ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ ଯୋଗୁଁ ବିଜେଡି କର୍ମୀଙ୍କ ସମେତ ପୋଲିସ ଓ ଜିଲ୍ଲା ପ୍ରଶାସନର ପ୍ରାକ ପ୍ରସ୍ତୁତି ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା ) ଆସନ୍ତାକାଲି ଦିନିକିଆ ବ୍ରହ୍ମପୁର ଓ ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଥିବାରୁ ପୋଲିସ ଓ ଜିଲ୍ଲାପ୍ରଶାସନର ମକ ଡ୍ରିଲ ଆରମ୍ଭ ହୋଇଯାଇଛି । ସହର ଉପକଣ୍ଠ ପାଲୁର ହିଲ୍ ଠାରେ ରାଜ୍ୟର ପ୍ରଥମ ମେଗା ଅର୍ବାନ ଏଜୁକେସନ୍ ହବ୍ ସହ ଗୋପାଳପୁର ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ବହୁ ପ୍ରକଳ୍ପର ଉଦଘାଟନ କରିବା ସହ ବିଭିନ୍ନ  ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବେ । ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରାକ ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡ଼ି ମହଲରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତାକାଲି ୧୦.୩୦ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ୧୧.୧୫ ମିନିଟ୍ ସମୟରେ ରଙ୍ଗେଇଲୁଣ୍ଡା ବ୍ଲକର ପାଲୁର ହିଲ୍ ସ୍ଥିତ ଅସ୍ଥାୟୀ ହେଲିପେଡ଼ ଠାରେ ଅବତରଣ କରିବେ । ସେଠାରେ ମେଗା ଅର୍ବାନ ଏଜୁକେସନ୍ କଂପ୍ଲେକ୍ସର  ୪୫ କୋଟି ଟଙ୍କା ବିନିମୟରେ ଛାତ୍ରାବାସ ଉଦଘାଟନ କରିବେ ।  ସେଠାରୁ ପାଲୁର ହିଲ୍ ଅଂଚଳରକୁ ଯାଇ ଆଦର୍ଶ ବିଦ୍ୟାଳୟ ଉଦଘାଟନ କରିବା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ରର କୋଠା  ଉଦଘାଟନ, ସଂପ୍ରସାରିତ ପାଠାଗାର କୋଠା, ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହା ପରେ ସେଠାରୁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସିଟି ହାଇସ୍କୁଲ ପଡ଼ିଆ ଠାରେ ଦିନ ୧୨ଟା ସମୟରେ ପହଂଚି ୮୩ଲକ୍ଷ ଟଙ୍କା ବିନିୟମରେ ନିର୍ମିତ ବ୍ରହ୍ମପୁର- ଗୋପାଳପୁର ଓଭରବ୍ରିଜ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ୧୨.୨୩ ମିନିଟ୍ ସମୟରେ ବ୍ରହ୍ମପୁର ଖଲିକୋଟ କଲେଜ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସ୍ଥିତ ନୂତନ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ,  ଆଇଟିଆଇର ନୂତନ କୋଠା, ବ୍ରହ୍ମପୁର ଶୈକ୍ଷିକ ତଥା କର୍ମଶାଳା କୋଠା, ମହିଳା ଥାନା କୋଠା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କର ଗସ୍ତ ପୂର୍ବରୁ ଜିଲ୍ଲାପାଳ, ପୁଲିସ ଡ଼ିଆଇଜି, ଏସପି, ବିଏମସି କମିଶନର ପ୍ରମୁଖ ସଭା ସ୍ଥଳ ଓ ଉଦଘାଟନୀ ସ୍ଥଳ ବୁଲି ସବୁ କିଛି ଅନୁଧ୍ୟାନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ୩ଶହ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କାର ବହୁ  ପ୍ରକଳ୍ପର ଉଦଘାଟନ କରିବେ ଓ ଶୁଭ ଦେବେ ବୋଲି କାର୍ଯ୍ୟସୂଚୀରୁ ଜଣାପଡିଛି । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା