ଆମ ମୁଖ୍ୟମନ୍ତ୍ରୀ ଖୁବ ଉଲ୍ଲସିତ:ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିବା ପରେ ଅସଲ କଥାଟା ବଖାଣି ଦେଲେ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’। ଏହି ମେଗା ଇଭେଣ୍ଟରେ ଯୋଗଦେଇଥିବା ଶିଳ୍ପପତି ଓ ଶିଳ୍ପ ସଂସ୍ଥାର କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଆଉ ସମସ୍ୟାର ପାହାଡ଼ ବି ଠିଆ କରାଇଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ନେଇ ସରକାରଙ୍କୁ ଆଜି ଶିଳ୍ପ ଜଗତ ହେଭିୱେଟମାନେ ସେମାନେ ଭୋଗୁଥିବା ସମସ୍ୟାକୁ ଉଠାଇ ଶିଳ୍ପାୟନର ସ୍ୱପ୍ନ ଓ ବାସ୍ତବତା ଭିତରେ ଥିବା ଫରକକୁ ଉଜାଗର କରିଛନ୍ତି।କଞ୍ଚାମାଲକୁ ନେଇ ସମସ୍ୟା ଘେରରେ ଛନ୍ଦି ହୋଇଛି ବେଦାନ୍ତର ଲାଞ୍ଜିଗଡ ପ୍ଲାଣ୍ଟ। ଆବଶ୍ୟକ କଞ୍ଚାମାଲ୍‌ର ମାତ୍ର ୨୦ ପ୍ରତିଶତ ମିଳୁଛି ବୋଲି ସ୍ୱୀକାର କରିଛନ୍ତି ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରଓ୍ୱାଲ। କଞ୍ଚାମାଲ ଦେବା ବେଳେ ଭେଦଭାବ ନ କରିବାକୁ ବି ପ୍ରସ୍ତାବ ଦେଉଛନ୍ତି। ନିଜେ ଭୋଗୁଥିବା ନିଅଣ୍ଟିଆ ବିଜୁଳି ସ୍ଥିତିର ମଧ୍ୟ ଅବତାରଣା କରିଥିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ୍ ଅଗ୍ରଓ୍ୱାଲ।ବେଦାନ୍ତ ପରି ଜିନ୍ଦଲ ଷ୍ଟିଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କଞ୍ଚାମାଲ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବହୁ ଦିନ ହେବ ନିଜ ପ୍ରକଳ୍ପ ଭୋଗୁଥିବା ସମସ୍ୟାକୁ ନେଇ ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ବି ଜିନ୍ଦଲ ଷ୍ଟିଲ ପାଇଁ ସମାଧାନର ରାସ୍ତା ବାହାରୁନି। ତେଣୁ ‘ଶିଳ୍ପ କଲେ ଚ୍ୟାଲେଞ୍ଜ ରହିବ’ ବୋଲି ନିଜ ମନର ବେଦନାକୁ ଏମିତି ଢଙ୍ଗରେ ପ୍ରକାଶ କରିଛନ୍ତି ନବୀନ ଜିନ୍ଦଲ। ଅନ୍ୟପକ୍ଷରେ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ମେକ୍‌ ଇନ୍‌ ଓଡ଼ିଶା କନେ୍‌କ୍ଲଭ୍‌ର ଦ୍ଵିତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ଅାୟୋଜିତ ବିଜନେସ୍ ଲିଡର୍ ମିଟରେ ୨୫ ଜଣ ବିଶିଷ୍ଟ ଶିଳ୍ପପତି ଯୋଗ ଦେଇ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ସେମାନଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିବା ପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି।ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ଭରପୂର ଖଣିଜ ସମ୍ପଦ ରହିଛି। ତେଣୁ ଶିଳ୍ପପତି ମାନେ ଖଣିଜ ସମ୍ପଦର ବିନିଯୋଗ ଦ୍ୱାରା ଶିଳ୍ପପ୍ରତିଷ୍ଠା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତ। ସେହିପରି କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ସହଯୋଗୀ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ରାଜ୍ୟ ସରକାର ଯୋର ଦେଉଛନ୍ତି ବୋଲିି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।ସେହିପରି ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ଆବଶ୍ୟକ କୁଶଳୀ କର୍ମଚାରୀ ଯୋଗାଇ ଦେବା ପାଇଁ ଦକ୍ଷତା ବିକାଶକୁ ରାଜ୍ୟ ସରକାର ଗୁରତ୍ୱ ଦେଉଛନ୍ତି। ଫଳରେ କୁଶଳୀ କର୍ମଚାରୀଙ୍କୁ ଆଗାମୀ ଦିନ ପାଇଁ ପ୍ରସ୍ତୁତକରିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ସେହିପରି ପର୍ଯ୍ୟଟନ ଶିଳ୍ପ ପ୍ରତି ପର୍ଯ୍ୟାପ୍ତ ସୁଯୋଗ ଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେବା ସହିତ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଉ ମଧ୍ୟ ଆଦାନି ଗ୍ରୁପ ଓଡ଼ିଶାର ଧାମରାଠାରେ ଏକ ଏୟାରଷ୍ଟ୍ରିପ ନିର୍ମାଣ କରିବ । ଏଥିପାଇଁ ଆଜି ଅଦାନି ଗ୍ରୁପ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ମେକ ଇନ ଓଡ଼ିଶା କନକ୍ଲେଭ ଅବସରରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ କମ୍ପାନି ପ୍ରାୟ ୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଦେଇଛି । ଏହି ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ପ୍ରାୟ ୫୦୦ ଏକର ଜମି ଆବଶ୍ୟକ ହେବ । ଓଡ଼ିଶା ସରକାରଙ୍କ ଇଡକୋ ପାଖରେ ପ୍ରାୟ ୪୦୦ ଏକର ଜମି ଥିବାବେଳେ ଆଉ ୧୦୦ ଏକର ଯୋଗାଡ କରାଯିବ ବୋଲି ରାଜ୍ୟ ବାଣିଜ୍ୟ ଓପରିବହନ ମନ୍ତ୍ରୀ ନୃସିଂହ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଧାମରାଠାରେ ଥିବା ବନ୍ଦର ଏବେ ଆଦାନି ଗ୍ରୁପ ନିୟନ୍ତ୍ରଣରେ ରହିଛି ।