ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷ୍ୟେ ଉପସ୍ଥାପନା ‘ମଣିଷ ପରି ଟିକେ ବଞ୍ଚିବାକୁ ଦିଅ’

ମଦ ପିଇ ମାତାଲ ହୋଇ ନିତି ନିତି ଘରକୁ ଫେରେ ରାମୁଲୁ । ସ୍ତ୍ରୀ ଏବଂ ଛ’ ସାତ ବର୍ଷର ଝିଅକୁ ନେଇ ତାର ତେଲ, ଲୁଣର ସଂସାର ।ରାମୁଲୁ ପ୍ରତିଦିନ ମଦ ପିଇକି ଆସି କଳି କଜିଆ କରେ । ସ୍ତ୍ରୀ ଉପରେ ଅକଥନୀୟ ଅତ୍ୟାଚାର କରେ । ମାଡ ଆଉ ଗାଳି ତ’ ସାଧାରଣ କଥା ତା’ ପାଇଁ ।ଏହି ସବୁ ଭିତରେ ଅଣନିଶ୍ବାସୀ ହୋଇ ଯାଆନ୍ତି ମା ‘ ଆଉ ଝିଅ ଦୁହେଁ..କିଛି ଉପାୟ ଖୋଜି ପାଏନି ରାଧା । ଅତି ଦୟନୀୟ ଅବସ୍ଥାରେ କି ଦିନ କି ରାତି କେଜାଣି କେତେବେଳେ ବିତିଯାଏ ।

-“ରାଧା.. ରାଧା…!
ଚମକି ପଡିଲା ରାଧା ।
ସ୍ବାମୀ ରାମୁଲୁର କି’ ସୁନ୍ଦର ଡାକ ଆଜି। ଘର ଭିତରକୁ ପଶୁ ପଶୁ କି ପ୍ରେମପୂର୍ଣ, ପ୍ରୀତି ଭରା ସମ୍ବୋଧନ…ଏ କି ବିପରୀତ କଥା ?

-” ଆରେ କୁଆଡେ ଗ…ଲୁ..ଲୋ ମୋ ରାଧାରାଣୀ.. ମୋ ରାଧା..ଆ, ଏଇଠିକି ।” ଝିଅଟି ଡରି ମରି କବାଟ କୋଣେ ଛିଡା ହେଇଥାଏ କାଠ ପରି । ବାପା ଆଜି ପୁଣି ପିଇ କି ଆସିଥିବ… ମା’ କୁ ମାରିବ..ଆସବାସପତ୍ର ଫିଙ୍ଗାଫୋପଡା କରିବ..ଏହି ଭୟରେ ସରଳ ମନ ତାର କୁରୁଳି ଉଠେ । ଝିଅଟିର କୋମଳ ମନରେ ନାନା ପ୍ରଶ୍ନ , ନା, ନା ପ୍ରକାର ଭୟ ,ଆଶଙ୍କା…ସବୁଦିନ ପରି…ଆଜି କୋଉ ନୂଆ କଥା ଯେ ।..

ରାମୁଲୁର କର୍କଶ ସ୍ୱର ଶୁଣାଗଲା ।
-” ତତେ ଡାକୁଛି ପରା…ଶୁଭୁନି କି ?
ମରିଗଲୁ ନା’ କ’ଣ ?” ରାଧା ଶୁଣି କିଛି ନ, ଶୁଣିଲା ପରି ବାରିପଟ ଚାଳିଆ ପାଖେ ଛିଡା ହେଇଥାଏ । ଆଜି କି ସରାଗରେ ଡାକୁଚି ସେ ? ମନରେ ଗୁଡାଏ ଏଣୁତେଣୁ ଭାବନା ।

ରାମୁଲୁ ପୁଣି ଝିଅକୁ ଡାକିଲା ।

-” ଆଲୋ ଝିଅ, ଆସିଲୁ ଟିକେ ମୋ ପାଖକୁ.. ଦେଖିଲୁ ମୁଁ କଣ ଆଣିଚି ତୋ ପାଇଁ। “

ଭୟରେ ଝିଅଟି ଦଉଡି ପଳଉ ଥିବା ସମୟରେ ସ୍ନେହରେ ତାର ହାତ ଧରି ପାଖକୁ ଟାଣି ଆଣିଲା ରାମୁଲୁ ।

ଭୀତଗ୍ରସ୍ତ ଆଖିରେ ଚାହିଁ ରହିଥାଏ ଝିଅଟି ବାପାର ସେ ନିର୍ଦ୍ଦୟ ମୁହଁକୁ...ସେଇ ନାଲିଆ ନାଲିଆ କୁମ୍ଭାଟୁଆ ପରି ଆଖି ଦୁଇଟିକୁ..  । 

-” ଶୁଣେ, ଯା ମା ‘ କୁ ଡାକି ଆଣିବୁ.. ମୁଁ କଣ ଆଣି ଦେଇଚି ତା ପାଇଁ ଦେଖିବ। ହଁ, ତୋ ପାଇଁ ବି ଆଣିଚି ମ.. ହେଇ, ଦେଖୁନୁ କେତେ କ’ଣ ଅଛି ଏଇ “

ଝିଅ କିଛି ବି ବୁଝି ପାରୁ ନ ଥାଏ । ବାପାଙ୍କର କାହିଁକି ଆଜି ଏତେ ଶ୍ରଦ୍ଧା ତା ପ୍ରତି..କାହିଁକି ଏତେ ସ୍ନେହ ?

“ଡାକୁଚି” କହି ବାଡି ପଟକୁ ଗଲା ଝିଅଟି। ମା’ କୁ ଡାକିବା ଉଦ୍ଦେଶ୍ୟରେ ।

-” ମା.. ମା, ଆ ଦେଖିବୁ, ବାପା କ’ଣ ସବୁ ଆଣିଚନ୍ତି..ତୋ ପାଇଁ ଆଉ ମୋ ପାଇଁ ବି । ବାପା ତତେ ଡାକୁଚନ୍ତି ।”

ଝିଅର ଖୁସି କହିଲେ ନ ସରେ । ସବୁ ତକ ଖୁସୀ ଯେମିତି ତାର ହାତ ମୁଠାରେ ଯେମିତି..ବାପା ତା’ର ଆଜି ମଦ ପିଇ ନାହାନ୍ତି..କେତେକେତେ ଜିନିଷ କିଣି ଆଣି ଦେଇଚନ୍ତି।

ଚମକି ପଡ଼ିଲା ରାଧା। ‘ ଏଁ ‘ କହି ପଛକୁ ଫେରି ଚାହିଁଲା ।
ଲୁହ ସବୁ ପଣତକାନିରେ ସାଉଁଟୁ ସାଉଁଟୁ କହିଲା –
-” ଯା କହି ଦବୁ ଯେ, ମୁଁ ଯିବିନି। “

ରାଧା ଜାଣେ, ଏମିତି ପାଖକୁ ଡାକି ବିଧା, ଗୋଇଠା ମାରିବାରେ ଧୂରନ୍ଧର ରାମୁଲୁ । କାନ୍ଦିଲେ ଆହୁରି ମାରିବ । ଆଜି ଏତେ କାଇଁ ସରାଗପଣ ଦେଖେଇ ହଉଚି..?

-“ନା ନା ମୁଁ ଯିବିନି ..ଯା କହିଦବୁ। ‘ ଏକ ବିରକ୍ତିକର ଭାବରେ ମନା କରି ଦେଲା ରାଧା।

-“ନାଇଁ ମା, ବାପା କିଛି କରିବେନି.. ଆସେ। “

ରାଧା ଦେଖୁଥିଲା, ଯେମିତି କି ସବୁତକ ଖୁସୀ ଆଜି ଝିଅ ଆଖିରେ ଉଛୁଳି ଉଠୁଚି ।
ଝିଅର କଥାକୁ ଏଡେଇ ନ’ ପାରି ‘ହେଉ’ କହି ରାଧା ଟିକେ ଦମ୍ଭ ଧରିଲା ।

–” ଆଲୋ ତୁ ତ’ ମୋର ଦେବୀଟିଏ..ଦେବୀ ପ୍ରତିମାଟିଏ । ମୁଁ ସିନା ବୁଝିପାରି ନ, ଥିଲି ତତେ…ଆଉ କେବେ ପିଇବିନି କି, ତତେ ବାଡ଼େଇବିନି ହେଲା… ସତ କହୁଚି “

ରାମୁଲୁର ମାର୍ଜିତ କଥା କହିବା ଢଙ୍ଗ ଦେଖି ରାଧା କିଛି ହେଲେ ବୁଝି ପାରୁ ନ, ଥିଲା । କଥା କ’ଣ ହେଇପାରେ ।

ରାଧାକୁ ଟାଣି ପାଖରେ ବସାଇ ଗୋଟିଏ ପଲିଥିନରୁ କିଛି ବାହାର କଲା ରାମୁଲୁ । କଣ ସବୁ ଆଣିଚି ସେ ? ରାଧାର ଉତ୍କଣ୍ଠା ବଢିବାକୁ ଲାଗିଲା ।

-“ଏଇ ନେ ଶା…ଢୀ, ଚୁ….ଡି, ଆଉ ପାଉଁଜି ବି ଆଣିଚି ଲୋ । ଆଲୋ ଝିଅ,ନେ.. ନେ ତୋର ଖେଳନା, ଇଏ ହେଲା ଫ୍ରକ୍..। “

ଡରିଡରି ରାଧା କହିଲା– “ମୋର ଏ ସବୁ କଣ ହବ ଯେ, ମୋର ଏ ସବୁ କିଛି ବି ଲୋଡା ନାହିଁ ।”

-” ଆରେ, ଆଜି ପରା “ମହିଳା ଦିବସ” ? ତୋର କ’ଣ ମନେ ନାହିଁ କି ? ମୋ ସାଙ୍ଗମାନେ ପରା ଆଜି କହୁଥିଲେ, ନାରୀମାନେ କୁଆଡେ ‘ଦେବୀ’…..ମୁଁ ଭାବିଲି ସତ କଥା ତ..ମୁଁ ଚଣ୍ଡାଳ ସିନା ବୁଝି ପାରି ନ ଥିଲି !!!

ପଲିଥିନ୍ ଭିତରୁ ସିନ୍ଦୂର ଫରୁଆଟିକୁ ବାହାର କରି ଖୋଲିଲା ରାମୁଲୁ । ଆଉ, ରାଧା କପାଳରେ ବୋଳିବାକୁ ଲାଗିଲା ।

ରାଧା ଭାବୁଥାଏ, ଆରେ ସ୍ବାମୀ ତାର ପାଗଳ ହେଇଗଲା କି ଆଉ..କ’ ଇଏ ସବୁ କରୁଚି ?
ଛେପ ଢୋକିଲା ରାଧା ।

-” ଆରେ, ଇୟେ କଣ କରୁଚ.. ଛାଡ ମତେ..ଛାଡ ଛାଡ ..

-” ତୁ ପରା ମୋ ଦେବୀ….ତୁ ମୋ ଦେବୀ….ତୁ ପରା ମୋ ଦେବୀ ପ୍ରତିମା ଟିଏ । “

ରାମୁଲୁ ବାରମ୍ବାର ସେଇ କେତୋଟି ଶବ୍ଦ କହି ଚାଲିଥାଏ ପାଗଳଙ୍କ ପରି ।

କେବଳ ଭିଡିମୋଡି ହେଉଥାଏ ରାଧା । ନିଜକୁ ମୁକୁଳେଇବାକୁ । ଝିଅଟି ଦୌଡି ପଳେଇ ଯାଇଥାଏ କବାଟ କଣକୁ ଭୟରେ ।

-” ନା ନା ମୁଁ ଦେବୀ ନୁହେଁ.. ମୁଁ ଦେବୀ ନୁହେଁ… ମୁଁ ମାନବୀ.. ମୁଁ ମାନବୀ… ରକ୍ତ, ମାଂସରେ ଗଢା ମୋର ଏଇ ଶରୀର..। “

-” ରହ, ରହ…ଆଉ ଟିକେ ସିନ୍ଦୂର ବୋଳି ଦିଏ ତୋ କପାଳ ଆଉ ସିନ୍ଥିରେ…ତୁ ତ’ ପୁରା ଦେବୀଟିଏ ପରି ଆଜି ଦିଶୁଚୁ ଲୋ ରାଧା..’

  • ” ନା ନା ମୁଁ ମଣିଷ, ମତେ ଖାଲି ମଣିଷ ପରି ଟିକେ ବଞ୍ଚିବାକୁ ଦିଅ… ମଣିଷ ପରି ଭଲପାଅ.. ସ୍ନେହ, ଆଦର ଟିକେ କର..ମାନ ସମ୍ମାନ ଟିକେ ଦିଅ। ମୋର ଆଉ କିଛି ଲୋଡା ନାହିଁ । ଦେବୀ ସମ୍ବୋଧନ ମୁଁ ଚାହୁଁନି କି କେବେ ବି ଚାହିଁ ନ ଥିଲି । “

କୋହ ସବୁ ମଥା ପିଟୁଥାନ୍ତି ରାଧାର ହୃଦୟ ବେଢାରେ ।
କିଛି ସମୟର ବ୍ୟବଧାନ ପରେ ରାମୁଲୁ ମଧ୍ୟ ଭୋଭୋ ହେଇ କାନ୍ଦି ଉଠିଲା । ରାଧାର ଗୋଡ ତଳେ ପଡି କହିଲା-
-” ମତେ କ୍ଷମା କରି ଦେ ରାଧା । ମୁଁ ମୋର ଦେବୀ ପ୍ରତିମା ପରି ସ୍ତ୍ରୀକୁ ରାସ୍ତା କଡର ପଥର ଭାବିଥିଲି ।”

ନିଗିଡ଼ି ପଡୁଥିବା ଲୁହ ସବୁ ରାଧାର ପାଦ ପଖାଳିବାକୁ ଆଗଭର ହେଉଥାନ୍ତି ଯେମିତି ।
**
Biraja Mohini Tripathy
Ainthapali
Near D.I.E.T Road
Sambalpur
Pin-768004
Mob-9861630883