ଆସନ୍ତା ୫ରେ “ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କ୍ୟାମ୍ପ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଧେଶ

ଭୁବନେଶ୍ୱର – ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟର ୧୮ ବର୍ଷରୁ ଉଦ୍ଧ୍ୱର୍ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କର ମତଦାନ ଅଧିକାରକୁ ସାକାର କରିବା ନିମନ୍ତେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହଯୋଗରେରାଜ୍ୟର ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଦିବ୍ୟାଙ୍ଗମାନଙ୍କ ପାଇଁ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସିଭିଲ୍ ସୋସାଇଟିର କର୍ମକର୍ତାମାନଙ୍କୁ ନେଇ ରାଜ୍ୟସ୍ତରୀୟ ଦିନିକିଆ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ଶୁଭାରମ୍ଭ ସହ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ ମୁତାବକ ରାଜ୍ୟର ଦିବ୍ୟାଙ୍ଗ ଭୋଟରମାନଙ୍କ ନାମ ପଞ୍ଜୀକରଣ ସହ ଆଗାମୀ ନିର୍ବାଚନରେ ସୁଗମ ମତଦାନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଷ୍ଟିୟରିଂ କମିଟି ଚଳିତ ମାସ ଶେଷ ସୁଦ୍ଧା ଗଠନ କରି ଦିବ୍ୟାଙ୍ଗ ଭୋଟରମାନଙ୍କୁ ଚିହ୍ନଟ କରିବା ସହ ଆସନ୍ତା ଅକ୍ଟୋବର ୫ ତାରିଖରେ ଗ୍ରାମପଂଚାୟତସ୍ତରରେ “ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କ୍ୟାମ୍ପ’ କରିବାକୁ ରାଜ୍ୟ ନିର୍ବାଚନ, ଅଧିକାରୀ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଧେଶ ଦେଇଛନ୍ତି । କର୍ମଶାଳାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ୍ ଯାଦବ ଦିବ୍ୟାଙ୍ଗ ଭୋଟର ନାମ ପଞ୍ଜୀକରଣକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସଂପୃକ୍ତ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତାମାନଙ୍କୁ ସେ ନିବେଦନ କରିଥିଲେ । ନିର୍ବାଚନବେଳେ ଯେଉଁ ଯେଉଁ ବୁଥରେ ଏକାଧିକ ଦିବ୍ୟାଙ୍ଗ ଭୋଟର ଥିବେ ସେହି ସବୁ ବୁଥ୍ମାନଙ୍କରେ ସ୍ୱତନ୍ତ୍ର ର୍ୟାମ୍ପ ନିର୍ମାଣ ସହ ଗୋଟିଏ ଲେଖାଏଁ ହ୍ୱିଲ୍ ଚେୟାର ଯୋଗାଇଦେବାର ବ୍ୟବସ୍ଥା କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆର ଆୟର ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯୁଗ୍ମ ଶାସନ ସଚିବ କାହ୍ନୁଚରଣ ସାହୁ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।