

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଆଜି ସକାଳୁ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢ଼ାଉ କରିଥିଲା ଆମ୍ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଘରେ I ଦିନତମାମ ଖାନ ତଲାସ ଚାଲିଥିଲା । ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ତାଙ୍କୁ ଗିରଫ କରିଛି। ଦିଲ୍ଲୀର ମଦ ଦୁର୍ନୀତି ଯାଞ୍ଚ ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ସଞ୍ଜୟ ସିଂହ ।ଏହି ମାମଲାରେ ଆଜି ସାଂସଦଙ୍କ ଦିଲ୍ଲୀ ବାସଭବନରେ ସକାଳୁ ଇଡି ଖୋଳତାଡ କରିଥିଲା । ସକାଳଠାରୁ ସାଂସଦଙ୍କ ଘରେ ଖାନତଲାସୀ ଜାରି ରଖିବା ପରେ ଶେଷରେ ଅପରାହ୍ଣରେ ସଞ୍ଜୟ ସିଂହଙ୍କୁ ଇଡି ଗିରଫ କରିଛି । ଲିକର୍ ପଲିସି ମାମଲାର ଅଭିଯୁକ୍ତ ଦିନେଶ ଆରୋରା ସଞ୍ଜୟ ସିଂହଙ୍କ ନାମ ନେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା ଇଡି। ଆରୋରା କହିଥିଲେ ଯେ, ସଞ୍ଜୟ ତାଙ୍କୁ ମନିଷ ସିସୋଦିଆଙ୍କ ସହ ଯୋଗାଯୋଗ କରାଇଥିଲେ। ଲିକର୍ ପଲିସି ଘୋଟାଲା ସମୟରେ ସିସୋଦିଆ ଅବକାରୀ ମନ୍ତ୍ରୀ ଥିଲେ। ପ୍ରକାଶ ଥାଉକି ଉଭୟ ସିସୋଦିଆ ଏବଂ ଆରୋରା ଜେଲରେ ଅଛନ୍ତି । ଗତ ବର୍ଷ ମେ’ ମାସରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିଲେ । ସେ ମଧ୍ୟ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିଲେ । ଚଳିତ ବର୍ଷ ଫେବୃଆରୀରେ ଦିଲ୍ଲୀର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତଥା ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆଙ୍କୁ ସିବିଆଇ।ଗିରଫ କରି ଜେଲରେ ରଖିଛି । ସିସୋଦିଆଙ୍କୁ ସିବିଆଇ ଲିକର୍ ପଲିସି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଆଜି ସଞ୍ଜୟ ସିଂହଙ୍କୁ ଇଡି ଗିରଫ କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ୩ ଜଣ ପ୍ରମୁଖ ସହଯୋଗୀ ବର୍ତ୍ତମାନ ଜେଲରେ ରହିଲେ ଆଗାମୀ ନିର୍ବାଚନ କେଜ୍ରିୱାଲଙ୍କ ପାଇଁ ଅଡୁଆ ପରିସ୍ଥିତି ଦେଖାଦେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି ।
ରିପୋର୍ଟ : ସୁଧାଂଶୁ ଶେଖର