



ଭୁବନେଶ୍ବର(ସମୃଦ୍ଧଓଡିଶା) 26 ଜାନୁଆରୀ 2024 : ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା-2024 । ଚଳିତ ବର୍ଷ ୟୁନିଟ-1 ସ୍ଥିତ ଆଦିବାସୀ ପଡିଆରେ ଏହି ମେଳାର ଆୟୋଜନ କରାଯାଇଛି । ଜାନୁଆରୀ 26 ରୁ ଆରମ୍ଭ ହୋଇ ଏହି ମେଳା ଫେବୃଆରୀ 5 ଯାଏଁ ଚାଲିବ । ପ୍ରତ୍ୟହ ଅପରାହ୍ନ 2ଟା 30 ରୁ ରାତି 9 ଟା ଯାଏଁ ଏହି ମେଳା ସର୍ବସାଧାରଣଙ୍କ ନିମନ୍ତେ ଖୋଲାରହିବ । ଏହି ମେଳାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାମ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ । ସମାରୋହରେ ସମ୍ମାନନୀୟ ଅତିଥି ଭାବେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଜନଜାତିମାନେ ଆମର ଗର୍ବ ଓ ଗୌରବ । ଜନଜାତିମାନଙ୍କ ଉନ୍ନତି ଓ କଲ୍ୟାଣ ତଥା ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ କରାଯାଇଛି । ଜନଜାତି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଦିବାସୀ ସଂସ୍କୃତି ସହ ପରିଚିତ କରିବା ପାଇଁ ଭାଷା ଲ୍ୟାବ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି । ଜାତୀୟସ୍ତରରେ ଜନଜାତିଙ୍କ କଳାକୁ ସ୍ବତନ୍ତ୍ର ପରିଚୟ ମିଳିପାରିଛି । ଆମ ରାଜ୍ୟରେ ଆଦିବାସୀ ମେଳା ଖୁବ୍ ଲୋକପ୍ରିୟ କାର୍ଯ୍ୟକ୍ରମ । ଏହାଦ୍ବାରା ଜନଜାତିଙ୍କ ସାମଗ୍ରୀ ପାଇଁ ବଜାର ସୃଷ୍ଟିର ପ୍ରୟାସ କରାଯିବା ସହ ସେମାନଙ୍କ ସଂସ୍କୃତି ସହ ରାଜ୍ୟବାସୀ ପରିଚିତ ହୋଇ ପାରିଥାନ୍ତି । ଅନ୍ୟପକ୍ଷେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି, ଜନଜାତିଙ୍କ ଜୀବନଶୈଳୀ, ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ଆଦିବାସୀ ମେଳାର ଆୟୋଜନ କରୁଛି ବିଭାଗ । ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଭାବଧାରାରେ ସାମିଲ କରିବା ଲକ୍ଷ୍ୟ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଉଛି । ଏହାଦ୍ବାରା ଜନଜାତିଙ୍କ ହସ୍ତକଳା ସାମଗ୍ରୀ ଏବଂ ଆଦିବାସୀ ଅଞ୍ଚଳର ଉତ୍ପାଦନର ବିକ୍ରୟ କରିବାର ଅବସର ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ବିକଶିତ ହୋଇଥିବା ଜନଜାତିଙ୍କ ଜୀବନଶୈଳୀ ଏହିମେଳାରେ ପ୍ରଦର୍ଶିତ ହେବ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ଶାସନ ସଚିବ କହିଛନ୍ତି, 1951 ମସିହାରୁ କଟକରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ମେଳା 1954 ମସିହା ଠାରୁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇ ଆସୁଛି । ପ୍ରତିବର୍ଷ ବିଭାଗ ଏଥିରେ ନୂଆ ନୂଆ ଉପାଦାନକୁ ଯୋଡିବାରେ ପ୍ରୟାସ ଜାରି ରଖିଛି । ଏହି ମେଳାରେ ଆଦିବାସୀ ହାଟକୁ ଲୋକେ ଦେଖିବାକୁ ପାଇବେ । ଏହାସହ ଭାଷାକୁ ଗୁରୁତ୍ବ ଦେଇ ମେଳାରେ ପ୍ରତିସନ୍ଧ୍ୟାରେ ବହୁଭାଷୀ ଥିଏଟର୍ ଫେଷ୍ଟିଭାଲ୍ ପରିବେଷଣ କରାଯିବ । ଜନଜାତି ସମ୍ପ୍ରଦାୟଙ୍କ ଦାବିକୁ ଦୃଷ୍ଟିରେ ରଖି ଆଗକୁ ସାମଗ୍ରୀ ବିକ୍ରୟ ପାଇଁ ସେମାନଙ୍କୁ ସ୍ଥାୟୀ ଦୋକାନ ଯୋଗାଇଦିଆଯିବା ନେଇ ବିଭାଗୀୟ ଶାସନ ସଚିବ ମତ ପ୍ରକାଶ କରିଛନ୍ତି । ଚଳିତ ବର୍ଷ 109 ଟି ଷ୍ଟଲକୁ ନେଇ ଆଦିବାସୀ ମେଳାର ଆୟୋଜନ କରାଯାଇଥିବା ବେଳେ ଉଦଘାଟନୀ ସନ୍ଧ୍ୟାରେ ସ୍ବତନ୍ତ୍ର ଜର୍ଣ୍ଣାଲ୍ “ଆଦିବାସୀ”ର 63ତମ ସଂସ୍କରଣ ଉନ୍ମୋଚନ କରାଯାଇଛି । ଏହାସହ 10 ଜଣ ବିଭିନ୍ନ ସମ୍ପ୍ରଦାୟର ଜନଜାତିଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ମହା ସମାରୋହରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟାନ୍ୟ ଅତିଥି ମଧ୍ୟରେ ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର


