

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ଵିତୀୟ ଲହରୀ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁରରେ ଆରମ୍ଭ ହୋଇଛି ମାଁ ବୁଢ଼ୀ ସାଆନ୍ତାଣିଙ୍କ ଯାତ୍ରା ଅର୍ଥାତ ଠାକୁରାଣୀ ଯାତ୍ରା । ଦେଶୀ ବେହେରା ଓ ତାଙ୍କ ସ୍ତ୍ରୀ ବାଜା ବାଜଣାର ପଟୁଆରରେ ମାଁଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପରେ ଚାଙ୍ଗୁଡ଼ିରେ ମାଁଙ୍କ ଆଜ୍ଞାମାଳ ଆଣି ଦେଶୀ ବେହେରା ସାହିରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମଣ୍ଡପରେ ବିଜେ କରାଇଛନ୍ତି । କୋଭିଡ୍ ର କଟକଣା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ସକାଳ ୫ରୁ ପୂର୍ବାହ୍ନ ୧୦ ଓ ଅପରାହ୍ନ ୪ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଅନୁମତି ଦିଆଯାଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାଁଙ୍କ ନିକଟରେ ଭୋଗ ରାଗ କିମ୍ବା ଦୀପ ଲାଗି କରାଇ ପାରିବେ ନାହିଁ ବୋଲି କୁହାଯାଇଛି । ଏହାସହ ସମସ୍ତ ଦର୍ଶନାର୍ଥୀ ମୁହଁରେ ମାକ୍ସ ପିନ୍ଧି ଆସିବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଭକ୍ତ ନିଜ ନିଜ ଭିତରେ ଦୂରତା ବଜାୟ ରଖି ଶାନ୍ତି ଶୃଙ୍ଖଳାର ସହ ମାଁଙ୍କ ଦର୍ଶନ କରିବେ ବୋଲି କୁହାଯାଇଛି । ପ୍ରତ୍ୟେକ ଭକ୍ତ ନିଜ ନିଜ ସୁନା ଅଳଙ୍କାର ଏବଂ ଜିନିଷପତ୍ର ପ୍ରତି ଧ୍ୟାନ ରଖିବେ । ସମସ୍ତ ଦର୍ଶନାର୍ଥୀ ନିର୍ଦ୍ଦିଷ୍ଟ ହୋଇଥିବା ବ୍ୟାରିକେଟ ମଧ୍ୟରେ ଯାଇ ମାଁଙ୍କ ଦର୍ଶନ କରି ନିର୍ଦ୍ଧାରିତ ପ୍ରସ୍ଥାନ ପଥରେ ଫେରିବେ ବୋଲି ବ୍ରହ୍ମପୁର ପୋଲିସ ପକ୍ଷରୁ କୁହାଯାଇଛି । ମାଁଙ୍କ ଯାତ୍ରା ବହୁ ପୁରାତନ । ମହୁରୀଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରେ ଦେବାଙ୍ଗ ସଂପ୍ରଦାୟ ପକ୍ଷରୁ ହେଉଥିବା ଏହି ଯାତ୍ରା ପରମ୍ପରାକୁ ସହରକୁ ଆଣିଥିଲେ । ସେହିଦିନ ଠାରୁ ପ୍ରତି ଦୁଇ ବର୍ଷକୁ ଥରେ ସ୍ଥାୟୀ ମନ୍ଦିର ତଥା ଶାଶୁ ଘର ଓ ଦେଶୀ ବେହେରା ତଥା ବାପା ଘରର ମିଳିତ ସହଯୋଗରେ ହୋଇ ଆସୁଛି ଏହି ଠାକୁରାଣୀ ଯାତ୍ରା । ଯାତ୍ରା ୩୦ ଦିନ ଧରି ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନା ଲାଗି ୭ ଦିନ କରାଯିବ ବୋଲି ଜଣାପଡ଼ିଛି ।



