ଆନ୍ଧ୍ରରେତିତ୍‌ଲି ବାତ୍ୟାରେ୮ଜଣଙ୍କ ଜୀବନ ଗଲା

ବିଶାଖାପାଟଣା: ଆନ୍ଧ୍ରରେତିତ୍‌ଲି ବାତ୍ୟାର ୮ଜଣଙ୍କ ଜୀବନ ଗଲା। ଆନ୍ଧ୍ରପ୍ରଦେଶରେ ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ତାଣ୍ଡବ ଏଭଳି ହେଲାଯେ ପ୍ରବଳ ବର୍ଷା ସାଙ୍ଗକୁ ୧୫୬ ବେଗରେ ପବନ ବହିବାରୁ ନାହିଁ ନ ଥିବା କ୍ଷତି ଘଟାଇଲା । ଶ୍ରୀକାକୁଲମ ଏବଂ ବିଜୟନଗରମରେ ବ୍ୟାପକ କ୍ଷତି କରିଛି ତିତ୍‌ଲି। ଏହି ଜିଲ୍ଲାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ତିତ୍‌ଲି ୮ ଜଣଙ୍କର ଜୀବନ ନେଇଛି। ମୃତକମାନେ ଶ୍ରୀକାକୁଲମ ଜିଲ୍ଲାର ବୋଲି ଜଣା ପଡ଼ିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ପାଖାପାଖି ୨୦୦ରୁ ଅଧିକ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଛି।ବୁଧବାର ରାତି ପ୍ରାୟ ସାଢ଼େ ୨ଟା ବେଳେ ପଲାସାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ତିତ୍‌ଲି। ଏହାର ପ୍ରଭାବରେ ପବନର ବେଗ ବଢ଼ିଥିଲା। ସ୍ଥଳଭାଗ ଛୁଇଁବା ବେଳକୁ ପଲାସାରୁ ଇଚ୍ଛାପୁରମ ଭିତରେ ପବନର ବେଗ ୧୬୦ କିଲୋମିଟର ରହିଥିଲା। ଗୁରୁବାର ସକାଳ ୧୦ଟା ଯାଏର୍ ପବନର ବେଗ ଅଧିକ ରହିଥିଲା। ଏହାସହ ବର୍ଷା ମଧ୍ୟ ଲାଗି ରହିଛି। ବର୍ଷା ଏବଂ ପବନ ଯୋଗୁଁ ଶ୍ରୀକାକୁଲମ ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଛି। କାଜୁ ଓ ନଡ଼ିଆ ଚାଷ ନଷ୍ଟ ହୋଇଥିବା ବେଳେ ଧାନ ଜମିରେ ପାଣି ମାଡ଼ି ଯାଇଛି। ବହୁ ଚାଳ ଛପର ଘର ମଧ୍ୟ ଭାଙ୍ଗି ଯାଇଛି। ବିଶାଖାପାଟଣା-ଭୁବନେଶ୍ୱର ମଧ୍ୟରେ ସମସ୍ତ ଟ୍ରେନକୁ ବାତିଲ କରାଯାଇଛି। ୫୨ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇଛି।
ସାମୁଦ୍ରିକ ଝଡ଼ ତିତ୍‌ଲି ଓଡ଼ିଶାରେ ସେପରି କୌଣସି ପ୍ରକାରର ବିଶେଷ କ୍ଷୟକ୍ଷତି କରି ନଥିଲେ ସୁଦ୍ଧା ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିଛି। ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଓ ବିଜୟନଗରମ୍‌ ଜିଲ୍ଲାରେ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ଏମାନଙ୍କ ମଧ୍ୟରୁ ଶ୍ରୀକାକୁଲମ୍‌ ଜିଲ୍ଲାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ବିଜୟନଗରମ୍‌ ଜିଲ୍ଲାରେ ୬ ଜଣ ପ୍ରାଣ ହରାଇଛନ୍ତି ବୋଲି ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ୨୬ ସେମିର ବର୍ଷା ରେକର୍ଡ କରା ଯାଇଥିବା ବେଳେ ରାଜ୍ୟର ସମସ୍ତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଅନ୍ୟପକ୍ଷରେ ତିତ୍‌ଲି ପ୍ରଭାବରେ ରାଜ୍ୟରେ ବୋହିଥିବା ପ୍ରବଳ ଝଡ଼ ପବନ ଫଳରେ ଶହ ଶହ ଗଛ, ବିଦ୍ୟୁତ ଓ ଟେଲିଫୋନ୍‌ ଖୁଣ୍ଟି ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଥିବାରୁ ସଡ଼କରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ବୋଲି ଆନ୍ଧ୍ରପ୍ରଦେଶ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରି ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ସଡ଼କ ପରିବହନ ମନ୍ତ୍ରୀ କେ ଅଚ୍ୟୁତାନନ୍ଦ।