ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୫ତମ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ସମାରୋହ

ଆସିକା(ସମୃଦ୍ଧଓଡିଶା) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜାତୀୟ ସେବା ଯୋଜନାର ପ୍ରାକ୍ତନ ଯୋଜନା ଅଧିକାରୀ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ଜାତୀୟ ସେବା ଯୋଜନା ଶାଖାର ସୌଜନ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ଅଡିଓ ଭିଜୁଆଲ୍ ହଲ ମଧ୍ୟରେ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟଅତିଥି ରୂପେ ବିଜ୍ଞାନ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ, ଗଂଜାମର ଓଡ଼ିଆ ପ୍ରାଧ୍ୟାପକ ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ଡ. ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ସ୍ବ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଅଜିତ୍ କୁମାର ମୁନୀ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ବାରା ଦେବ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ତତ୍ପଶ୍ଚାତ ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଉପଢ଼ୌକନ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବେଚ୍ଛାସେବୀ ଛାତ୍ରୀମାନଙ୍କ ଦ୍ବାରା ଅତିଥିମାନଙ୍କ ପାଇଁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଯୁକ୍ତ ଦୁଇ ୟୁନିଟର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ପବିତ୍ର ଧଙ୍ଗଡ଼ାମାଝୀ ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ ଏବଂ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସର ଆଭିମୁଖ୍ୟ ତଥା ପ୍ରତିଷ୍ଠାପକ ସ୍ବର୍ଗତ ଡ. ଭି.କେ.ଆର.ଭି. ରାଓ, ପ୍ରାକ୍ତନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟିରେ ଜାତୀୟ ସେବା ଯୋଜନାର ଲକ୍ଷ ଓ ଉଦ୍ଦେଶ୍ୟକୁ ସଂକ୍ଷେପରେ ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ଡ. ମୁନୀ ଓଡ଼ିଶାର ଗୌରବ ବାଜିରାଉତ, ଧର୍ମପଦ ଏବଂ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ମାନବୀୟ ଅମ୍ଳାନ ଉତ୍ସର୍ଗୀକୃତ ଏବଂ ସ୍ବେଚ୍ଛାକୃତ ସେବାପରାୟଣତାର ଉଦାହରଣ ସ୍ପଷ୍ଟରୂରେ ପ୍ରତିପାଦନ କରିଥିଲେ। ଜନ ସମାଜରେ ଦୀନ, ଦୁଃଖୀ, ରଙ୍କିଙ୍କ ପ୍ରତି ମାନବୀୟତାରକ୍ଷା କରି ସେବା ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ମୁଖ୍ୟବକ୍ତା ଡ. ମହାନ୍ତିଙ୍କ ସେବା ପରାୟଣତାର ଓଜସ୍ବୀନି ବକ୍ତବ୍ୟ ସମସ୍ତଙ୍କୁ ଅଭିଭୂତ କରିପାରିଥିଲା। ଜାତୀୟ ସେବା ଯୋଜନା ସଦା ସର୍ବଦା ଗ୍ରାମଞ୍ଚଳରେ ସେବାର ମହତ୍ବକୁ ପ୍ରତିଷ୍ଠିତ କରି ଦୁସ୍ଥ ଏବଂ ନିଷ୍ପେସିତ ତଥା ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅସହାୟ, ନିର୍ଯ୍ୟାତିତ ଲୋକଙ୍କ ପାଇଁ ସ୍ବେଚ୍ଛାସେବୀମାନଙ୍କ ସାପ୍ତାହିକ ସ୍ବତନ୍ତ୍ର ଶିବିର ମାଧ୍ୟମରେ ପହଞ୍ଚୁଥାଏ ଏବଂ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ପ୍ରତ୍ୟେକ ଅନ୍ଧବିଶ୍ବାସ କବଳିତ ଅନ୍ଧଗଳିରୁ ମୁଖ୍ୟସ୍ରୋତକୁ ଆସିବା ପାଇଁ ସଚ଼େତନତାର ବାର୍ତ୍ତା ରଖିଥାଏ। ଅନେକ ଉପାଦେୟ ଉଦାହରଣ, ନିଜସ୍ବ ସଙ୍ଗୀତ ଓ ଅନୂଭୁତି ଦ୍ବାରା ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ସେବାମନୋଭାବ ପ୍ରତି ଆକୃଷ୍ଠ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ତ୍ରିପାଠୀ ଅତିଥିଙ୍କ ଉପାଦେୟ ବାର୍ତ୍ତାକୁ ଆତ୍ମସାତ୍ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଜାତୀୟ ସେବାଯୋଜନା ଯୁକ୍ତ ତିନି ୟୁନିଟର ମଞ୍ଚାସୀନ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ଚନ୍ଦନ ମାରାଣ୍ଡି ଏବଂ ଅଧ୍ୟାପିକା ଇ. ରେଶମାରାଣୀ ପାତ୍ର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ସହଯୋଗ କରିଥିଲେ। ଏହି ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ ପ୍ରଶ୍ନୋତ୍ତରୀ, ତର୍କବିତର୍କ ଏବଂ ନିବନ୍ଧ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ କରକମଳରେ ପୁ୍ରସ୍କାର ବିତରଣ କରାଯାଇଥିଲା। ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବାର ନଜିର ରହିଥିଲା। ପରିଶେଷରେ ପ୍ରୋଗ୍ରାମ ଅଧିକାରୀ ଇ. ରେଶମାରାଣୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ