ଆନ୍ଧ୍ରା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନବୀନଙ୍କୁ ନିମନ୍ତ୍ରଣ କଲେ : ଆସନ୍ତା ୨୨ରେ ମୋଦିଙ୍କୁ ହଟାଇବା ପାଇଁ ସର୍ବଦଳୀୟ ବୈଠକ,ଯାଇ ପାରିବେ ତ ?….

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଥା ହୋଇ ଆସନ୍ତା ୨୨ ତାରିଖରେ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। ଏଥିସହିତ ଫୋନ୍‌ କରି ମୋଦି ବିରୋଧୀ ମେଣ୍ଟରେ ସାମିଲ ହେବା ପାଇଁ ଚନ୍ଦ୍ରବାବୁ ନାଇଡୁ ଆହ୍ଵାନ୍‌ ମଧ୍ୟ ଦେଇଛନ୍ତି।ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବିଜେପିର ବିଜୟଧାରାରେ ବ୍ରେକ ଲଗାଇବାକୁ ମୋଦି ବିରୋଧୀଙ୍କୁ ଏକାଠି କରିବାର ନେତୃତ୍ୱ ନେଉଛନ୍ତି । ଆଉ କେନ୍ଦ୍ରୀୟ ଅବହେଳାର କଥା ଉଠାଇ ବାରମ୍ବାର ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରିଆସୁଥିବା ନବୀନଙ୍କ ସମର୍ଥନ ଆଶା କରି ତାଙ୍କ ସହ କଥା ହୋଇଛନ୍ତି ଟିଡିପି ମୁଖ୍ୟ।କିଛିଦିନ ତଳେ ବିଜେଡି କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଜେପିର ଦୋମୁହାଁ ନୀତିକୁ ଜୋରଦାର ସମାଲୋଚନା କରିଥିଲେ ନବୀନ । ସେପଟେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଏନଡିଏଠାରୁ ଅଲଗା ହୋଇ ବିରୋଧୀ ଶିବିରରେ ସାମିଲ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ। ଦୁଇଟି ରାଜ୍ୟର ସମାନ ଦାବି ଓ ସମାନ ଶତ୍ରୁ ହୋଇଥିବାରୁ ଲଢେଇ ପାଇଁ ଏକାଠି ହେବାର ଯଥେଷ୍ଟ ମୌକା ରହିଛି ଯ ହେଲେ ଏନଡିଏଠାରୁ ଅଲଗା ହୋଇଥିବା ଟିଡିପି ଏହାରି ଭିତରେ କଂଗ୍ରେସର ନିକଟତର ହେଉଛି । ଯାହା ନବୀନଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । କାରଣ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରିଆସୁଛନ୍ତି ବିଜେଡି ସୁପ୍ରିମୋ ।

ରିପୋର୍ଟ : ଶରତ ବେହେରା