ଭୁବନେଶ୍ୱର (ଆକାଶ ମିଶ୍ର) : ଆପାର୍ଟମେଣ୍ଟ ରୁ ପଡି ମହିଳାଙ୍କ ମୃତ୍ୟୁ । ଜୟଦେଵ ବିହାର ଛକରେ ଥିବା ଉତ୍କଳ ଭିଲ୍ଲା ଆପାର୍ଟମେଣ୍ଟ ରୁ ପଡି ତାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ଦେବକି ପୃଷ୍ଟି । ଘରୋଇ କଳହ କାରଣରୁ ସେ ଏଭଳି କରିଥିବା ସନ୍ଦେହ କରାଯାଇଛି । ତାଙ୍କ ଘରୁ ଏକ ଚିଠି ମିଳିଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ସହିଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । କିଛିଦିନ ତଳେ ମୃତ ମହିଳାଙ୍କର ଝିଅ ନଳିନୀ ପୃଷ୍ଟି ଓ ତହସିଲଦାର ଜ୍ୱାଇଁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଓପେପାର ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟ୍ସ ଅଫିସର ନଳିନୀ କୁମାରୀ ପୃଷ୍ଟି ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ଭିଜିଲାନ୍ସ ପକ୍ଷରୁ ୭ଟି ସ୍ଥାନରେ ଚଢାଉ କରାଯାଇଥିଲା । ଚଢଉ ସମୟରେ ୬ କୋଟି ୮୭ ଲକ୍ଷ ୧୮ ହଜାର ୯୩୯ ଟଙ୍କାର ସଂପତ୍ତି ଠାବ କରାଯାଇଥିଲା ।ଭିଜିଲାନ୍ସର ୭ଟି ଟିମ୍ ଭୁବନେଶ୍ୱର ମଧୁସୂଦନ ନଗର ଉତ୍କଳ ଭିଲ୍ଲାରେ ଥିବା ୪ ବିଏଚକେ ଫ୍ଲାଟ୍, ସେହି ଠାରେ ଥିବା ୨ ବିଏଚ୍କେ ଫ୍ଲାଟ୍, ପୁରୀ କୁମ୍ଭାରପଡ଼ାରେ ଥିବା ଫ୍ଲାଟ୍, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଫ୍ଲାଟ୍, କେନ୍ଦ୍ରାପଡାରେ ଥିବା ସଂପର୍କୀୟଙ୍କ ଘର, ଭୁବନେଶ୍ୱର ଅଫିସ, ତାଙ୍କ ସ୍ୱାମୀ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ରହୁଥିବା ଘର ଉପରେ ଭିଜିଲାନ୍ସ ଚଢଉ କରିଥିଲା। ଚଢଉ ସମୟରେ ୧ କୋଟି ୮୦ ଲକ୍ଷ ଟଙ୍କାର ଦୁଇଟି ଫ୍ଲାଟ, ସେଥିରେ ୧ କୋଟି ୩୪ ଲକ୍ଷ ଟଙ୍କା ମୂଲ୍ୟର ସାଜ ସରଞ୍ଜାମ ଆକଳନ କରାଯାଇଥିଲା। ସେହିଭଳି ଅନ୍ୟ ଦୁଇଟି ଫ୍ଲାଟର ମୂଲ୍ୟ ୭୦ ଲକ୍ଷରୁ ଅଧିକ ଟଙ୍କା ଆକଳନ କରାଯାଇଥିବା ବେଳେ ୫୮ଲକ୍ଷ ୫୭ ହଜାର ଟଙ୍କା ମୂଲ୍ୟର ଭୁବନେଶ୍ୱର ଓ ଜଟଣୀ ଅଞ୍ଚଳରେ ୬ଟି ପ୍ଲଟ୍, କିଶାନ ବିକାଶ ପତ୍ରରେ ୬୦ ହଜାର ଟଙ୍କା ଜମା, ୭ ଲକ୍ଷ ୩୨ ହଜାର ଟଙ୍କାର ବୀମା ଜମା, ୧ କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା, ୨୨ ଲକ୍ଷ ୮୪ ହଜାର ଟଙ୍କାର ବ୍ୟାଙ୍କ ଜମା୪୦ ଲକ୍ଷ ଟଙ୍କାର ସୁନା, ହିରା ଅଳଙ୍କାର, ୫ ଲକ୍ଷ ୭୫ ହଜାର ନଗଦ ଟଙ୍କା ଗୋଟିଏ ଓ୍ଵାଗନର କାର, ଗୋଟିଏ ବାଇକ୍ ଓ ଗୋଟିଏ ଆକ୍ଟିଭା ଠାବ କରାଯାଇଥିଲା ।