତେ ଜୀବନ ଉତ୍ସର୍ଗ କରିଥିଲେ l ଆମର ବାର ମାସରେ ତେର ପର୍ବ ଓ କୃଷି ଭିତ୍ତିକ ସଂସ୍କୃତି ସମଗ୍ର ବିଶ୍ୱରେ ବିରଳ l ଏହି ମହାନ୍ ସଂସ୍କୃତିର ଉତ୍ତର ଦାୟାଦ ରୂପେ ସମସ୍ତେ ନିଜ ଅଧିକାର ପାଇଁ ଲଢ଼େଇ କରିବା ସହ ଓଡ଼ିଆ ସ୍ୱାଭିମାନକୁ ନେଇ ଗର୍ବ କରନ୍ତୁ ବୋଲି ମହାମହିମ ରାଜ୍ୟପାଳ ଆହ୍ୱାନ ଦେଇଥିଲେ l ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ମୁଖ୍ୟ ସଂଯୋଜକ ସୁଶାନ୍ତ କୁମାର ସାବତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଉଦ୍ୟୋଗପତି ପଦ୍ମଶ୍ରୀ ରବି ବସ୍ତିଆ, ‘ସମାଜ’ର ସମ୍ପାଦକ ଡ. ପ୍ରମୋଦ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ଡ. ବଦ୍ରିନାଥ ପଟ୍ଟନାୟକ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରଫୁଲ୍ଲ କୁମାର ମହାନ୍ତି ଓ ପ୍ରାକ୍ତନ ବିଧାୟକ ବିଶିଷ୍ଟ ପରିବେଶବିତ୍ ଡ. ଦିଲୀପ ଶ୍ରୀଚନ୍ଦନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଓଡ଼ିଶାର ମହାନ୍ ସଂସ୍କୃତି ଓ ପରମ୍ପରାର ସ୍ବାତନ୍ତ୍ର୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କୁ ପ୍ରଶସ୍ତିପତ୍ର ଓ ଉପଢୌକନ ସଭାପତି ଶ୍ରୀ ସାବତ ପ୍ରଦାନ ସହ ଏହି ଜାତୀୟ ସମ୍ମିଳନୀରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଡ. ସୂଚନା ପାଢ଼ୀଙ୍କ ଦ୍ୱାରା ଅନୂଦିତ ଗ୍ରନ୍ଥ ‘କାଦମ୍ବରୀ’କୁ ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନେ ଲୋକାର୍ପିତ କରିଥିଲେ l ଡ. କୁଳମଣି ଓଝା ଦିବସ ବ୍ୟାପୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ଭାବଗମ୍ଭୀର ବାତାବରଣ ଓ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ମୁଖ୍ୟଅତିଥି ଶ୍ରୀ ହରିଚନ୍ଦନ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମ୍ମିଳନୀର ଶୁଭାରମ୍ଭ କରିଥିଲେ l ସ୍ୱାଭିମାନ ପ୍ରତିଷ୍ଠାନର ରାଜ୍ୟ ସମ୍ପାଦଜ ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମହାନ୍ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ନିମନ୍ତେ ପଦ୍ମଶ୍ରୀ ରବି ବସ୍ତିଆ, ବଜରଙ୍ଗଲାଲ ଚୌଧୁରୀ, ପଣ୍ଡିତ ନୀଳମାଧବ ତ୍ରିପାଠୀ, ଡ. ମନୋଜ କୁମାର ଖଟୁଆ, ଶ୍ରୀମତୀ ରାମେଶ୍ଵରୀ ନନ୍ଦ, ସୁଶ୍ରୀ ଆଦ୍ୟାଶ୍ରୀ ସାବତ୍, ବିଜୟ କୁମାର ମହାନ୍ତି, ଡ. ବିନୋଦ ଚନ୍ଦ୍ର ସାବତ୍, ବିନୋଦ କୁମାର ବେହେରା, ସଂଯୁକ୍ତା ପଣ୍ଡା, ରାଜା ସେନାପତି, ସଞ୍ଜୟ ଖଟୁଆ, ଗୋପୀନାଥ ପଟ୍ଟନାୟକ ସ୍ଵିଟି ସାହୁ, ସୁଶାନ୍ତ ସାହୁ, ଦୀପ୍ତିରଞ୍ଜନ ପାତ୍ର, ରାଜୀବ ମିଶ୍ର, ଭୀଷ୍ମାଚାର୍ଯ୍ୟ ଚୌଧୁରୀ,ପ୍ରମୁଖଙ୍କୁ ଉପାୟନ ଓ ପ୍ରଶସ୍ତିପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଅପରାହ୍ଣ ବୈଷୟିକ ଅଧିବେଶନରେ ପ୍ରତିଷ୍ଠାନର ସଭାପତି ସୁଶାନ୍ତ କୁମାର ସାବତ୍ ଅଧ୍ୟକ୍ଷତା କରିଥିଲେ ‘ଓଡ଼ିଶାର ବିକାଶରେ ପ୍ରବାସୀ ଓଡ଼ିଆଙ୍କ ଭୂମିକା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଗୁରୁକଲ୍ୟାଣ ମହାପାତ୍ର, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରଫୁଲ୍ଲ କୁମାର ମହାନ୍ତି, ଦୂରଦର୍ଶନର ପ୍ରାକ୍ତନ ସମାଚାର ବିଭାଗ ମୁଖ୍ୟ ଗୋପାଳ ମହାପାତ୍ର, ଗଣମାଧ୍ୟମ ପ୍ରତିନିଧି ଦିଲୀପ ଦାସ, ବିଶିଷ୍ଟ ସମାଜସେବୀ ଗୋପୀନାଥ ପଟ୍ଟନାୟକ, ପ୍ରବାସୀ ଓଡ଼ିଆ ଡ. ମନୋଜ କୁମାର ଖଟୁଆ, ଓ ଭାରତ ବିକାଶ ପରିଷଦ ଓଡ଼ିଶା-ପୂର୍ବ ସଭାପତି ସତ୍ୟବାଦୀ ଦାସ ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ପ୍ରବାସୀ ଓଡ଼ିଆମାନଙ୍କ ପଞ୍ଜିକରଣ ସହ ଡାଟା-ବେସ୍ ପ୍ରସ୍ତୁତି ଓ ପ୍ରବାସୀ ଓଡ଼ିଆ ବସବାସ କରୁଥିବା ବିଭିନ୍ନ ସ୍ଥାନରେ ଓଡ଼ିଶା ଭବନ ନିର୍ମାଣ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଓଡ଼ିଶାର ସାମଗ୍ରିକ ଉନ୍ନତି ଓ ସମୃଦ୍ଧିରେ ପ୍ରବାସୀ ଓଡ଼ିଆଙ୍କ ବିଶେଷ ଯୋଗଦାନ ରହୁଥିବାରୁ ସେମାନଙ୍କ ସହିତ ଭାବଗତ ସମ୍ପର୍କ ସ୍ଥାପନ କରାଯାଉ ବୋଲି ବକ୍ତାମାନେ କରିଥିଲେ l ସୁଶାନ୍ତ କୁମାର ସାବତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍-ଯାପନୀ ଉତ୍ସବରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି, ପୂର୍ବତନ ଆରକ୍ଷୀ ମହାଅଧିକ୍ଷକ ସନ୍ତୋଷ କୁମାର ଉପାଧ୍ୟାୟ, ପ୍ରାକ୍ତନ ବିଧାୟକ ଡ. ଦିଲୀପ ଶ୍ରୀଚନ୍ଦନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ଏଭଳି କାର୍ଯ୍ୟକ୍ରମର ଭୂୟୋ ପ୍ରଶଂସା କରିଥିଲେ l ଏହି ଅବକାଶରେ ବ୍ରହ୍ମପୁର ଫ୍ରେଣ୍ଡସ ହେଲ୍ରପିଂ କ୍ଲବ୍, ଟିମ୍ କ୍ଲିନ୍ ସିଟି, ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ, ଓଡ଼ିଆ ଗୁରୁକୁଳ, ଆଇ.ଆର୍.ସି. ଭିଲେଜ ଲେଡିସ୍ ଆସୋସିଏସନ୍, ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲଡ ପ୍ରଭୃତି ସଂଗଠନକୁ ପୁରସ୍କୃତ କରାଯାଇଥିଲା l କଳାଞ୍ଜଳି ଆର୍ଟିଷ୍ଟୋରୀ ଟ୍ରଷ୍ଟ୍ କଳାକାରଙ୍କ ସମେତ ଆଦ୍ୟାଶ୍ରୀ ସାବତ ଓ ତାଙ୍କ ନୃତ୍ୟଗୁରୁ ନୃତ୍ୟ ପରିବେଷଣ କରିଥିଲେ l ଆଲୋଚନା ଚକ୍ର ଓ ଉଦ୍-ଯାପନୀ ଉତ୍ସବ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ଡ. କୁଳମଣି ଓଝା ଏବଂ ଏହି ଜାତୀୟ ସମ୍ମିଳନୀ ପରିଚାଳନାରେ ଶ୍ରୀମତୀ ରାମେଶ୍ୱରୀ ନନ୍ଦ, ଶ୍ରୀକାନ୍ତ ସାବତ, ସୁଶାନ୍ତ ସାହୁ,ପ୍ରମୁଖ ସହଯୋଗ କରିଥିଲେ l