

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେକାରୀ, କୃଷି ସମେତ ବିଭିନ୍ନ ସମସ୍ୟା ସଂପର୍କରେ ଲୋକଙ୍କୁ ସଚେତନ କରିବା ଓ ଏହାର ସମାଧାନ ଦାବି ନେଇ ଅଖିଳ ଭାରତ ଯୁବ କଂଗ୍ରେସ ପକ୍ଷରୁ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯୁବ କ୍ରାନ୍ତି ଯାତ୍ରା ଆରମ୍ଭ କରାଯାଇଛି । ଏହି ଯାତ୍ରା ଆସନ୍ତା କାଲି ଗୋପାଳପୁରରେ ପହଞ୍ଚିବ । ସନ୍ଧ୍ୟା ୭.୩୦ ସମୟରେ ଗୋପାଳପୁର ବେଳାଭୂମି ସଭା ସ୍ଥଳରେ ଏକ ବିରାଟ ସାଧାରଣ ସଭା ଆୟୋଜନ କରାଯିବ ବୋଲି ଏଆଇସିସି ଯୁବ କଂଗ୍ରେସ ପ୍ରଭାରୀ ରିୟାଜ ଉଲ୍ ଅନସାରୀ ସୂଚନା ଦେଇଛନ୍ତି । ଗତକାଲି ଅପରାହ୍ନରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଯୁବ କ୍ରାନ୍ତି ରଥଯାତ୍ରା ସାରା ଦେଶ ପରିକ୍ରମା କରିଛି ବୋଲି ଶ୍ରୀ ଅନସାରୀ କହିଥିଲେ । ରଥଯାତ୍ରା ସମୟରେ ଯୁବକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଲୋକମାନଙ୍କୁ ଅବଗତ କରାଯିବା ସହ ଏହି ଯାତ୍ରାରେ ସର୍ବଭାରତୀୟ ଯୁବ କଂଗ୍ରେସ ସଭାପତି, ସମ୍ପାଦକ ସମେତ ଅନ୍ୟ ତୁଙ୍ଗ ଯୁବନେତାମାନେ ପରିକ୍ରମାରେ ଅଂଶ ଗ୍ରହଣ କରିଛନ୍ତି । ଏହି ରଥ ଆସନ୍ତାକାଲି ଗୋପାଳପୁରରେ ପହଞ୍ଚିବା ପରେ ସେଠାରେ ସାଧାରଣ ସଭା ଏବଂ ୨୪ ତାରିଖ ଭୁବନେଶ୍ୱରରେ ଯୁବ କ୍ରାନ୍ତି ସମାବେଶ ଆୟୋଜିତ ହେବ । ଗୋପାଳପୁର ସମାବେଶରେ ପୂର୍ବତନ ବିଧାୟକ ରମେଶ ଜେନା ସମେତ ରାଜ୍ୟ ତଥା ଜିଲ୍ଲାର ବହୁ ତୁଙ୍ଗ ନେତା ଓ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ସାଧାରଣରେ ସଭାରେ ଓଡ଼ିଶାରେ ହୋଇଥିବା ଚିଟଫଣ୍ଡ୍ ଦୁର୍ନୀତି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା ସମେତ ବହୁ ପ୍ରସଭ୍ଗ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଲୋକସଭା ଯୁବକଂଗ୍ରେସ ସଭାପତି ବିଶ୍ୱଜିତ ପାତ୍ର, ଓଡ଼ିଶା ଉପସଭାପତି କମଲଚରଣ ଟାଙ୍ଗି, ଆସିକା ଲୋକସଭା ଯୁବକଂଗ୍ରେସ ସଭାପତି ଅନୀଲ ପରିଡ଼ା, ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ସାକା ସୁଜିତ କୁମାର, ଆର. କାଶୀ, ବିଜୟ ରାଜ ପାଣିଗ୍ରାହୀ, ସୁନୀଲ ମହାଙ୍କୁଡ଼, ଜଗନ୍ନାଥ ପାଣିଗ୍ରାହୀ, ଚିନ୍ମୟ ହୋତା ସମେତ ଅନ୍ୟ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା