ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ପୌରପାଳିକାରର ଆବାସ ଯୋଜନା ଗୁଡିକର ସାମାଜିକ ସମୀକ୍ଷା ଓ ଜନଶୁଣାଣି ଅନୁଷ୍ଠିତ ହୋଇ ଯାଇଛି । ସମସ୍ତଙ୍କୁ ବାସଗୃହ ଯୋଗାଇବାଲାଗି ପ୍ରୟାସ କରାଯାଇଥିବା ବେଳେ ଜଳେଶ୍ୱର ପୌରପାଳିକା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ମ୍ୟୁନିସିପାଲଟି ଏମ୍ଆଇଏସ୍ ବ୍ରଜଗୋପାଳ ଘୋଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭଂଜ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଜନଶୁଣାଣିରେ ପୌର ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥିଭାବେ ଡ. ରମାକାନ୍ତ ଭଂଜ ଯୋଗ ଦେଇ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସ୍ୱତନ୍ତ୍ର ସୁବିଧା ପ୍ରଦାନ କାରୀ ସଂସ୍ଥା ଲାଇଫ ଏକାଡେମୀ ଅଫ ଭୋକେସନାଲ ଷ୍ଟଡିଜ୍ର କର୍ମକର୍ତ୍ତା ସମୀର କୁମାର ପରିଡା ଓ ସାମାଜିକ ସମୀକ୍ଷକ ରମେଶ ଚନ୍ଦ୍ର ବଳ ଏହି ଜନଶୁଣାଣୀରେ ଉପସ୍ଥିତ ରହି ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ । ଏଥିରେ ବିଭିନ୍ନ ୱାଡରୁ ହିତାଧିକାରୀମାନେ ଯୋଗ ଦେଇ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ । ୮ନଂ ୱାର୍ଡରୁ ସଂଖ୍ୟାଧିକ ହିତାଧିକାରୀଙ୍କୁ ଆବାସ ଯୋଜନା ମିଳିନଥିବାରୁ ଏହାକୁ ଖୁବ୍ଶୀଘ୍ର ସମାଧାନ କରାଯାଇ ସେଠାରେ ଏକ ବିଜୁ ଆଦର୍ଶ କଲୋନୀ ପ୍ରତିଷ୍ଠା କରାଯିବ ବୋଲି ପୌରଅଧିକାରୀ ଅଜୟ କୁମାର ମହାପାତ୍ର କହିଥିଲେ । ଆବାସ ଗୃହ ନିର୍ମାଣ ନିମନ୍ତେ ଆବଶ୍ୟକ ବାଲି ଯୋଗାଣ ଲାଗି ତହସିଲଦାର ଓ ଜିଲାପାଳଙ୍କ ଦୃଷ୍ଟି ଆକଷ;ଣ କରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଏଲ୍ଟିସି ସରୋଜ କୁମାର ମଲ୍ଲିକ ଓ ଗୋଷ୍ଠି ସଂଯୋଜିକା ଚନ୍ଦ୍ରକାନ୍ତି ରାଉତ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି ପରିଡା