ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ:ମତଦାନ କେନ୍ଦ୍ର ଗୁଡିକରେ ହେବ ‘ମକପୋଲ’…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଉଭୟ ଲୋକସଭା ବିଧାନସଭା ନିମନ୍ତେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ କେନ୍ଦ୍ରଗୁଡିକରେ ମକପୋଲ କରାଇବାକୁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକୃତ ମତଦାନ ଆରମ୍ଭ ହେବାର ୯୦ ମିନିଟ ବା ଦେଢ଼ ଘଣ୍ଟା ପୂର୍ବରୁ ଏହି ମକପୋଲ କରାଯିବ । ଏଥିପ୍ରତି ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା କଥା ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାରୀ ଜଣାଇଛନ୍ତି । ସୂଚନାଯୋଗ୍ୟ ଆସନ୍ତାକାଲି ପଡିବ ଭୋଟ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନରେ ଅଛନ୍ତି ୨୧୭ ଜଣ ପ୍ରାର୍ଥୀ । ଭୋଟରଙ୍କ ନିଷ୍ପତ୍ତି ଆସନ୍ତା ୫ ବର୍ଷ ଯାଏଁ ନେତାଙ୍କ ରାଜନୈତିକ ଭବିଷ୍ୟତ ଲୋକଙ୍କ ସହ ଯୋଡି ହୋଇ ରହିବ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଏହି ୪ଟି ଲୋକସଭା ଆସନ ପାଇଁ ୨୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ଇଭିଏମରେ ବନ୍ଦ ହେବ । ସେହିପରି ୨୮ଟି ବିଧାନସଭା ବିଧାନସଭା ପାଇଁ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟରେ ଭୋଟ ପଡି଼ବାକୁ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ରହିଛି ୭ହଜାର ୨୩୩ଟି ବୁଥ । ଏଥିମଧ୍ୟରୁ ୨୩୭୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୦ ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ରହିଛନ୍ତି । ଏଥିରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ୩୦ ଲକ୍ଷ ୩୦ ହଜାର ୨୨୨ ଜଣ ମହିଳା ଭୋଟର ରହିଥିବା ବେଳେ ୨୯ ଲକ୍ଷ ୭୨ ହାଜର ୯୨୫ ଜଣ ପୁରୁଷ ମତଦାତା ରହିଛନ୍ତି ।ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୪୭ ହଜାର ୮୦୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା