ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ଆସନ୍ତା ୨୫ତାରିଖରେ ପୁଣିଥରେ ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ଗତ ସପ୍ତାହରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଥିଲେ ।
ଓଡ଼ିଶା ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡି ସଥୀସାନ, ସଦସ୍ୟ ନୌସାଦ ସୋଲାଙ୍କି ଓ ଜିତିନ୍ ପ୍ରସାଦ ଚଳିତ ମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ସ୍କ୍ରିନିଂ କମିଟି ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । କାର୍ଯ୍ୟକ୍ରମ ଅନୁସାରେ ଶ୍ରୀ ସଥୀସନ୍ ୨୫ ଓ ୨୬ ତାରିଖରେ ଦୁଇଦିନ ଧରି ବାରିପଦାଠାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଲୋକସଭା ଆସନ ଏବଂ ଏସବୁ ଅନ୍ତର୍ଗତ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ କରିବେ । ସେହିପରି ଶ୍ରୀ ସୋଲାଙ୍କି ୨୫ ତାରିଖରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସମ୍ବଲପୁର ଓ ବରଗଡ଼ ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭାମଣ୍ଡଳୀ, ୨୬ ତାରିଖରେ ସୁନ୍ଦରଗଡ଼ ଓ ବଲାଙ୍ଗୀର ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ନେତୃବୃନ୍ଦଙ୍କୁ ଭେଟି ପ୍ରାର୍ଥୀଙ୍କ ସମ୍ପର୍କରେ ମତାମତ ସଂଗ୍ରହ କରିବେ । ସେହିପରି ଅନ୍ୟତମ ସଦସ୍ୟ ଜିତିନ୍ ପ୍ରସାଦ ଭୁବନେଶ୍ୱରରେ କଂଗ୍ରେସ ଭବନରେ ୨୭ ତାରିଖରେ କନ୍ଧମାଳ ଓ ଯାଜପୁର ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ସମେତ ସମ୍ବଲପୁର ଲୋକସଭାର ଦୁଇଟି ବିଧାନସଭା ଛେଣ୍ଡିପଦା ଓ ଆଠମଲ୍ଲିକ ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । ଏହି ସ୍କ୍ରିନିଂ କମିଟିକୁ ସହଯୋଗ କରିବା ପାଇଁ ପିସିସି ପକ୍ଷରୁ ୬ଜଣ ବରିଷ୍ଠ ନେତା ସଞ୍ଜିବ ଗିରି, ଦେଓ ପ୍ରସାଦ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଆକାଶ ଭୂୟାଁ, ବିଶ୍ୱଜିତ୍ ଦାସ ଓ ସୂର୍ଯ୍ୟନାରାୟଣ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି ।