ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତାକାଲି ତଥା ମଇ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୋଟ୍ ଗଣତି ଗଣତି କିଭଳି ସୁରକ୍ଷିତ ଭାବେ ହେବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ଏବଂ ଦୁଇ ଲୋକସଭା ଆସନର ଭୋଟ୍ ଗଣତି କରାଯିବ । ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ତିନୋଟି ସ୍ଥାନରେ ଭୋଟ୍ କାଉଣ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି । ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଠାରେ ଛତ୍ରପୁର, କବିସୂର୍ଯ୍ୟନଗର, ପୋଲସରା, ଖଲ୍ଲିକୋଟ, ହିଂଜିଳି ବିଧାନସଭା ଆସନ ପାଇଁ ଭୋଟ ଗଣତି କରାଯିବାକୁ ଥିବାବେଳେ ବ୍ରହ୍ମପୁର ଆଇଟିଆଇ ଓ ପୋଲିଟେକ୍ନିକ ପରିସରରେ ବ୍ରହ୍ମପୁର, ଗୋପାଳପୁର, ଚିକିଟି, ସାନଖେମୁଣ୍ଡି ଓ ଦିଗପହଣ୍ଡିରେ କରାଯିବ ଏବଂ ଭଞ୍ଜନଗର କେଏସୟୁବି ପରିସରରେ ଭଂଜନଗର, ଆସିକା, ସୋରଡା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ହେବ । ଭୋଟ ଗଣତି ପାଇଁ ଚିକିଟି, ସାନଖେମୁଣ୍ଡି, ଦିଗପହଣ୍ଡି ଓ ଗୋପାଳପୁର ପାଇଁ ୧୦ଟି ଲେଖାଏଁ ଟେବୁଲ କରଯାଉଥିବା ବେଳେ ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ୭ଟି ଟେବୁଲରେ ଭୋଟ ଗଣତି ହେବ । ଏଥିପାଇଁ ୨୫୦ କାଉଣ୍ଟି ଅବଜର୍ଭର, ୨୫୬ ଜଣ କାଉଣ୍ଟି ଆସିଷ୍ଟାଣ୍ଟ ଓ ୨୩୨ ମଇକ୍ରୋ ଅବଜର୍ଭରଙ୍କ ୧୫୦ ଜଣ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଭୋଟ ଗଣତି କେନ୍ଦ୍ରଗୁଡିକର ସୁରକ୍ଷା ଦୃଷ୍ଟି ପାଇଁ ଗଞ୍ଜାମ ପୋଲିସ ପକ୍ଷରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ସହ ଛତ୍ରପୁର ଠାରେ ୮ପ୍ଲାଟୁନ ଏବଂ ଭଂଜନଗରରେ ୫ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ରହ୍ମପୁର ଠାରେ ୧୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସକାଳ ୮ଟାରୁ ଭୋଟ୍ କାଉଣ୍ଟିଂ ଆରମ୍ଭ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା