ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନଛିମପୁର ପଞ୍ଚାୟତର କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଆମ୍ବଳିଅଠା-ନଛିମପୁର ପ୍ରଧାନମନ୍ତ୍ରୀ ଗ୍ରାମସଡକ ଏବେ ମରଣ ଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ହଜାର ହଜାର ଜନସାଧାରଣ, ଛାତ୍ରଛାତ୍ରୀ, ରୋଗୀ, ବରିଷ୍ଠ ନାଗରିକ ପ୍ରଭୃତି ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଶହ ଶହ ବାଇକ୍, ଟେମ୍ପୋ ଓ କାର୍, ଟ୍ରାକ୍ଟର ପ୍ରଭୃତି ଯିବା ଆସିବା କରିଥାଏ । ମାତ୍ର ଏହି ରାସ୍ତାରେ ବଡବଡ ଗର୍ତ୍ତ ଥିବା ଯୋଗୁଁ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟି ଚାଲିଛି । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ୨୪-୨-୨୦୧୬ରେ ଆରମ୍ଭ ହୋଇ ୨୩-୨-୧୭ ମସିହାରେ ଶେଷ ହେବାର ଚୁକ୍ତି ହୋଇଥିବା ବେଳେ ଏହି ୫.୭ କିମି ରାସ୍ତା ନିର୍ମାଣ ପାଇଁ ୩୦୧.୮୬ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟ ରଖାଯାଇଥିଲା । ଜଳେଶ୍ୱର ଗ୍ରାମ ନିର୍ମାଣ ବିଭାଜନ ଦ୍ୱାରା ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ତାହା ପୂର୍ଣ୍ଣ ହୋଇନଥିବାରୁ ସାଧାରଣରେ ତ୍ରୀବ୍ର ଅସନ୍ତୋଷ ଦେଖା ଦେଉଛି । ଏହି ଉପାନ୍ତ ରାସ୍ତାରେ ପଶ୍ଚିମବଙ୍ଗ ଓ ଓଡିଶାର କେତେକ ଗ୍ରାମର ଅଧିବାସୀମାନେ ସ୍ଥାନୀୟ ଲକ୍ଷ୍ମଣନାଥ ରୋଡ ଷ୍ଟେସନକୁ ଯିବା ପାଇଁ ନିର୍ଭର କରିଥାନ୍ତି । ଏହି ଅଞ୍ଚଳ ବନ୍ୟା ପ୍ଳାବିତ ହୋଇଥିବାରୁ ବହୁ ସମୟରେ ରିଲିଫ ସମାଗ୍ରୀ ପଞ୍ଚାୟତ ଅଫିସ୍ ପର୍ଯ୍ୟନ୍ତ ନେବାରେ ବାଧା ଉପୁଜିଥାଏ । ଏହି ପଞ୍ଚାୟତକୁ ସଂଯୋଗ ପାଇଁ ଏକମାତ୍ର ମୁଖ୍ୟ ରାସ୍ତା ହୋଇଥିବାରୁ ବର୍ଷା ଦିନେ କୌଣସି ଆମ୍ବୁଲାନ୍ସ କିମ୍ବା ଖରାଦିନେ କୌଣସି ଦମକଳ ଗାଡି ଜରୁରୀ କାଳିନ ପରିସ୍ଥିତିରେ ଏହି ଅଞ୍ଚଳକୁ ଯାଇପାରେ ନାହିଁ । ତେଣୁ ଯଥାଶୀଘ୍ର ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଗ୍ରାମଉନ୍ନୟନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ କରା ନ ଗଲେ ପଞ୍ଚାୟତ ବାସୀ ଆନ୍ଦୋଳନାତ୍ମକ ପନ୍ଥ ଗ୍ରହଣ କରିବେ ବୋଲି ପୂର୍ବତନ ସରପଞ୍ଚ ସୁଦାମ ପାତ୍ର, ପୂର୍ବତନ ସଦସ୍ୟ ଚିତ୍ତରଞ୍ଜନ ପରିଡା, ପୂର୍ବତନ ଶିକ୍ଷକ କାର୍ତ୍ତିକ ଦାସ, ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋକ ଦାସ ଅଧିକାରୀ, ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ଦାସ ଓ ବିନୟ ଜେନା, ରବିନ୍ଦ୍ର ବାରିକ, ସରପଞ୍ଚ ପ୍ରତିନିଧି ସପନ ଜେନା, ପୂର୍ବତନ ଶିକ୍ଷକ ଗୌରାଙ୍ଗ ପାତ୍ର, ସୁଶାନ୍ତ ଦେ ପ୍ରମୁଖ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା