![IMAGE_1712048535-1](https://i0.wp.com/www.samrudhaodisha.com/wp-content/uploads/2024/04/IMAGE_1712048535-1.jpg?fit=938%2C527&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/04/IMAGE_1712048535.jpg?resize=640%2C360&ssl=1)
ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ମଦ ଦୁର୍ନୀତି ଅଭିଯୋଗ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ ହୋଇ ବର୍ତ୍ତମାନ ଜେଲ୍ରେ ଅଛନ୍ତି। ତେବେ ତାଙ୍କ ଗିରଫଦାରୀ ପରେ ଆମ୍ ଆଦ୍ମୀ ପାର୍ଟିରେ ଉତ୍ତେଜନା ବଢ଼ି ଯାଇଛି। ଏହାରି ଭିତରେ ମଙ୍ଗଳବାର କିଛି ମନ୍ତ୍ରୀଙ୍କ ସମେତ ଦଳର ବିଧାୟକମାନେ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତାଙ୍କୁ ଭେଟିଛନ୍ତି। ଆମ୍ ଆଦ୍ମୀ ପାର୍ଟିର ୬ ଜଣ ମନ୍ତ୍ରୀଙ୍କ ସମେତ ମୋଟ ୫୫ ଜଣ ବିଧାୟକ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସ ଭବନକୁ ଯାଇ ଆଜି ସୁନୀତାଙ୍କୁ ଭେଟିଛନ୍ତି। ଏହି ସମୟରେ ବିଧାୟକମାନେ ‘କୌଣସି ବି ମୂଲ୍ୟରେ ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ ନୁହେଁ ବୋଲି କହିଛନ୍ତି । ସେ ଜେଲରୁ ହିଁ ସରକାର ଚଳାନ୍ତୁ। ଦିଲ୍ଲୀର ଦୁଇ କୋଟି ଜନତା ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି। ସେପଟେ ମଙ୍ଗଳବାର ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ଅତୀଶି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି। ତାଙ୍କର ଜଣେ ଅତି ନିକଟତର ବ୍ୟକ୍ତିଙ୍କ ମାଧ୍ୟମରେ ତାଙ୍କୁ ବିଜେପିରେ ମିଶିବା ପାଇଁ ବାଧ୍ୟ କରାଯାଉଛି ବୋଲି କହିଛନ୍ତି । ବିଜେପିର ଯୋଗେ ଦେଇ ତାଙ୍କ ରାଜନୈତିକ କ୍ୟାରିୟର ବଞ୍ଚାଇବା ପାଇଁ ତାଙ୍କୁ ବାଧ୍ୟ କରାଯାଉଛି । ଯଦି ସେ ବିଜେପିରେ ଯୋଗ ନ ଦିଅନ୍ତି ତେବେ ଏକ ମାସ ଭିତରେ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରାୟ ଦୁଇ ଘଣ୍ଟା ପଚରାଉଚରା ପରେ ମାର୍ଚ୍ଚ ୨୧ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ସରକାରୀ ବାସଭବନରୁ ଗିରଫ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିଲା। ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ। ତେବେ ଗିରଫ ପରେ ମଧ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି। ଆମ୍ ଆଦମୀ ଦଳର ନେତାମାନେ କହୁଛନ୍ତି ଯେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ। ଆବଶ୍ୟକ ପଡିଲେ ଜେଲ୍ ଭିତରୁ ସରକାର ଚଳାଇବେ। ସେଥିପାଇଁ ଦଳର ସମର୍ଥନ ଦୃଢ଼ ଯୋଗୁଁ କେଜ୍ରିୱାଲ ଇସ୍ତଫା ଦେଉ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।