ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ହିନ୍ଦୀ ଦିବସ ଏବଂ ସ୍ୱାଗତ ସମାରୋହ

ଆସିକା(ସମୃଦ୍ଧଓଡିଶା) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ତଥା ହିନ୍ଦୀ ବିଭାଗର ସଂଯୋଜନାରେ ହିନ୍ଦୀ ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ବ୍ରହ୍ମପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ତଥା ଧନ୍ଦାମୂଳକ ଶିକ୍ଷାବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ଦାସ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ ଏବଂ ମୁଖ୍ୟ ବକ୍ତା ରୂପେ ଦିନବନ୍ଧୁ ଉଚ୍ଚ ବିଦ୍ୟାପୀଠ, ନେଟେଙ୍ଗାର ହିନ୍ଦୀ ଶିକ୍ଷକ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାପଟେନ୍ ଶ୍ରୀ ପ୍ରଭାତ କୁମାର ଗୌଡ଼ ଉପସ୍ଥିତ ଥିଲେ। ପ୍ରଥମେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଜଗଦୀଶ୍ବର ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହରେ ବେଦମନ୍ତ୍ର ଗାୟକ ଧନଞ୍ଜୟ ମହାପାତ୍ରଙ୍କ ବେଦପାଠମନ୍ତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉତ୍ତରୀୟ ଦ୍ବାରା ସମ୍ମାନିତ କରାଯାଇଥିଲା। ଛାତ୍ରୀ ଦୀପିକା ଏବଂ ଗ୍ରୁପ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ମଞ୍ଚାସୀନ ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ହିନ୍ଦୀ ବିଭାଗ ମୁଖ୍ୟା ଡ. ଜିନିତ ସବା ହିନ୍ଦୀ ଦିବସ ଏବଂ ସ୍ବାଗତ ସମାରୋହର ଆଭିମୁଖ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଡ. ପାଢ଼ି ଯେ କୌଣସି ଭାଷା ର ଜ୍ଞାନ ଆହରଣ କରିବାକୁ ହେଲେ ପ୍ରଥମେ ମାତୃଭାଷାକୁ ଗ୍ରହଣ କରିବାକୁ ପଡ଼େ, ତା’ପରେ ଅନ୍ୟ ଭାଷା ଯେପରି ଭାରତରେ ହିନ୍ଦୀ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅଁଗ୍ରେଜୀ। ସ୍କୁଲ ସ୍ତରରେ ତ୍ରିଭାଷୀ ଏବଂ କଲେଜ ସ୍ତରରେ ଦ୍ବିଭାଷୀ ସୂତ୍ରରେ ଜ୍ଞାନ ଆହରଣ କରିବା ପାଇଁ ପଡିଥାଏ। ସମ୍ମାନିତ ଅତିଥି ଡ. ଦାସ ହିନ୍ଦୀ ଭାଷାର ମହତ୍ବ ପ୍ରତିପାଦନ କରି ହିନ୍ଦୀ ଭାଷାରେ ବଜାରକରଣ ସଂଦର୍ଭରେ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ହିନ୍ଦୀ ଅନ୍ତର୍ଜାତୀୟ ସ୍ତରରେ ତାର ମହନୀୟତାକୁ ଅକ୍ଷୁର୍ଣ୍ଣ ରଖି ତୃତୀୟ ସ୍ଥାନରେ ପଦାର୍ପଣ କରିପାରିଛି ବୋଲି କହିଛନ୍ତି। ଭାରତ ବର୍ଷର ପ୍ରାଦେଶିକ ସମ୍ପର୍କ ତଥା ଭାଷା ସୂତ୍ରରେ ଅଖଣ୍ଡତାକୁ କେବଳ ହିନ୍ଦୀ ହିଁ ବଜାୟ ରଖିପାରିଛି ବୋଲି ମତ ଦେଇଥିଲେ। ଛାତ୍ରୀ ଯମୁନା ଏବଂ ସ୍ବରୂପା ଆଙ୍କରିଙ୍ଗ ଦ୍ବାରା ସଭାସଂଞ୍ଚାଳନ କରିଥିଲେ। ମୁଖ୍ୟବକ୍ତା କ୍ୟାପଟେନ୍ ଗୌଡ଼ ନିଜ ଗୁରୁଦେବଙ୍କୁ ସ୍ମରଣ କରି ହିନ୍ଦୀଭାଷା ସାହିତ୍ୟରେ ନିଜ ଭବିଷ୍ୟତ ଜୀବନକୁ ସୁଦୃଢ଼ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ। ଉକ୍ତ କଲେଜ ହିନ୍ଦୀ ବିଭାଗର ପ୍ରାକ୍ତନ ଛାତ୍ର ହୋଇଥିବା ଯୋଗୁଁ ହିନ୍ଦୀ ବିଭାଗର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସୂଚାଇ ଥିଲେ।ହିନ୍ଦୀ ଦିବସ ପାଇଁ ପୂର୍ବରୁ ଆୟୋଜିତ ହୋଇଥିବା ନିବନ୍ଧ ଏବଂ ତର୍କ-ବିତର୍କ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିଙ୍କ କରକମଳରେ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଅନ୍ତରାଳ ମଧ୍ୟରେ ଓ ହିନ୍ଦୀ ବିଭାଗର ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଗହଣରେ ଭାଇଚାରା ଓ ସଦ୍ଭାବନାର ବାର୍ତ୍ତା ବହନ କରି ଯୁକ୍ତ ତିନି ପ୍ରଥମ ବର୍ଷ ହିନ୍ଦୀ ସମ୍ମାନ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତ ତିନିର ଦ୍ବିତୀୟ ଏବଂ ତୃତୀୟ ବର୍ଷର ଛାତ୍ରୀଛାତ୍ରୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରିଶେଷରେ ଅଧ୍ୟାପିକା କୁନିକା ଦାଶ ହିନ୍ଦୀ ଭାଷାର ମହତ୍ବ ପ୍ରତିପାଦନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ