

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ଗତ ବୁଧୁବାର ମାଓବାଦୀ ପକ୍ଷରୁ ୨ଟି ବେନର, ୫ପୋଷ୍ଟର ଓ ୨ଟି ଲିଫଲେଟ ଲଗାଯାଇଥିଲା । ଏହି ପୋଷ୍ଟର, ବେନେର, ଲିଫଲେଟ ମାଧ୍ୟମରେ ଆସନ୍ତା ଅକ୍ଟୋବର ୨୫ ତାରିଖରେ ଓଡିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଥିବା ସହ ଆଦିବାସୀ ଯୁବକ ଯୁବତୀଙ୍କୁ ପୋଲିସ ଇନଫର୍ମର ବନାଇବା ବନ୍ଦ କରାଯାଉ, ମିଥ୍ୟା ମାଓବାଦୀ କେଶରେ ଗିରଫଦାରୀ ବନ୍ଦ କରିବା ନେଇ ଉଲ୍ଲେଖ ଥିଲା । ପରେ ବଂଶଧାରା-ଗୁମୁସର-ନାଗାବଳୀ ଡିଭିଜନର ସମ୍ପାଦିକା ମିତା ପକ୍ଷରୁ ଏକ ଅଡିଓ ଟେପ ଜାରି କରାଯାଇଛି । ଡିଭିଜନର ସ୍ତରରେ ବନ୍ଦକୁ ସଫଳ କରିବା ପାଇଁ ଆଦିବାସୀ, ଦଳିତ, ଛାତ୍ର, ଚାଷି, ଶିକ୍ଷକ, ବେପାରୀ, ସରକାରୀ କର୍ମଚାରୀ ଓ ସମସ୍ତ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ୨୦୦୯ରୁ ସରକାର ଚଳାଇଥିବା ଗ୍ରୀନ ହଣ୍ଟ ବିଫଳ ହେବା ପରେ ୨୦୧୨ ସୁଦ୍ଧା ମାଓ ଦମନ ନେଇ ସରକାରଙ୍କ ପକ୍ଷରୁ ଅଭିଯାନ ଚଳାଯାଇଛି । ଏହି ମାଓ ଦମନ ଅଭିଯାନକୁ ବିରୋଧ କରିବା ସହ ଗତ କିଛି ଦିନ ତଳେ କଳାହାଣ୍ଡିରେ ଗୁଳି ବିନିମୟରେ କମ୍ୟୁନିଷ୍ଟ ଟୁରିଷ୍ଟର ମୃତ୍ୟୁର ତଦନ୍ତ ହେବା ସହ ପୋଲିସ ଅଫିସରକୁ ଗିରଫ କରାଯାଉ ବୋଲି ମାଓବାଦୀ ଦାବି ରଖିଛନ୍ତି । ନିୟମଗିରିର ତ୍ରିଲୋଚନପୁରରୁ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ମିଛ ମାଓବାଦୀ ମାମଲାରେ ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ମୁକ୍ତ କରାଯାଉ ବୋଲି ମାଓବାଦୀଙ୍କ ପକ୍ଷରୁ ଅଡିଓ ଟେପ ଜରିଆରେ ଦାବି ରଖାଯାଇଛି । ତେବେ ଏହି ବନ୍ଦକୁ ବିରୋଧ କରି ନକ୍ସଲ ବିରୋଧୀ ଏ ଏନ ପି ପି ଏଫ ଏବଂ ଆଇ ଏନ ପି ପି ଏଫ ର ପ୍ରତିଷ୍ଠାତା ଭାରତ ଭୂଷଣଙ୍କ ପକ୍ଷରୁ ଗତକାଲି ଏକ ଭିଡିଓ ଟେପ ଜାରି କରାଯାଇଛି । ଜନ ବିରୋଧୀ ଆନ୍ଦୋଳନ ଓ ବିକାଶ ବିରୋଧୀ ନୀତିକୁ ବିରୋଧ କରିବା ସହ ଏହି ବନ୍ଦକୁ ସଫଳ ହେବାକୁ ଦେବୁ ନାହିଁ ଓ ଭାରତରେ ମାଓବାଦୀଙ୍କ କୌଣସି ଅଧିକାର ନାହିଁ ବୋଲି ଭିଡିଓ ଟେପରେ କୁହାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


