ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତାକାଲି ଏପ୍ରିଲ୍ ୧୧ ତାରିଖ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତବର୍ଷ ମତଦାନ ଆରମ୍ଭ ପୂର୍ବରୁ ପଲିଟିକାଲ୍ ଏଜେଣ୍ଟଙ୍କ ଉପସ୍ଥିତିରେ ମକପୋଲର ବ୍ୟବସ୍ଥା କରାଯାଇଛି । ସକାଳ ସାଢ଼େ ୫ ଟାରୁ ୭ ଟା ପର୍ଯ୍ୟନ୍ତ ଏହି ମକପୋଲ୍ ଅନୁଷ୍ଠିତ କରାଯିବ । ସକାଳ ୭ ଟାରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା ଏବଂ ଜିଲ୍ଲାର ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଜିଲ୍ଲାରେ ୧୧୧୭ଟି ବୁଥରେ ଭୋଟ ଗ୍ରହଣ ହେଉଥିବା ବେଳେ ୧୧୧୭ ପୋଲିଂ ଟିମ୍ ବୁଥରେ ପହଂଚିଛନ୍ତି । ବୁଥ୍ ଗୁଡ଼ିକରେ ସମସ୍ତ ବ୍ୟବସ୍ଥା ସଠିକ୍ ରହିଛି କି ନାହିଁ ସେ ସଂପର୍କରେ ଆଜି ତଦାରଖ କରାଯାଇ କିଛି ସମସ୍ୟା ଥିଲେ ସେକ୍ଟର ଅଫିସରଙ୍କୁ ରିପୋର୍ଟ କରିବେ । ଜିଲ୍ଲାରେ ମୋଟ ୧୪୮ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ସୁରକ୍ଷା ପାଇଁ ୩ କମ୍ପାନୀ ସିଆରପିଏଫ୍ ଟିମ୍ ବୁଥ୍ ସ୍ତରରେ ମୁତୟନ ହୋଇଛନ୍ତି । ସେହିପରି ସମ୍ବେଦନଶୀଳ ବୁଥ ଗୁଡ଼ିକରେ କ୍ୱିକ୍ ରେସପନ୍ସ ଟିମ୍ ଏବଂ ୫୧ ଟି ମୋବାଇଲ୍ ପାର୍ଟି ମଧ୍ୟ ମୁତୟନ ହୋଇଛନ୍ତି । ଏହି ଟିମ୍ ୨୪ ଘଂଟା ଦାୟିତ୍ୱରେ ରହିବେ । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି, ଷ୍ଟିଲ୍ଫଟୋ, ଭିଡ଼ିଓଗ୍ରାଫି, ୱେବକାଷ୍ଟିଙ୍ଗ୍ ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଟଗ୍ରହଣ କିଭଳି ଶାନ୍ତିପୂର୍ଣ୍ଣ ହେବ ସେଥିପାଇଁ ପୋଲିସ୍ ଏବଂ ପୋଲିଂ ଟିମ୍ ମିଳିତ ଭାବେ କାର୍ଯ୍ୟ କରିବେ । ତେଣୁ ଗଞ୍ଜାମ ଜିଲ୍ଲାରେ କୌଣସି ସେଭଳି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ନାହିଁ ବୋଲି ଆଶା କରାଯାଉଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କୁଲାଙ୍ଗେ ଏଠାରେ ପ୍ରକାଶ କରିଛନ୍ତି । ଯଦି କୌଣସି ସେଭଳି ପରିସ୍ଥିତି ଉପୁଜେ ତେବେ ତାହାର ମୁକାବିଲା ପାଇଁ ମଧ୍ୟ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଚଳିତବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ମହିଳା ବୁଥ୍ ମଧ୍ୟ ଖୋଲାଯାଇଛି । ଅପରପକ୍ଷରେ ଭିନ୍ନକ୍ଷମମାନଙ୍କ ପାଇଁ ଗାଡ଼ି, ହୁଇଲ୍ ଚେୟାର, ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲି ପେପର୍ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କୁଲାଙ୍ଗେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା